ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପତ୍ନୀ-ଝିଅ-ପୁଅ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୀନତି ଦାସଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ପୂର୍ବତନ ବିଧାୟକ ତଥା ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।

ଭୁବନେଶ୍ବର/ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବାର ଆଶା ଦେଖାଯାଉଛି। କ୍ରାଇମ୍‌ ବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହୋଇଥିବା ବେଳେ ସ୍ବର୍ଗତଃ ନବ ଦାସଙ୍କ ପତ୍ନୀ ମୀନତି ଦାସ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଓ ମୀନତି ଦାସଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ପୂର୍ବତନ ବିଧାୟକ ତଥା ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ହତ୍ୟା ମାମଲାର ଦୁଇ ବର୍ଷ ପରେ ନବ ଦାସଙ୍କ ପରିବାର ଲୋକେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାରୁ ଘଟଣାର ତଦନ୍ତ ନେଇ ରାଜ୍ୟବାସୀ ଅନେକ ଆଶା ରଖିଛନ୍ତି। 

୨୦୨୩ ଫେବ୍ରୁଆରି ୧୧ ତାରିଖରେ ନବ ଦାସଙ୍କ ପତ୍ନୀ ମୀନତି ଦାସ କ୍ରାଇମ୍ ବ୍ରାଞ୍ଚ ଆଗରେ କହିଥିଲେ ଯେ, ମୁଁ ସମ୍ବଲପୁରରେ ଥିବା ଆମର ବ୍ୟବସାୟ କଥା ବୁଝାବୁଝି କରୁଛି। ଏଥି ପାଇଁ ମୁଁ ସମ୍ବଲପୁରରେ ରହୁଛି। ଏତଦ୍ ବ୍ୟତୀତ ସରବାହାଲସ୍ଥିତ ଘରକୁ ଆସିକି ମାସରେ ୪/୫ ଦିନ ରହେ। ୨୦୨୩ ଜାନୁଆରି ୨୯ ତାରିଖରେ ଟିଭି ଦେଖି ଜାଣିଲି ଯେ, ମୋର ସ୍ବାମୀଙ୍କୁ ବ୍ରଜରାଜନଗର ମ୍ୟୁନିସିପାଲିଟିର ଚ୍ୟାରମ୍ୟାନ୍ ଓ ଭାଇସ୍ ଚ୍ୟାରମ୍ୟାନ୍‌ଙ୍କର ଅଫିସ ରୁମ୍‌ର ଉଦ୍‌ଘାଟନ ପାଇଁ ଯିବା ସମୟରେ କେହି ଜଣେ ବ୍ୟକ୍ତି ଗୁଳି କରିଦେଇଛି। ପରେ ଜାଣିବାକୁ ପାଇଲି ଯେ, ମୋର ସ୍ବାମୀଙ୍କୁ ଗାନ୍ଧୀ ଛକ ଫାଣ୍ଡି ଏଏସ୍ଆଇ ଗୋପାଳ ଦାସ ଗୁଳି କରିଛି। ମୁଁ ସଙ୍ଗେସଙ୍ଗେ ଝାରସୁଗୁଡ଼ା ଡାକ୍ତରଖାନାକୁ ଆସିଥିଲି। ସେଠାରୁ ମୋର ସ୍ବାମୀଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି। ମୋର ସ୍ବାମୀଙ୍କୁ ଯୋଜନାଭିତ୍ତିକ ହତ୍ୟା କରାଯାଇଛି। କାରଣ ଏହାର ଆଗରୁ ମୋତେ ମୋର ସ୍ବାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ। 

ସୂଚନାଯୋଗ୍ୟ, ନବଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରାଉଚୁରା ଜାରି ରଖିଛି। ସିବିଆଇ ତଦନ୍ତ ପାଇଁ ବିଶାଳ ଦାସ ଦାବି କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବ ଦାସଙ୍କ ପତ୍ନୀ ମିନତି ଦାସ ଗତ ୧୧ ତାରିଖରେ ଇ-ମେଲ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ। 

publive-image

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ମିଳୁ ନଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟ କୁଆଡ଼େ ଗଲା ତାହା ଜଣାପଡୁ ନାହିଁ। ନବ ଦାସଙ୍କ ଇସିଜି କାହିଁକି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯାଇନାହିଁ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଆଜି ନବ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୭ ଘଣ୍ଟା ଧରି ବୟାନ ରେକର୍ଡ କରିଥିଲା। ଏହାପରେ ନବଙ୍କ ପୁଅ ବିଶାଳ ଦାସ କହିଥିଲେ, ସିବିଆଇ ତଦନ୍ତ ପାଇଁ ଚିଠି ପ୍ରସ୍ତୁତ ହୋଇ ରହିଛି। ଦୀର୍ଘ ଦୁଇବର୍ଷ ପରେ ବି ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଥିଲେ ବି ଲିଖିତ ଆକାରରେ ଜଣାଇବାକୁ ସରକାର କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe