ପାରଳାଖେମୁଣ୍ଡି: କିଛି ମାସ ହେବ ଗଜପତି ଜିଲ୍ଲାର କିଛି ଥାନାରେ ଏଭଳି କାର୍ଯ୍ୟ ହେଉଛି ସାଧାରଣ ଲୋକଟିଏ ଅଭିଯୋଗ କରିବା ପାଇଁ ଡରୁଥିବା ବେଳେ ପୁଲିସର ଆଚରଣ ଉପରେ ବିଶ୍ୱାସ କରିପାରୁ ନାହାନ୍ତି ଜନସାଧାରଣ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନାରେ।  ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଗୁରାଣ୍ଡି ଥାନା ଅଧିକାରୀଙ୍କ ନାମରେ ଦୁର୍ବ୍ୟବହାର, ଅସଦାଚରଣ  ଭଳି ସଙ୍ଗିନ ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା।

Advertisment

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଚାଲିଥିବା  ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନ୍ୟାୟ ନପାଇ ଆତ୍ମହତ୍ୟା ଭଳି ଉଦ୍ୟମ କରିଥିଲେ ମହିଳା । ଗୁରାଣ୍ଡି ଥାନା ଅଧିକାରୀ ନ୍ୟାୟ ଦେବା ବଦଳେ ଅଶ୍ଳୀଳ ଇଙ୍ଗିତ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ ପୀଡ଼ିତା।

ଆଜିର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର ମନାସ ଜେନା (୪୦) ନାମକ ଜଣେ ମହିଳା ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା, ମହିଳାଙ୍କ ସ୍ୱାମୀଙ୍କୁ ଅକାମୀ କହିବା, ଦୁର୍ବ୍ୟବହାର ଓ ଅପଶବ୍ଦ କହୁଥିବା ଅଭିଯୋଗ ହୋଇଛି । ଏନେଇ ମନାସ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ବିଗତ ୨୦୨୨ ଓ ୨୦୨୪ ମସିହାରେ ପୃଥକ ଭାବେ ତାଙ୍କ ଗ୍ରାମର ପ୍ରଶାନ୍ତ ଧଳ, ହାରା ଧଳ ଓ ଜଗଦୀଶ ଧଳ ସମସ୍ତେ ଗୋଟିଏ ପରିବାର ଲୋକେ ନିଜର ସମସ୍ୟା ଜଣାଇ ମୋ ଠାରୁ ଦୁଇଟି କିସ୍ତିରେ ୩ ଲକ୍ଷ ୭୭ ହଜାର ଟଙ୍କା ଧାର କରଜ ଆକାରରେ ନେଇଥିଲେ। ଯାହାକି ଦସ୍ତାବିଜ ମାଧ୍ୟମରେ ଲେଖାପଢା ହୋଇଥିଲା। ସେତେବେଳେ ଧଳ ପରିବାର ଲୋକେ ଓ ଗ୍ରାମର ଅନ୍ୟ କିଛି ଭଦ୍ରବ୍ୟକ୍ତି ସାକ୍ଷୀ ଭାବେ ଦସ୍ତଖତ ମଧ୍ୟ କରିଥିଲେ। ଗତ ବର୍ଷ ପ୍ରଶାନ୍ତ ଧଳ ସାପ କାମୁଡାରେ ମୃତ୍ୟୁବରଣ କରିଥିଲେ। ଏହାର ତିନି ଚାରି ମାସ ପରେ ତାଙ୍କ ପରିବାରଙ୍କୁ ମୋଠାରୁ ନେଇଥିବା ଟଙ୍କା ଫେରସ୍ତ କରିବା ପାଇଁ ଗୁହାରି କରିଥିଲି  ଏବଂ ସେମାନେ ମଧ୍ୟ ଟଙ୍କା ଫେରସ୍ତ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ଗୋଟିଏ ଥର ୧୦ ହଜାର ଟଙ୍କା ଫେରାଇଛନ୍ତି। ଏହାପରେ ସେମାନେ ଆଉ ଧରାଛୁଆଁ ଦେଇନଥିଲେ।  ମୁଁ ବାରମ୍ବାର ଟଙ୍କା  ମାଗିବାରୁ ମୋତେ ଗାଳିଗୁଲଜ ସହ ମାରପିଟ କରିଥିଲେ। ଏନେଇ ସେତେବେଳେ ଗୁରାଣ୍ଡି ଥାନାର ଦ୍ୱାରସ୍ଥ ହୋଇଥିଲି ଏବଂ ତତ୍କାଳୀନ ପୁଲିସ ବାବୁମାନେ ତଦନ୍ତ ଜାରି ରଖିଥିଲେ । ଏନେଇ ବାରମ୍ବାର ଥାନାକୁ ଯାଇ ଗୁହାରି ଓ ନେହୁରା ହେଉଥିଲି ।

