ଜଳ ସଂକଟ: ଦୂଷିତ ପାଣି ପିଇ ମାରାତ୍ମକ ରୋଗରେ ଶିକାର ହେଉଛନ୍ତି ଲୋକେ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ କୁଲେଇଶିଳା ଗ୍ରାମପଂଚାୟତର ଜାରିହିଲ୍ ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ପିଇବା ପାଣି ଟୋପାଏ ପାଇଁ ମହିଳାମାନଙ୍କୁ ଘଣ୍ଟାଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ କୁଲେଇଶିଳା ଗ୍ରାମପଂଚାୟତର ଜାରିହିଲ୍ ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ପିଇବା ପାଣି ଟୋପାଏ ପାଇଁ ମହିଳାମାନଙ୍କୁ ଘଣ୍ଟାଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ ମୋଟ ୪ ଶହରୁ ଅଧିକ ଲୋକ ବାସ କରନ୍ତି। ତେବେ ୪ ଶହ ଜନସଂଖ୍ୟା ବିଶିଷ୍ଟ ଗ୍ରାମବାସୀଙ୍କ ମାତ୍ର ୩ ଗୋଟି ନଳକୂପ ଥିବା ବେଳେ ସେଥିମଧ୍ୟରୁ ୨ଟି ନଳକୂପରୁ ପାଣି ସହିତ ଜିଆ ଏବଂ ଅନ୍ୟାନ କୀଟପତଙ୍ଗ ବାହାରୁଥିବା ବେଳେ ବାକି ଆଉ ଗୋଟିଏ ନଳକୂପରୁ ଅଳିଆ ଆବର୍ଜନା ସହିତ ନାଲି ଗୋଳିଆ ପାଣି ବାହାରୁଛି। ଏହାବ୍ୟତୀତ ଦୁଇଟି ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ତାହା ମଧ୍ୟରୁ ଗୋଟିଏ ପ୍ରକଳ୍ପ ମାସେ ବ୍ୟବହାର ନହେଉଣୁ ଅଚଳ ହୋଇ ପଡିରହିଥିବା ବେଳେ ଅନ୍ୟ ଗୋଟିଏ ଦୂଷିତ ପାଣି ବାହାରୁଛି।

ତେବେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ବସୁଧା ଯୋଜନାରେ ୪ ବର୍ଷ ପୂର୍ବରୁ ଓଭରହେଡ୍ ପାଣି ଟାଙ୍କି ଦ୍ଵାରା ପାନୀୟ ଜଳ ଯୋଗାଣ ହେଉଥିଲା। ତାହା ମଧ୍ୟ ୧୦ ଦିନରୁ ଅଧିକ ହେଲାଣି ଅଚଳ ଅବସ୍ଥାରେ ରହିଛି। ଏହା ବ୍ୟତୀତ ମେଗା ପାନୀୟ ଜଳ ପ୍ରକଳ୍ପରେ ଦିନକୁ ଦୁଇଥର ପାଣି ଛଡ଼ା ଯାଇଥାଏ। ସେଥିରେ ମାତ୍ର ୨/୩ ଟି ପରିବାରକୁ ପାଣି ପହଞ୍ଚୁଥିବା ବେଳେ ଅନ୍ୟ ପରିବାରକୁ ପାଇପ ପାଣି ପହଞ୍ଚୁନାହିଁ।

publive-image

ଏନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଫଳରେ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ବାଧ୍ୟ ହୋଇ ଗ୍ରାମପାର୍ଶ୍ବ ଦେଇ ପ୍ରବାହିତ ନାଳରେ ବାଲି ଦ୍ୱାରା ଚୁଆ କରି ପାଣି ନେଇଥାନ୍ତି। ସେହି ଚୁଆରୁ ଗ୍ରାମବାସୀଙ୍କ ସମେତ ଗୋରୁ, ଗାଈ, ଛେଳି, କୁକୁର ଏବଂ ଅନ୍ୟାନ ପଶୁ ପକ୍ଷୀ ମଧ୍ୟ ପାଣି ପିଇଥାନ୍ତି, ଯାହାଦ୍ୱାରା ଗ୍ରାମବାସୀମାନେ ଅଧିକାଂଶ ସମୟରେ ଝାଡ଼ାବାନ୍ତି ଭଳି ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇଥାନ୍ତି।

ବର୍ତମାନ ଗୋରୁମହିଷାଣୀ ଲୁହାଖଣିରୁ ଲୁହାପଥର ଗୁଣ୍ଡ, ମାଟି, ବାଲି ପ୍ରଭୃତି ଭାସି ଆସି ନାଳ ମଧ୍ୟ ଶୁଖିଯାଉଥିବାରୁ ନାଳରେ ଥିବା ଚୁଆରୁ ମଧ୍ୟ ପାଣି ବାହାରୁ ନଥିବାରୁ ନାଳରେ ଲମ୍ବା ଧାଡିକରି ଘନ୍ଟାଘନ୍ଟା ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡୁଛି। ଏଣୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ମାନେ ରାଇରଙ୍ଗପୁର ବିଭାଗୀୟ ଅଧିକାରୀଙ୍କୁ ଦାବି କରିଛନ୍ତି। ଏସମ୍ବନ୍ଧରେ ରାଇରଙ୍ଗପୁରସ୍ଥିତ ଜିଲ୍ଲା ଜଳ ଓ ପରିମଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଦେବବ୍ରତ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ବସୁଧା ପ୍ରକଳ୍ପରେ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥିଲା। ତାହା ଖୁବ୍ ଶୀଘ୍ର ମରାମତି କରିବାକୁ ଚେଷ୍ଟା ଜାରି ରହିଛି। ବିଦ୍ୟୁତ୍ ସମସ୍ୟା ଦୂର ହେଲେ  ପାନୀୟ ଜଳ ଯୋଗାଣ ହେବ।

Drinking water | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe