badachana young man Photograph: (sambad.in)
ବଡ଼ଚଣା: ଜୀବନ କଣ ବୁଝିବା ଆଗରୁ ତାର ଜୀବନ ନେଇଗଲା ଯନ୍ତ୍ର ଦାନବ। ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି କିଏ କେତେକଣ ଆଶା କରିଥିଲେ। ସବୁ ଆଶାକୁ ଆଜି ମଉଳି ଦେଇଛି ଆଶୁତୋଷ। ସରଳିଆ ପିଲାଟା କାହା ମନରେ ତ କେବେ କଷ୍ଟ ଦେଇ ନ ଥିବ। କିନ୍ତୁ ନିୟତି ତା ପ୍ରତି କାହିଁକି ଏତେ ନିଷ୍ଠୁର ହେଲେ କେଜାଣି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଶିକ୍ଷକ ରଙ୍ଗାଧର ସାହୁଙ୍କ ଏକମାତ୍ର ପୁଅ ଆଶୁତୋଷ(୨୪)।
ଭୁବନେଶ୍ୱରରେ ରହି ଆଶୁତୋଷ କୋଚିଂ ନେଇ ଚାକିରି ପାଇଁ ପ୍ରସ୍ତୁତି କରୁଥିଲା। ଗତ ପଣା ସଂକ୍ରାନ୍ତି ଦିନ ଅପରାହ୍ନରେ ବାଇକ୍ ଚଳାଇ ଘରୁ ଭୁବନେଶ୍ୱର ଯାଉଥିବା ବେଳେ ମଙ୍ଗୁଳି ଛକ ନିକଟରେ ଗୋଟେ ଟ୍ରଲର ତାକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତାକୁ ପ୍ରଥମେ କଟକ ବଡ଼ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକେ ପୁଅର ଜୀବନ ବଞ୍ଚାଇବା ପାଇଁ ସବୁ ଠାକୁରଙ୍କ ପାଖରେ ନେହୁରା ହୋଇ ମୁଣ୍ଡ ପିଟିଲେ ଆଉ ପାଣି ଭଳି ଟଙ୍କା ବୁହାଇ ଦେଲେ, ମାତ୍ର ନିୟତିର ଇଚ୍ଛା ଆଗରେ ସେସବୁ ନିଷ୍ପ୍ରଭ ହେଲା।
ଦୀର୍ଘ ୧୭ଦିନ ଧରି ଡାକ୍ତରଖାନା ବେଡ଼ରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଅକ୍ଷୟ ତୃତୀୟା ରାତିରେ ଆଖିବୁଜି ଦେଲା। ଆଜି କଟକ ବଡ଼ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲେ। ଶବ ନିଜ ଗାଁ ଖଇରାକୁ ଆସୁଥିବା ବେଳେ ଗ୍ରାମର ଶତାଧିକ ଲୋକ ବଡ଼ଚଣା ବଜାର ଠାରୁ ଶୋଭାଯାତ୍ରାରେ ଆଣି ଗ୍ରାମ ପରିକ୍ରମା କରିବା ପରେ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ ଶ୍ମଶାନରେ ପହଞ୍ଚି ଶେଷଦର୍ଶନ କରିଥିବା ବେଳେ ବିଜେପି ନେତା ପଦ୍ମନାଭ ପଣ୍ଡା, ନିରଞ୍ଜନ ବରାଳ, ନୃସିଂହ ଓତା, ଆଇନଜୀବୀ ଉଦୟ ନାଥ ସାହୁ, ଅଭୟ ତରାଇ, ବନମାଳୀ ସେନାପତି, ସମାଜସେବୀ ଅନିଲ କୁମାର ଦାସ, ମାର୍କଣ୍ଡ ଚରଣ ଓଝା ପ୍ରମୁଖ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବଡବାପା ଗଦାଧର ସାହୁ ମୁଖାଗ୍ନି ଦେଇଥିଲେ। ଆଶୁତୋଷ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
Accident
Follow Us