ଖଣ୍ଡପଡ଼ା: ମାତ୍ର ୬ ମାସ ତଳେ ପ୍ରେମ ବିବାହ କରିଥିଲେ ଦମ୍ପତି। ତେବେ ଯେଉଁ ହାତରେ ସ୍ଵାମୀକୁ ବରଣ ମାଳା ପିନ୍ଧାଇଥିଲେ ସେଇ ହାତରେ ସ୍ବାମୀର ଜୀବନ ନେଇଛି ସ୍ତ୍ରୀ। ନିଜ ମଥାର ସିନ୍ଦୂର ପୋଛିଲା ନିଜେ ସ୍ତ୍ରୀ। ଖଣ୍ଡପଡ଼ା ବ୍ଲକ ଖଳିସାହି ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି। ଖଳିସାହି ପଞ୍ଚାୟତ ଅଧୀନ ବାସୁଦେବପୁର ଗ୍ରାମରେ ସ୍ଵାମୀକୁ ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ସ୍ତ୍ରୀକୁ ଥାନାକୁ ଉଠାଇ ଆଣି ତଦନ୍ତ କରାଯାଉଥିବା ସୂଚନା ମିଳିଛି।

Advertisment

ମୃତ ଯୁବକ ବାପୁନୀ କୁମାର ମହାପାତ୍ର (୩୫)ଙ୍କ ବାପା ମଧୁସୂଦନ ମହାପାତ୍ର ସ୍ଥାନୀୟ ଥାନାରେ କରିଥିବା ଏତଲା ଅନୁଯାୟୀ ଅନୁଗୁଳ ସ୍ଥିତ ଓଡିଶା ସ୍କିଲ ଡେଭଲପମେଣ୍ଟ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବାପୁନୀ। ଗତ ୬ ମାସ ତଳେ ଜଟଣୀ ଅଞ୍ଚଳର ଲକି ନାୟକ(୩୨)ଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଶୁକ୍ରବାର ରାତି ପ୍ରାୟ ଗୋଟାଏରେ ବୋହୂ ଲକି ନାୟକ ପୁଅ ଅସୁସ୍ଥ ହୋଇପଡିଥିବା ନେଇ ଫୋନ ଯୋଗେ ଖବର ଦେଇଥିଲେ। ଏକ ଦଶାହ କାର୍ଯ୍ୟରେ ବାହାରେ ଥିବା ମଧୁସୂଦନ ନିଜର ସମ୍ପର୍କୀୟଙ୍କ ସହିତ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ନେଇ ସୂଚନା ପାଇଥିଲେ। ମଧୁସୂଦନ ତାଙ୍କ ପୁଅକୁ ବୋହୂ ଲକି ନାୟକ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ:Reaction PCC President Mokim: ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି, ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ଲକି ନାୟକ ଥାନାରେ ଅଟକ

 ଗତ ୬ ମାସ ତଳେ ଉଭୟଙ୍କର ବିବାହ ହୋଇଥିବା ବେଳେ ଅଧିକାଂଶ ସମୟ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏପରିକି ପୁଅକୁ ମାନସିକ ଭାବେ ନିର୍ଯାତନା ଦେଉଥିବା ବୋହୂ ଜୀବନରୁ ମାରିଦେବା ନେଇ ଏକାଧିକ ଥର ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମଧୁସୂଦନ। ରାତିରେ ଘରେ କେହି ନଥିବା ଅବସ୍ଥାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ମଧୁସୂଦନ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ସ୍ଥାନୀୟ ପୁଲିସ ବୋହୂ ଲକି ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Brain Stents: ଷ୍ଟ୍ରୋକ୍‌ର ଚିକିତ୍ସା ପାଇଁ ମସ୍ତିଷ୍କ ଷ୍ଟେଣ୍ଟ୍ ବ୍ୟବହାର କରିବ AIIMS: ପ୍ରଥମ କ୍ଲିନିକାଲ୍ ପରୀକ୍ଷଣ ସଫଳ

ଅନ୍ୟପକ୍ଷରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ସୂଚନା ମିଳିଛି। ସନ୍ଧ୍ୟାରେ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।