ବିଜେଡି ସହ ସଂପର୍କ ତୁଟାଇ ବିଦେଶ ଚାଲିଯିବେ କାର୍ତ୍ତିକ ପାଣ୍ଡିଆନ୍‌?

ନିର୍ବାଚନ-୨୦୨୪ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ଫଳ ପ୍ରକାଶ ପାଇବାର ପରବର୍ତ୍ତୀ ସମୟରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ଭୈରବ କାର୍ତ୍ତିକ ପାଣ୍ଡିଆନ ଏବେ ଓଡ଼ିଶା ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

VK Pandian

VK Pandian Photograph: (sambad.in)

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ଫଳ ପ୍ରକାଶ ପାଇବାର ପରବର୍ତ୍ତୀ ସମୟରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ଭୈରବ କାର୍ତ୍ତିକ ପାଣ୍ଡିଆନ ଏବେ ଓଡ଼ିଶା ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବିଜେଡିର ପୂର୍ବତନ ନେତାଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବି ପାଣ୍ଡିଆନ୍‌ ଏବେ ନବୀନ ନିବାସରେ ରହୁଥିବା ନେଇ ଚର୍ଚ୍ଚା ଜାରି ରହିଛି। କେବଳ ଏତିକି ନୁହେଁ ବରଂ ଶ୍ରୀ ପାଣ୍ଡିଆନ୍‌ ଏବେ ବି ବିଜେଡି ନେତାଙ୍କ ସହ ଆଲୋଚନା କରୁଥିବା ଖବର ଅନେକ ସମୟରେ ଆସିଛି। ଏମିତି ଚର୍ଚ୍ଚା ଭିତରେ ସେ ଏବେ ବିଦେଶରେ ଯାଇ ଚାକିରି କରିବେ ବୋଲି କୁହାଯାଉଛି।  

ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନ ଖୁବଶୀଘ୍ର ନବୀନ ନିବାସ ଛାଡି ନୂଆ କର୍ମ ସଂସ୍ଥାନରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡିର ବିପର୍ଯ୍ୟୟ ପଛର ଚେହେରା କୁହାଯାଉଥିବା ଭି.କେ ପାଣ୍ଡିଆନ ଖୁବଶୀଘ୍ର ବିଜେଡି ସହ ସମ୍ପର୍କ ତୁଟାଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ବସ୍ତ ବ୍ୟକ୍ତି ଶ୍ରୀ ପାଣ୍ଡିଆନ ନବୀନ ନିବାସ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଓଡ଼ିଶା ଛାଡ଼ି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିପାରନ୍ତି। ଅବଶ୍ୟ ଏନେଇ ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ବିଦେଶ ଯାଇ ଚାକିରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହେବ କି ମିଛ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। 

ସୂଚନାଯୋଗ୍ୟ, ଭି.କେ ପାଣ୍ଡିଆନ ଗତବର୍ଷ ଜୁନ୍ ୯ ତାରିଖରେ ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେଡିର ନିର୍ବାଚନ ପରାଜୟର ଦୋଷ ମୁଣ୍ଡାଇ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ନିର୍ବାଚନ ସମୟରେ ଦଳର ପୋଷ୍ଟରବୟ ଥିବା ପାଣ୍ଡିଆନ ନିର୍ବାଚନ ପରେ ସତେ ଯେମିତି ଅଜ୍ଞାତବାସକୁ ଚାଲିଯାଇଥିଲେ। କାଁ ଭାଁ ସାମାଜିକ କାର୍ଯ୍ୟକ୍ରମକୁ ଛାଡିଦେଲେ ପାଣ୍ଡିଆନ ସର୍ବସମ୍ମୁଖକୁ ହିଁ ଆସୁନଥିଲେ। କିନ୍ତୁ ନବୀନ ନିବାସରୁ ରହି ଦଳକୁ ଅପରେଟ୍‌ କରୁଥିବା ଚର୍ଚ୍ଚା ହେଉଥିଲା, ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। କିଛି ବରିଷ୍ଠ ନେତା ମେଳି କରି ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରିବା ସହ ନବୀନଙ୍କ ନିକଟରେ ଫେରାଦ ହୋଇଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଥିଲା। ତେଣୁ ଦଳରେ ବଡ଼ ବିସ୍ଫୋରଣ ହେବା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଏଭଳି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ରୋଚକ କରିଛି। 

VK Pandian | BJD | politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe