ମଦ୍ୟପାନ ଯୋଗୁ ପ୍ରତିଦିନ ଅନେକ ଘର ଭାଙ୍ଗୁଥିବା, ବହୁ ସ୍ତ୍ରୀ ବିଧବା ହେଉଥିବା, ଅନେକ ଶିଶୁ ଅନାଥ ହେଉଥିବା, ସଡ଼କ ଦୁର୍ଘଟଣା ଘଟୁଥିବା ଓ ବଜାରଘାଟରେ ଗଣ୍ଡଗୋଳ ଘଟୁଥିବା ଖବର ଅମେ ପ୍ରତିଦିନ ଖବରକାଗଜରେ ପଢ଼ୁଛୁ। କିନ୍ତୁ ସରକାର ମଦ ନିଷିଦ୍ଧ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନେକ ବର୍ଷ ତଳେ ସାହସିକ ପଦକ୍ଷେପ ନେଇ ରାଜ୍ୟରେ ମଦ ନିଷିଦ୍ଧ କରିଥିଲେ ମଧ୍ୟ ଲୋକେ ପଡ଼ୋଶୀ ରାଜ୍ୟରୁ ଚଢ଼ା ଦାମ୍ ଦେଇ ଚୋରାରେ ମଦ କିଣି ପିଉଛନ୍ତି। ପଡ଼ୋଶୀ ରାଜ୍ୟମାନେ ବି ଯଦି ସମାନ ପଦକ୍ଷେପ ନିଅନ୍ତେ ତେବେ ଏ ସମସ୍ୟା ରହନ୍ତା ନାହିଁ। ମଦ ପିଇଲେ ସେ ପର୍ଯ୍ୟନ୍ତ ଠିକ୍ ଥାଏ, ଯେପର୍ଯ୍ୟନ୍ତ ମଦ ଆପଣଙ୍କୁ ପିଇନାହିଁ। ମଦ ଯେତେବେଳେ ମଣିଷକୁ କବଳିତ କରିବସେ ସେତେବେଳେ ତା’ର ନିଜତ୍ବ ରହେ ନାହିଁ। ମଦ ମଣିଷର ଜ୍ଞାନ, ବୁଦ୍ଧି ଓ ବିଚାରକ୍ଷମତାକୁ ନଷ୍ଟ କରିଦିଏ। ସେଥିପାଇଁ ମଦ ପିଇବାକୁ ମହାପାପ ଭାବରେ ଗଣାଯାଏ।
ଏକଦା ମହାକବି କାଳିଦାସ ବିଦ୍ୟାନଗରୀର ଏକ ବଜାରରେ ଭ୍ରମଣ କରୁଥିଲେ। ଦେଖିଲେ ଗୋଟିଏ ଶୁଣ୍ଡୀ ବୁଢ଼ୀ କୋଳରେ ଗୋଟିଏ କଳସୀ କାଖେଇ ଯାଉଛି। କବିଙ୍କୁ ଦେଖି ବୁଢ଼ୀ ନିଜ ଲୁଗା କାନିରେ କଳସୀକୁ ଘୋଡ଼େଇ ଦେଲା। କାଳିଦାସ ପଚାରିଲେ- ‘‘କମସ୍ତି କରକେ ତବ?’’ ଅର୍ଥାତ୍ ତୁମ କୋଳରେ କ’ଣ ଅଛି? ବୁଢ଼ୀ ଉତ୍ତର ଦେଲା-
‘‘ମଦଃ ପ୍ରମାଦଃ କଳହଶ୍ଚ ନିଦ୍ରା ବୁଦ୍ଧିକ୍ଷୟୋ ଧର୍ମବିପର୍ଯ୍ୟୟଶ୍ଚ।
ସୁଖସ୍ୟ କନ୍ଥା ନରକସ୍ୟ ପନ୍ଥା ଅଷ୍ଟାବନର୍ଥାଃ କରକେ ବସନ୍ତି।।’’
ଅର୍ଥାତ୍ ମୋ କୋଳରେ ଆଠଗୋଟି ଅନର୍ଥ ଅଛି। ସେଗୁଡ଼ିକ ହେଲା- ମଦ (ଉନ୍ମାଦନା), ପ୍ରମାଦ (ବିପଦ), କଳହ, ନିଦ୍ରା, ବୁଦ୍ଧିକ୍ଷୟ, ଧର୍ମବିପର୍ଯ୍ୟୟ, ସୁଖର କନ୍ଥା (ସୁଖର ପଥରୋଧକ) ଓ ନରକର ପନ୍ଥା (ନରକର ମାର୍ଗଦର୍ଶକ)। ଏହି ଆଠଗୋଟି ଅନର୍ଥ ମୋ କୋଳରେ ଅଛି। ସିଧାସଳଖ ନ କହି ବୁଢ଼ୀ ପରୋକ୍ଷରେ କହିଲା, ମୁଁ କୋଳରେ ମଦପୂର୍ଣ୍ଣ କଳସୀଟିଏ ଧରିଛି। ବିଦ୍ୟାନଗରୀ କାଶୀରେ କେବେ ବି ବିଦ୍ୟାରେ ଜିତିପାରିବେ ନାହିଁ ବୋଲି ସରସ୍ବତୀଙ୍କ ଅଭିଶାପ ଥିବାରୁ, ସାମାନ୍ୟ ଶୁଣ୍ଢୀ ବୁଢ଼ୀ ପାଖରୁ ଏଭଳି ଜ୍ଞାନଗର୍ଭକ ଉତ୍ତର ଶୁଣି କାଳିଦାସ ଆଶ୍ଚର୍ଯ୍ୟ ହେଲେ।
କିନ୍ତୁ ସବୁ ସମୟ ପାଇଁ ବୁଢ଼ୀର ଉତ୍ତର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଜନଶିକ୍ଷା ପାଇଁ ଏଇ କଥାଟି ଘରେ ଘରେ ପହଞ୍ଚାଯିବା ଦରକାର। ମଦ ମଣିଷର କୌଣସି ଉପକାର କରେ ନାହିଁ। ଏହା ଅଯଥା ମଦ ବା ଉନ୍ମାଦନା ସୃଷ୍ଟି କରେ। ଅସଂଯତ ଚଳଣି ଯୋଗୁ ମଣିଷର ଉତ୍ତେଜନା ବା ଷ୍ଟିମୁଲି ଗୋଟିଏ ପାହାଚ ହ୍ରାସ ପାଇଲେ ତାହାକୁ ପୁଣି ପୂର୍ବ ସ୍ତରକୁ ଆଣିବା ପାଇଁ ମଣିଷ ମଦର ସାହାରା ନିଏ। କିନ୍ତୁ ଯେତେବେଳେ ନିଶା ଖସେ ସେତେବେଳେ ସେହି ଷ୍ଟିମୁଲି ଦୁଇ ପାହାଚ ତଳକୁ ଖସିଯାଏ। ସେତେବେଳେ ମଣିଷ ପୁଣି ପୂର୍ବ ସ୍ତରକୁ ଫେରିବା ପାଇଁ ଦୁଇଗୁଣା ମଦ ଆବଶ୍ୟକ କରେ। ଏହିପରି ଭାବେ ତା’ର ମଦ ପିଇବା ପରିମାଣ ବଢ଼ିବଢ଼ି ଚାଲେ ଓ ସେ ଗୋଟିଏ ଘୋଡ଼ାମଦୁଆରେ ପରିଣତ ହୁଏ।
ପୁଣି ମଦ ମଣିଷକୁ ବାରମ୍ବାର ବିପଦରେ ପକାଏ। ଗୋଡ଼ ଟଳମଳ ହେବା ଓ ବୁଦ୍ଧିଭ୍ରଂଶ ହେବା ଯୋଗୁ ସେ ରାସ୍ତାକଡ଼ ନାଳନର୍ଦ୍ଦମା ବା ଖାଲଖମାରେ ପଡ଼ି ଲୋକହସାର ପାତ୍ର ହୁଏ। ବେଳେବେଳେ ମୃତ୍ୟୁମୁଖରେ ପଡ଼େ। ମଦ ପିଇବା କାରଣରୁ ତା’ର ନିଜର ସ୍ତ୍ରୀ, ବାପାମାଆ, ବନ୍ଧୁବାନ୍ଧବ, ବଜାରର ବିକ୍ରେତା ବା ଦୋକାନୀ ଓ ବାହାର ଲୋକଙ୍କ ସହ ଅନେକ ସମୟରେ କଳହ ବା ଝଗଡ଼ା ହୁଏ। ସେ ସେମାନଙ୍କ ଘୃଣାର ପାତ୍ର ବି ହୁଏ। ମଦ ପୁଣି ଅଯଥା ନିଦ୍ରାରୋଗ ସୃଷ୍ଟି କରେ। ତେଣୁ ସେ ତା’ର ଜୀବିକା ନିର୍ବାହ ଠିକ୍ଭାବେ କରିପାରେ ନାହିଁ। ମଦ ପିଇବା ପାଇଁ ପଇସା ଅଭାବରୁ ନିଜ ଘରୁ ଓ ପରଘରୁ ଚୋରି କରେ ବା ଜୁଆ ଖେଳେ। ମଦ୍ୟପ କେବେହେଲେ ଠିକ୍ଭାବେ ତା’ର ଗୃହସ୍ଥ ଧର୍ମ ପାଳନ କରିପାରେ ନାହିଁ। ତେଣୁ ଧର୍ମ ବିପର୍ଯ୍ୟୟ ହୁଏ। କ୍ଷଣକ ସୁଖ ପାଇଁ ସେ ଯେଉଁ ମଦ୍ୟପାନ କରେ ତାହା ତା’ ପାଇଁ ଚିରଦୁଃଖର କାରଣ ହୁଏ। ମଦ୍ୟପାନ ମହାପାପ ବୋଲି ମନୁସଂହିତା ଓ ଅନ୍ୟ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବାରୁ ଏବଂ ଜୀବନସାରା ସେ ଧର୍ମବିରୋଧୀ ଚଳନରେ ଚାଲିଥିବାରୁ ମଦ୍ୟପାନକାରୀକୁ ମୃତ୍ୟୁ ପରେ ସ୍ବର୍ଗ ନୁହେଁ ନର୍କରେ ହିଁ ସ୍ଥାନ ମିଳେ।
ଯେଉଁମାନେ ମଦନିଶାର କବଳରେ ପଡ଼ିନାହାନ୍ତି, ସେମାନେ ସାମାନ୍ୟ କାରଣରେ ତାକୁ କେବେହେଲେ ଆପଣାଇବା ଉଚିତ ନୁହେଁ। ଯେଉଁମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି ଓ ଛାଡ଼ିପାରୁ ନାହାନ୍ତି, ସେମାନେ ଗୋଟିଏ ଉପାୟ କଲେ ତାହା ସହଜରେ ଛାଡ଼ିପାରିବେ। କେବଳ ଦରକାର ଇଚ୍ଛାଶକ୍ତି। ସଲ୍ଫର-୨୦୦ ବୋଲି ଗୋଟିଏ ହୋମିଓପାଥିକ୍ ଔଷଧ ସବୁ ହୋମିଓପାଥିକ୍ ଷ୍ଟୋର୍ରେ ମିଳୁଛି। ଏଥିରୁ ଦୁଇତିନି ବୁନ୍ଦା ସବୁଦିନ ସକାଳେ ଖାଲିପେଟରେ ସେବନ କରନ୍ତୁ। କିଛିଦିନ ପରେ ମଦନିଶା ଆପେଆପେ ଛାଡ଼ି ହୋଇଯିବ। ଆଉ ଗୋଟିଏ ଉପାୟ ଅଛି। ଆମ ରୋଷେଇଘରେ ଥିବା ଅଦାରେ ସଲ୍ଫର ଥାଏ। କିଛି ଅଦାରୁ ଚୋପା ଛଡ଼େଇ ଛୋଟ ଛୋଟ କରି କାଟି ଖରାରେ ସୈନ୍ଧବ ଲୁଣ ଦେଇ ଶୁଖାଇଦିଅନ୍ତୁ। ଗୋଟିଏ ଛୋଟ ଡବାରେ ପୂରାଇ ତାକୁ ପକେଟ୍ରେ ଧରି ବୁଲନ୍ତୁ। ଯେତେବେଳେ ବିଡ଼ି, ସିଗାରେଟ୍ କି ମଦ, ଗଞ୍ଜେଇ ଖାଇବାର ଇଚ୍ଛା ହେବ, ସେତେବେଳେ ସେଥିରୁ ଖଣ୍ଡେ ପାଟିରେ ପକାଇ ଚୋବାଇ ତା’ର ରସ ଢୋକନ୍ତୁ। ଏହିପରି କରିବା ଭିତରଦେଇ ମଦ ପିଇବାର ନିର୍ଦ୍ଦିଷ୍ଟ ସମୟ ଗଡ଼ିଗଲେ ଆଉ ତାହା ପିଇବାକୁ ଇଚ୍ଛା ହେବ ନାହିଁ। ସମୟ ଗଡ଼ାଇବା ପାଇଁ ଅନ୍ୟ ଉପାୟ ବି କରିପାରିବେ। କୌଣସି ଆଗ୍ରହଜନକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ବି ସମୟ ଗଡ଼ାଇପାରିବେ। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ବିନା ମଦ ଛାଡ଼ିବା ସମ୍ଭବ ନୁହେଁ।
Wine
-ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି,
ମୋବାଇଲ: ୭୦୦୮୯୬୦୫୦୨
Follow Us