ଆହୁରି ପଢ଼ନ୍ତୁ: KIIT Dead Body Student ‘କିଟ୍‌’ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ରାତ୍ରିଯାପନ କରିବା ଲାଗି ବାଧ୍ୟ କରୁଥିଲେ ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର

ଇତି ମଧ୍ୟରେ ସେତେବେଳର ଅଧିକାରୀମାନଙ୍କ ବଦଳି ପରେ ଓମ୍ ନାରାୟଣ ପାତ୍ର ଗୁରାଣ୍ଡି ଥାନାର ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ମଧ୍ୟ ମୁଁ ଥାନାକୁ ଯାଇ ପଚରାଉଚରା କରିଆସୁଥିଲି ।  ଏପରି ଦୁଇ ଚାରିଥର ଗଲାପରେ ଥାନା ଅଧିକାରୀ ମହାଶୟ ନାନାଦି ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ବାରମ୍ବାର ନାନାଦି କଥା କହି ଆସୁଥିଲେ ମଧ୍ୟ ସହ୍ୟ କରି ଯାଉଥିଲି । ତାପରେ ବିତଣ୍ଡା କଥାବାର୍ତ୍ତା ହେବା ସହ ରାତ୍ରିଯାପନ କରିବା , ଲଡ୍ଜ ବୁକ କରିବା ଆଦି କଥା କହିବାରୁ ମୁଁ ଆଉ ସହ୍ୟ କରିନପାରି ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଛି । ଏଠି ବି ମୋ କଥାକୁ କେହି ଗୁରୁତର ସହ ନେଇନଥିଲେ।  ତେଣୁ ନ୍ୟାୟ ନ ମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ ଆତ୍ମହତ୍ୟା କରିବି ବୋଲି କହି ଝରକାରେ ନିଜ ଶାଢୀର ପଣତକାନି ଗୁଡାଇ ଦେଇ ଆତ୍ମହତ୍ୟ ପାଇଁ ଉଦ୍ୟମ କରିଥିଲେ । ଠିକ୍ ସେହି  ସମୟରେ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ମହିଳା ଜଣକ ଏପରି କରୁଥିବାର ଦେଖି ଆସି  ନିବୃତ ହେବାକୁ କହି ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ  ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଅନ୍ୟ ପକ୍ଷରେ ମନାସ ଜେନା କହିଛନ୍ତି, ମୁଁ ଅସହାୟ ଜୀବନ ବିତାଉଛି । ସ୍ବାମୀ ଥାଇ ନଥିବା ସଙ୍ଗେ ସମାନ ଏବଂ ମୋର ପିଲାଛୁଆ କେହି ନାହାନ୍ତି । ମୋତେ ମୋର ପିତାମାତା ଯୌତୁକରେ ଦେଇଥିବା ଟଙ୍କାକୁ ସାଇତି  ରଖିଥିଲି ,  ଯାହା ଧଳପରିବାରଙ୍କୁ ଧାର କରଜ ଆକାରରେ ଦେଇଛି । ଗୋଟିଏ ପଟେ ଧାରକରଜ ଟଙ୍କା ନ ପାଇ ନ୍ୟାୟ ଭିକ୍ଷା କରୁ କରୁ ଥାନା ଅଧିକାରୀଙ୍କ ଏପରି ବ୍ୟବହାରକୁ ନେଇ ମୁଁ ଗଭୀର ଚିନ୍ତିତ ଓ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛି । ତେଣୁ ସମସ୍ତ ଘଟଣାର ତଦନ୍ତ କରି ମୋତେ ଜିଲ୍ଲାପାଳ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କହିଛନ୍ତି । ପୁଲିସର କାର୍ଯ୍ୟଶୈଳୀ ଏବଂ ଆଚରଣକୁ ନେଇ ଜିଲ୍ଲାର କିଛି ଥାନା ଏବଂ ଥାନାଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହିପରି ଘଟଣା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପାଇଛି।