ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ: ଆଇନ୍‌ମନ୍ତ୍ରୀ

ପଶ୍ଚିମବଙ୍ଗ ସରକାର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଏହା ଆଘାତ ଦେଇଛି।

Digha Jagannath temple prithivraj

Digha Jagannath temple prithivraj Photograph: (sambad.in)

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁହଁ ଖୋଲିଛନ୍ତି।। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ଏଥି ପାଇଁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ।  

ଶ୍ରୀମନ୍ଦିର ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ଯ୍ୟାବଳୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ କହିଛନ୍ତି, ଜୀବନ ସାରା ଯେ କିଛି କରି ନାହାନ୍ତି ସେମାନେ ବଡ଼ବଡ଼ କଥା କହୁଛନ୍ତି। ସେ କଥା ଅପ୍ରାସଙ୍ଗିକ। ବ୍ରହ୍ମ ବିଭ୍ରାଟଠୁ ଆରମ୍ଭ କରି କ’ଣ କ’ଣ କରୁଥିଲେ ସେମାନେ ଜାଣିଛନ୍ତି। ଆମ ସରକାରରେ ଏଭଳି କୌଣସି କଥା ଗ୍ରହଣୀୟ ହେବ ନାହିଁ। ଆମେ ଏଦିଗରେ ଯାହା ପଦକ୍ଷେପ ନେବା କଥା ତାହା ନେଇଛୁ। ଆଜିର ଦିନରେ ପଶ୍ଚିମବଙ୍ଗ ବିରୋଧୀ ଦଳ, ସାଧାରଣ ଜନତା ମଧ୍ୟ ମମତା ବାନାର୍ଜୀଙ୍କ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏଥି ସହିତ ସମସ୍ତେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। 

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଛତିଶାନିଯୋଗକୁ ନେଇ ମୁଖ୍ୟ ପ୍ରଶାସକ ବୈଠକ ନେଇ ସାରିଛନ୍ତି। କିଛି କଥାରେ ନିଷ୍ପତ୍ତି ହୋଇଛି। ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଗୋଟିଏ ନିର୍ଯ୍ୟାସରେ ପହଞ୍ଚିବ। ଆଗାମୀ ଦିନରେ ଠାକୁରଙ୍କ ରୀତିନୀତି ହେଉ କି ସେବା ଯୋଗାଇବା ହେଉ କିମ୍ବା ସେବାୟତ ମାନଙ୍କର କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଧ୍ୟାନ ରଖାଯାଉଛି। ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ସେବାୟତମାନେ ସେଠାକୁ ଯାଇଥିଲେ ସେମାନଙ୍କୁ ଡାକି ପଚରାଉଚରା କରାଯାଉଛି। ସେବାୟତମାନେ ଅତିଥି ଭାବେ ଯାଇ ପାରିବେ। କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା ବୋଲି ଆଇନ ମନ୍ତ୍ରୀ କହିଛନ୍ତି।   

Puri Jagannath temple | Prithviraj Harichandan | Digha Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe