ରାଉରକେଲା: କୋଏଲନଦୀରେ ଗାଧୋଇବାକୁ ଯାଇ ବାଉଁଶରେ ପାଣିର ଗଭୀରତା ମାପିବା ସାଜିଲା କାଳ। ତିନି ସାଙ୍ଗ ମଧ୍ୟରୁ ଜଣେ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତି ଯାଇଛନ୍ତି ଦୁଇ ସାଙ୍ଗ। ମୃତକ ହେଲେ ବେଦବ୍ୟାସ ଅଞ୍ଚଳର ଆକାଶ ଦତ୍ତା (୨୨)। ଅନ୍ୟ ଦୁଇଜଣ ରାଉରକେଲା ପାନପୋଷର ଶେଖର ଭୋଇ (୨୨) ଓ ସେକ୍ଟର-୨ର ଚିରଞ୍ଜୀବ ମହାପାତ୍ର (୨୧)। ବିଶ୍ରା ପୁଲିସ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍ଜିଏଚ୍କୁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତିନି ସାଙ୍ଗ ଆକାଶ, ଶେଖର ଓ ଚିରଞ୍ଜୀବ ଆଇଟିଆଇ ପାସ୍ କରିବା ପରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରେ ଶିକ୍ଷାନବିସ ଭାବେ କାମ କରୁଥିଲେ।
ଆଜି ରବିବାର ଛୁଟିଥିବାରୁ ତିନି ସାଙ୍ଗ ଗୋଟିଏ ବାଇକ୍ରେ ବିଶ୍ରା କୋଏଲନଦୀର ତେତରକେଲା ଘାଟକୁ ଗାଧୋଇବାକୁ ବାହାରିଥିଲେ। ଦିନ ପ୍ରାୟ ୧୧ଟାରେ ସେମାନେ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଆକାଶ ନଦୀ ଭିତରକୁ ପଶିଥିଲେ। ପରେ ଶେଖର ଓ ଚିରଞ୍ଜୀବ ଯାଇଥିଲେଃ ତିନି ଜଣ ନଦୀରେ ଗାଧୋଉଥିବାବେଳେ ଆକାଶ ଏକ ବାଉଁଶରେ ପାଣିର ଗଭୀରତା ମାପୁଥଲେ।
ହଠାତ୍ ଗୋଡ଼ ଖସିଯିବାରୁ ବୁଡ଼ି ଭାସିଯାଇଥିଲେ। ଆକାଶ ଭାସି ଯାଉଥିବା ଦେଖି ଶେଖର ଓ ଚିରଞ୍ଜୀବ ପାଟି କରିଥିଲେ। ଦୁହିଁଙ୍କ ପାଟିଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆକାଶ ବୁଡ଼ିସାରିଥିଲେ। ବହୁ ଖୋଜାଖୋଜି କରି ନ ପାଇବାରୁ ଅଗ୍ନିଶମ ବିଭାଗ ଓ ବିଶ୍ରା ପୁଲିସକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ଆକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଗତ ମାସକ ମଧ୍ୟରେ କୋଏଲନଦୀରେ ବୁଡ଼ି ୪ରୁ ଅଧିକ ଜୀବନ ଯାଇଛି। କେବଳ କୋଏଲନଦୀ ନୁହେଁ ବ୍ରାହ୍ମଣୀ ନଦୀର ଅନେକ ଅସୁରକ୍ଷିତ ଘାଟରେ ଗାଧୋଉଥିବା ସମୟରେ ଛାତ୍ର ଓ ଯୁବକଙ୍କ ଜୀବନ ଯାଉଛି। ବାରମ୍ବାର ଏଭଳି ଘଟଣା ପୁନରାବୃତ୍ତି ହେଉଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି। ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
Rourkela
Follow Us