Water problem in Mayurbhanj Photograph: (sambad.in)
ରାଇରଙ୍ଗପୁର/ବାଦାମପାହାଡ଼ (ତୁଷାର କାନ୍ତ ମହାନ୍ତ): ୨୦୬ କୋଟି ଟଙ୍କାର ବୃହତ ଜଳଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଲୋକଙ୍କ ଜଳ କଷ୍ଟ ଦୂର କରୁଛି ପରିତକ୍ତ କୂଅପାଣି। ଲୋକଙ୍କୁ ମିଳୁନି ନଳରୁ ଜଳ। କିନ୍ତୁ ଜଳ ପାଇଁ ପ୍ରତ୍ୟକ ଲୋକ ଖୋଳିଛନ୍ତି ଦୁଇ ଫୁଟ ତଳ। ଅଭିଯୋଗ ପରେ ମଧ୍ୟ ଶୁଣୁନି ବିଭାଗୀୟ ଯନ୍ତ୍ରୀ। ଶେଷରେ ହିତାଧିକାରୀ ହୋଇଛନ୍ତି ନିଜେ ମିସ୍ତ୍ରୀ।
୨୦୧୯ରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି ଏବଂ ୨୬ ଜାନୁଆରି ୨୦୨୩ ଶେଷ ହେବାର ଥିଲା। କିନ୍ତୁ ଆଜିଭି ପହଞ୍ଚି ପାରିନି ୧୧୩ ଗ୍ରାମରୁ ୪ ଗ୍ରାମକୁ ପାଣି। ଯେତେ ଅଭିଯୋଗ କଲେ ସୁଦ୍ଧା ଫଳ ଶୂନ। ଏଭଳି ଜଳ ଯନ୍ତ୍ରଣା ଦୁର୍ଦଶାର ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକରେ।
ବିଜେଡି ସରକାର ସମୟରେ ଗ୍ରାମଞ୍ଚଳ ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗ ଦ୍ୱାରା ୨୦୬ କୋଟି ଟଙ୍କା ବ୍ୟୟରେ ବୃହତ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପରିଣାମ ସ୍ୱରୂପ ଜଳ ଦୁର୍ଦଶାର ବିକଳ ଚିତ୍ର ଦେଖିବାକୁ ମିଳିଛି ଉକ୍ତ ବ୍ଲକର ଜୋରଦା ଗ୍ରାମପଞ୍ଚାୟତର ମହୁଲଡିହା ଗ୍ରାମରେ, ଯେଉଁଠି ନଳ ଲାଗିଛି କିନ୍ତୁ ଜଳ ଆସୁନି,କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ବିଶୁଦ୍ଧ ଜଳ ଟୋପାଏ ପାଇଁ ଲୋକଙ୍କୁ ଗାଁ ଦାଣ୍ଡରେ ଖୋଳିବାକୁ ପଡିଛି ଦୁଇ ଫୁଟ ଗାତର ଚୁଆ।
/sambad/media/media_files/2025/06/17/img-20250617-wa0266-474111.jpg)
ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜିଭି ତେଣ୍ଟପୋସି, ବାସାଘୁଟୁ, କାଶିଆବେଡ଼ା ଜାଟିସେରେଙ୍ଗ ଭଳି ୪ଟି ଗାଁକୁ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରି ନାହିଁ। ତେବେ ଗୋଟିଏ ପଟେ ଲୋକେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବକଳ ହେଉଥିବା ବେଳେ ବିଭାଗ ପାଖରେ ନାହିଁ ଚିନ୍ତା। କାରଣ ପ୍ରକଳ୍ପର ଅବଧି ସରିଯାଇଥିଲେ ସୁଦ୍ଧା ଠିକା ସଂସ୍ଥା ଉପରେ ହୋଇନି କୌଣସି ଜରିମାନା ବା କାର୍ଯାନୁଷ୍ଠାନ।
ଗତ କିଛି ଦିନ ପୂର୍ବର ଓଡିଶା ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ଓ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ରାଇରଙ୍ଗପୁର ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ ପ୍ରକଳ୍ପ ବିଷୟରେ ପ୍ରଶ୍ନ କରିଥିବାରୁ ସେହି ପ୍ରକଳ୍ପ ଦେଖିବାକୁ ଯାଇଥିଲେ ଏବଂ ତାଗିଦ କରି ଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପରିଣାମ ସ୍ୱରୂପ ଗ୍ରାଉଣ୍ଡ ଜରୋ ରୋ ଫଟୋ ବେଶ ସ୍ପଷ୍ଟ କରୁଛି। ଏନେଇ ଆମ୍ଭେ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ରାଉତଙ୍କ ସହିତ ଯୋଗାଯୋଗ କରିବାରୁ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ନିଜ ମତ ରଖିଛନ୍ତି।
Water | Mayurbhanj
Follow Us