Woman waiting for justice Photograph: (Sambad.in )
ସୁନ୍ଦରଗଡ଼: ଖଣିରେ ଭିଟାମାଟି, ଘର ଓ ଜମି ହରାଇଲେ ଜଣେ। କିନ୍ତୁ ଜାଲିଆତି କରି କ୍ଷତିପୂରଣ ରାଶି ନେଇଗଲା ଅନ୍ୟ ଜଣେ। ୨ ଜଣଙ୍କ ନାମ ସମାନ ଥିବାରୁ କିଛି ଦଲାଲ ଚକ୍ରାନ୍ତ କରି ଅନ୍ୟ ଜଣଙ୍କ ନାମରେ ଅତି ଚତୁରତାର ସହ ୭୩.୮୪ ଲକ୍ଷ ଟଙ୍କା ଉଠାଇ ନେଇଗଲେ। ଆଉ ଏପଟେ ଜମି ଓ କ୍ଷତିପୂରଣ ରାଶି ହରାଇ ଏକ ପ୍ରକାର ଦାଣ୍ଡକୁ ଚାଲି ଆସିଥିବା ଖଣି ବିସ୍ଥାପିତ ୧୨ ବର୍ଷ ହେଲା ସରକାରୀ ଦପ୍ତରରେ ମୁଣ୍ଡ ପିଟି ଚାଲିଛନ୍ତି। ହେଲେ ଏଯାଏ ତାଙ୍କ ଲୁଟ୍ କ୍ଷତିପୂରଣ ରାଶି ଫେରି ପାଇ ନାହାନ୍ତି।
ପ୍ରଶାସନ ବି ଅସହାୟ ବିସ୍ଥାପିତଙ୍କ ଦୁଃଖକୁ ନଜରଅନ୍ଦାଜ କରି ଦେଇଛି। ସବୁଆଡ଼ୁ ନିରାଶ ହେବା ପରେ ଗୁରୁବାର ସୁନ୍ଦରଗଡ଼ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଜମି ହରା ଜଣକ ହେଲେ ହେମଗିର ବ୍ଲକ୍ ଜାମକାନିର ଦିଲମତି କାୱର। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୨ରେ ଭୂଷଣ କମ୍ପାନିକୁ ଆବଣ୍ଟିତ ଜାମକାନି କୋଇଲା ଖଣି ପାଇଁ ଦିଲମତି କାୱର ପିତା- ଡୋକରି କାୱରଙ୍କ ଖାତା ନଂ-୩୨ର ୧୯.୮୪ ଏକର ଜମି ଅଧିଗ୍ରହଣ କରି ନିଆଗଲା। ସେ ବାବଦକୁ ପ୍ରଥମ କିସ୍ତି ସ୍ବରୂପ ସୁନ୍ଦରଗଡ଼ ଭୂ-ଅର୍ଜନ କାର୍ଯ୍ୟାଳୟରୁ ୫୬ ଲକ୍ଷ ୭ ହଜାର ୪୨୬ ଟଙ୍କା ପାଇଥିଲେ। କିନ୍ତୁ ଚାକିରି ବାବଦରେ ସ୍ଥିର ହୋଇଥିବା ୯ ଲକ୍ଷ ୧୬ ହଜାର ଟଙ୍କା, ଏକ୍ସଗ୍ରାସିଆ ରାଶି ୫୨ ଲକ୍ଷ ୬୮ ହଜାର ଟଙ୍କା, ଓ ଥଇଥାନ ଘର ବାବଦକୁ ୧୨ ଲକ୍ଷ ଟଙ୍କା ତାଙ୍କୁ ଦିଆଗଲା ନାହିଁ। ସେ ଦିନ କେତେ ଅପେକ୍ଷା କରିବା ପରେ ସେ ସମୟରେ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ କ୍ଷତିପୂରଣ ରାଶି କଥା ପଚାରି ବୁଝିଥିଲେ।
ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଉକ୍ତ ରାଶି ନିକଟ ମେଣ୍ଡ୍ରା ଗାଁର ତିଲକରାମ କୁଅଁରଙ୍କ ପତ୍ନୀ ଦିଲମତୀ କୁଅଁରଙ୍କ ଖାତାକୁ ଯାଇଛି। ଏହା ପରେ ଜମିହରା ଦିଲମତୀ ଭୂ-ଅର୍ଜନ ଅଧିକାରୀଙ୍କଠାରୁ ଜିଲ୍ଲାପାଳଙ୍କ ଯାଏଁ ଚଞ୍ଚକତା କରି ତାଙ୍କ କ୍ଷତିପୂରଣ ରାଶି ଅନ୍ୟ ଜଣେ ନେଇ ଯାଇଥିବା ଅଭିଯୋଗ କରିଥିଲେ।
ବାରମ୍ବାର ଅଭିଯୋଗ ଓ ଟଙ୍କା ଫେରସ୍ତ ପାଇଁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିଲେ ନାହିଁ। ଏହା ମଧ୍ୟରେ ୧୨ ବର୍ଷ ବିତିଯାଇଛି। ଏବେ ବି ସେ ନ୍ୟାୟ ପାଇଁ ଏ ଦପ୍ତର, ସେ ଦପ୍ତର ଗୁହାରି କରି ଚାଲିଛନ୍ତି। ହେଲେ ଶୁଣୁଛି କିଏ। ରାଜସ୍ବ ମନ୍ତ୍ରୀ ସବୁ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି। ତେବେ ୧୨ ବର୍ଷ ହେଲା ଦୌଡ଼ୁଥିବା ବିସ୍ଥାପିତ ମହିଳାଙ୍କୁ ମନ୍ତ୍ରୀ କେବେ ନ୍ୟାୟ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
Follow Us