ସତିଘାଟ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କେବେ?

ସତୀଘାଟ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଝରିଗାଁ ବ୍ଳକର ଚଚା ପଞ୍ଚାୟତ ସହିତ ପାଲିଆ, ବାଣୁଆଗୁଡା, ଫୁପୁଗାଁ, ଗୁରୁସିଙ୍ଗା, ଚକଲାପଦର, ଇଚ୍ଛାପୁର, କଟ୍ରିଛାପର, ବେଲଗାଁ, ଚିତାବେଡ଼ା, ଝରିଗାଁ ପଞ୍ଚାୟତର ପ୍ରାୟ ୬୦୦ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ।

satighata of jharigaon

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ବହୁ ପ୍ରତିକ୍ଷିତ ସତୀଘାଟ ଜଳସେଚନ ପ୍ରକଳ୍ପର କାମ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ କାମ ଆରମ୍ଭ ହେଉନ ଥିବା ବେଳେ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ଦଳ ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ।

ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ସ୍ଥାନୀୟ ଚାଷୀ ହତାଶ
ଆନ୍ଦୋଳନ ଚେତାବନୀ ଦେଲେ: ପ୍ରଦୀପ ମାଝୀ

୨୦୦୨ ମସିହାରେ ବିରୋଧୀ ଦଳରେ ଥିବା ବେଳେ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ସତୀଘାଟ ପ୍ରକଳ୍ପ ନିର୍ମାଣ ପାଇଁ ରାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗବାଗୁଡ଼ା ଗ୍ରାମରୁ ହଜାର ହଜାର ଚାଷୀ ୧୪ କିଲୋମିଟର ଦୂର ଚାଲିଚାଲି ଝରିଗାଁ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସତୀଘାଟ ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସତୀଘାଟ ପ୍ରକଳ୍ପ ପାଇଁ ପ୍ରଶାସନ ତରଫରୁ ମାତ୍ର ଦୁଇ ଥର ସର୍ଭେ କରାଯାଇଥିଲେ ହେଁ ପ୍ରକଳ୍ପ ନିର୍ମାଣ ହୋଇ ପାରିନଥିଲା। ପ୍ରଦୀପ ମାଝୀ ଗତ ଦିନରେ ବିରୋଧୀ ଦଳରେ ଥିବା ବେଳେ ପରେ ଶାସକ ବିଜେଡି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଥିଲେ। ଶ୍ରୀ ମାଝୀ ଶାସକ ଦଳରେ ଯୋଗ ଦେବା ପରେ ସତୀଘାଟ ପ୍ରକଳ୍ପ ନିର୍ମାଣ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ସତୀଘଟ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅର୍ଥ ମଜୁରୀ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି। ବିଜେପି ସରକାର ଗଠନ ହେବାର ପ୍ରାୟ ପାଞ୍ଚ ମାସ ପରେ ମଧ୍ୟ ସତିଘାଟ ଜଳସେଚନ ପ୍ରକଳ୍ପ କାମ ଇଞ୍ଚେ ଟିଏ ଆରମ୍ଭ ହୋଇ ନାହିଁ। ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ପକ୍ଷରୁ ଆନ୍ତରିକତା ଅଭାବ ଥିବା ନେଇ ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। 

ଘଟଣା ନେଇ ପୂର୍ବତନ ସାଂସଦ ତଥା ବିଜେଡି ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀଙ୍କ ସହ ଯୋଗାଯୋଗ କରିବାରୁ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ସତୀଘଟ ଜଳ ସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅର୍ଥ ମଜୁରୀ କରିଥିଲେ। ବିଜେପି ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ପ୍ରକଳ୍ପ କାମ ଆରମ୍ଭ ହେଉନାହିଁ। ସ୍ଥାନୀୟ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାମ ଆରମ୍ଭ ନହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ଜଳସେଚନ ସୁବିଧା ନଥିବା ବେଳେ ସତୀଘାଟ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଝରିଗାଁ ବ୍ଳକର ଚଚା ପଞ୍ଚାୟତ ସହିତ ପାଲିଆ, ବାଣୁଆଗୁଡା, ଫୁପୁଗାଁ, ଗୁରୁସିଙ୍ଗା, ଚକଲାପଦର, ଇଚ୍ଛାପୁର, କଟ୍ରିଛାପର, ବେଲଗାଁ, ଚିତାବେଡ଼ା, ଝରିଗାଁ ପଞ୍ଚାୟତର ପ୍ରାୟ ୬୦୦ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଅଞ୍ଚଳର ଶତାଧିକ ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।ତେବେ ସତୀଘାଟ ପ୍ରକଳ୍ପ କେବେ ନିର୍ମାଣ ହେବ ଏବଂ ସ୍ଥାନୀୟ ଚାଷୀ କେବେ ଉପକୃତ ହୋଇ ବର୍ଷକୁ ଦୁଇ ଥର ଚାଷ କରି ଅଧିକ ରୋଜଗାର କ୍ଷମ ହେବେ ତାହା ଦେଖିବାକୁ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe