ପତ୍ନୀହନ୍ତାକୁ ଆଜୀବନ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା

ଅଧିକ ଯୌତୁକ ଦାବି କରି ବିବାହର ୧୪ ବର୍ଷ ପରେ ନିଜ ପତ୍ନୀକୁ ଶାବଳରେ ପିଟି ହତ୍ୟା କରିଥିବା ଧାମନଗର ଥାନା କଲ୍ୟାଣୀ ଗ୍ରାମର ବୀରେନ୍ଦ୍ର ଜେନାଙ୍କ ପୁତ୍ର ଅଜିତ ଜେନାକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି।

court

ଭଦ୍ରକ: ଅଧିକ ଯୌତୁକ ଦାବି କରି ବିବାହର ୧୪ ବର୍ଷ ପରେ ନିଜ ପତ୍ନୀକୁ ଶାବଳରେ ପିଟି ହତ୍ୟା କରିଥିବା ଧାମନଗର ଥାନା କଲ୍ୟାଣୀ ଗ୍ରାମର ବୀରେନ୍ଦ୍ର ଜେନାଙ୍କ ପୁତ୍ର ଅଜିତ ଜେନାଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୨ ମାସ ସଶ୍ରମ ଜେଲ୍‌, ୪୯୮(କ) ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୧ ମାସ ଜେଲ୍‌, ଯୌତୁକ ନିରୋଧ ଆଇନର ଧାରା ୪ ଅନୁଯାୟୀ ୧ ବର୍ଷ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଶ୍ରୀ ପ୍ରଭାତ ରଞ୍ଜନ ରାୟଗୁରୁ। ତେବେ ସମସ୍ତ ଦଣ୍ଡାଦେଶ ଏକ ସାଥିରେ ଚାଲିବାକୁ ଆଦେଶ ଥିବାରୁ ଅଭିଯୁକ୍ତ ସ୍ଵାମୀ ଆଜୀବନ ଜେଲ୍‌ ଚାରିକାନ୍ଥ ମଧ୍ୟରେ ଜୀବନ ବିତେଇବ।

ଘଟଣାରୁ ପ୍ରକାଶ ଯେ ଧାମନଗର ଥାନା ଅନ୍ତର୍ଗତ ବନ୍ଧଟିଆ ଗ୍ରାମର ଯୋଗେନ୍ଦ୍ର ଜେନାଙ୍କ କନ୍ୟା ଆରତୀ ପ୍ରାୟ ୧୪ ବର୍ଷ ତଳେ ଯାଜପୁର ଜିଲ୍ଲାର ମଙ୍ଗଳପୁର ଅଞ୍ଚଳର ଅଭିଯୁକ୍ତ ଅଜିତକୁ ବିବାହ କରିଥିଲା। ବିବାହ ବେଳେ ସେ ବର ଘର ପକ୍ଷରୁ ଦାବି ମୁତାବକ ୨୦ହଜାର ଟଙ୍କା, ପରେ ପୁଣି ୩୦ ହଜାର ଟଙ୍କା ଦେବା ପରେ ବି ଅଜିତ ପୁଣି ଏକ ମୋଟର ସାଇକେଲ ଯୌତୁକ ଦାବି କରିଥିଲା। ମାତ୍ର ନଗଦ ଟଙ୍କା ନ ଥିବାରୁ ଅଜିତ ଫାଇନାନ୍ସରେ ଏକ ବାଇକ୍‌ ଆଣିଥିଲା, ଯାହାର କିସ୍ତି ମଧ୍ୟ ସେ ଦେଇଥିଲେ। ଉଭୟଙ୍କର ୨ ଗୋଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି।

ଦୋଷୀ ସାବ୍ୟସ୍ତ ଅଜିତର ପୈତୃକ ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ଅଞ୍ଚଳର ହୋଇ ଥିଲେ ବି ବିବାହର ୪ ମାସ ପରେ ନିଜର ପିଉସୀ ଘର କଲ୍ୟାଣୀ ଗ୍ରାମକୁ ଉଠି ଆସି ରହିଥିଲା। ୨୦୧୭ ମସିହା ଅଗଷ୍ଟ ମାସ ୧୬ ତାରିଖରେ ଯୋଗେନ୍ଦ୍ର ଖବର ପାଇଲେ ତାଙ୍କ କନ୍ୟା ଆରତୀକୁ ତାର ସ୍ଵାମୀ ଅଜିତ ଶାବଳରେ ପିଟି ମୁଣ୍ଡ ଫଟାଇ ଦେଇ ସଜ୍ଞାହୀନ କରି ଦେଇଥିଲା। ପଡୋଶୀମାନେ ତାକୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସରେ ନେଇ ଆସିବା ପରେ ତାର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଇଥିଲା, ମାତ୍ର ସେଠାରେ ଡାକ୍ତର ଆରତିଙ୍କୁ ମୃତ ଘୋଷଣା କରିଥିଲେ। 

ଯୋଗେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଧାମନଗର ଥାନା କେସ ନଂ- ୧୮୪ ଦଫା- ୩୦୨,୪୯୮ (କ)  ଓ ଯୌତୁକ ନିରୋଧ ଆଇନର ଧାରା ୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇ ଥିଲା। ପୁଲିସ ଅଜିତକୁ ଗିରଫ କରି ଜେଲ ପଠାଇ ଦେଇଥିଲା, ଯାହାକି ଅତିରିକ୍ତ ଜିଲ୍ଲା ଜଜଙ୍କ ଆଲତରେ ଏସ.ଟି.କେସ ନଂ – ୨୫୧/୨୦୧୭ ହୋଇ ବିଚାରାଧୀନ ଥିଲା। ଆଜି ମାନ୍ୟବର କୋର୍ଟ ଏହି ରାୟ ପ୍ରାକାଶ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅରୁଣ ମିଶ୍ର, ସୂର୍ଯ୍ୟକାନ୍ତ କୁଆଁର ମାମଲା ପରିଚାଳନା କରୁଥିଲେ।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe