ବିଧବାଙ୍କୁ ନେଇ ତୀରମାଡ଼: ଗୁରୁତର ଭଉଣୀଜ୍ବାଇଁ ବୁର୍ଲା ସ୍ଥାନାନ୍ତର

ଦଶାହକର୍ମରେ ସମ୍ପର୍କୀୟଙ୍କ ଘରକୁ ଆସି ଜଣେ ଯୁବକ ତୀରମାଡ଼ର ଶିକାର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କଲୁଙ୍ଗା ଫାଣ୍ଡି ଅଧୀନ ବିରକେରା ଝରିଆଟୋଲା ଅଞ୍ଚଳରେ ଘଟିଯାଇଛି।

ଅଦ୍ୟତନ ହୋଇଛି
Young man injured

Young man injured in Sundargarh district Photograph: (sambad.in )

ରାଉରକେଲା: ଦଶାହକର୍ମରେ ସମ୍ପର୍କୀୟଙ୍କ ଘରକୁ ଆସି ଜଣେ ଯୁବକ ତୀରମାଡ଼ର ଶିକାର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କଲୁଙ୍ଗା ଫାଣ୍ଡି ଅଧୀନ ବିରକେରା ଝରିଆଟୋଲା ଅଞ୍ଚଳରେ ଘଟିଯାଇଛି। ଯୁବକ ଜଣକ ହେଲେ ସମ୍ବଲପୁର ବଡ଼ସିଂହାରୀ ଅଞ୍ଚଳର ନିତ୍ୟାନନ୍ଦ ରଣବିଡ଼ା(୨୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉର​କେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। 


ସୂଚନାନୁଯାୟୀ, କୁମୁଦିନୀ ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ୨୫ ତାରିଖ ଦିନ କୁମୁଦିନୀଙ୍କ ଭିଣୋଇର ଦଶାହକର୍ମରେ ଯୋଗଦେବାକୁ ବିରକେରା ଝରିଆଟୋଲା ଆସିଥିଲେ। ଦଶାହକର୍ମ ସରିବା ପରଦିନ ଅର୍ଥାତ୍‌ ୨୬ ତାରିଖରେ ବିର୍ସା କୁସୁମା ନାମକ ଜଣେ ଯୁବକ କୁମୁଦିନୀଙ୍କ ଭଉଣୀଘରେ ପହଞ୍ଚିଥିଲେ। ସେ କୁମୁଦିନୀଙ୍କ ବିଧବା ବଡ଼ଭଉଣୀଙ୍କୁ ନିଜସାଙ୍ଗରେ ରଖିବେ ବୋଲି ଘରଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭିଣୋଇଙ୍କ ବିୟୋଗକୁ ମାତ୍ର ୧୦ ଦିନ ବିତିଥିବାରୁ ଆଉ ଏକ ନୂଆ ସମ୍ପର୍କକୁ ଘରଲୋକ କଡ଼ା ବିରୋଧ କରିଥିଲେ। ଏମିତି କି ଭଉଣୀଜ୍ବାଇଁ ନିତ୍ୟାନନ୍ଦ ମଧ୍ୟ ସମ୍ପର୍କକୁ ବିରୋଧ କରିଥିଲେ। ସେଠାରେ ବିର୍ସା ଓ ନିତ୍ୟାନନ୍ଦଙ୍କ ମଧ୍ୟରେ ବଚସା ହେବା ସହ ଉଭୟ ପିଟାମରା ମଧ୍ୟ ହୋଇଥିଲେ। ସମ୍ପର୍କକୁ ବିରୋଧ କରିବା ଓ ପାଟିତୁଣ୍ଡ କରିବାରୁ ବିର୍ସା ରାଗିଯାଇ ସେଠାରୁ ପଳାଇଥିଲେ। ଘରକୁ ଆସି ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ।

ମଙ୍ଗଳବାର ସକାଳେ ନିତ୍ୟାନନ୍ଦ ଓ ପତ୍ନୀ କୁମୁଦିନୀ ଅଟୋରେ ନିଜଘର ସମ୍ବଲପୁର ଅଭିମୁଖେ ବାହାରିଥିଲେ। ଘରଠୁ କିଛିଦୂରରେ ବାଗଡ଼େଗା ଘାଟି ନିକଟରେ ସେମାନଙ୍କ ଅଟୋ ପହଞ୍ଚିବାବେଳକୁ ବିର୍ସା ଆଉ ୨ ଜଣ ବ୍ୟକ୍ତିଙ୍କ ସହ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ନିତ୍ୟାନନ୍ଦଙ୍କୁ ଦେଖି ତୁରନ୍ତ ପେଟକୁ ଲକ୍ଷ୍ୟକରି ଏକ ତୀରମାଡ଼ କରି ସେଠାରୁ ଚମ୍ପଟ୍‌ ମାରିଥିଲେ ବିର୍ସା। କୁମୁଦିନୀ ତୁରନ୍ତ ଭଉଣୀ ଘରଲୋକଙ୍କୁ ଖବରଦେବା ସହ ସ୍ବାମୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ।

କଲୁଙ୍ଗା ଫାଣ୍ଡି ଅଧିକାରୀ ବିକ୍ରମ ଭୂୟାଁ ସୂଚନା ପାଇବା ପରେ ହସ୍ପିଟାଲ ଆସି ଘଟଣା ସମ୍ପର୍କ​ରେ ସମସ୍ତ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଖୋଜିଖୋଜି ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ସେ କହିଛନ୍ତି। ସେ​ପଟେ ଆର୍‌ଜିଏଚ୍‌ରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲାରେ ପହଞ୍ଚିବା ପରେ ତାଙ୍କର ​ଅସ୍ତ୍ରୋପଚାର କରାଯାଇ ତୀର ବାହାର କରାଯାଇଥିବା ଜଣାପଡ଼ିଛି।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe