ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳିତ ହେବ। ଏହି କ୍ରମରେ ଶୁକ୍ରବାର ଦିନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ ହୋଇଯାଇଛି। ଭାରତୀୟ ଯୋଗ ସଂସ୍ଥାନ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି। ଯୋଗାଭ୍ୟାସ ମାଧ୍ୟମରେ ଶାରୀରିକ ଓ ମାନସିକ କଲ୍ୟାଣ ସାଧନ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଚଳିତ ବର୍ଷ ‘‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’’ ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ କରାଯିବ। ଏହା ସାମଗ୍ରିକ କଲ୍ୟାଣ ଏବଂ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଲାଗି ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ। ଏକ ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଲାଗି ଯୋଗକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିବା ଲାଗି ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱର ଲୋକମାନଙ୍କୁ ଉତ୍ସାହିତ କରିଥାଏ।
ଭୁବନେଶ୍ୱର ସିବିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସିର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ସିବିସି ଅଧିକାରୀ ଓ କର୍ମଚାରୀ ଏବଂ ଭାରତୀୟ ଯୋଗସଂସ୍ଥାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।
Bhubaneswar | Yoga