ସାବିତ୍ରୀ ପାଇଁ ଭଉଣୀ ଘରକୁ ଭାର ନେଇ ଯାଉଥିଲେ ଭାଇ, ବଜ୍ରପାତ ନେଲା ଜୀବନ

ଅଭୟ ଜଣେ ଉତ୍ତମ ବ୍ୟବହାର ସମ୍ପନ୍ନ ଯୁବକ ଥିଲେ। ସେ ବିବାହିତ ଥିଲେ। ପରୋପକାର ପାଇଁ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ସେ ଜଣେ ଗରିବ ପରିବାରର ଯୁବକ ହେଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।

Young man dead

Young man dead Photograph: (sambad.in )

ଟାଙ୍ଗୀ: ଦିନକ ପରେ ସାବିତ୍ରୀ ବ୍ରତ। ସଧବା ମହିଳାମାନେ ତାଙ୍କର ସ୍ବାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ରଖିବେ ବ୍ରତ। ଏଥି ପାଇଁ ସେମାନେ ଉତ୍ସାହିତ ଅଛନ୍ତି। ସାବିତ୍ରୀ ବତ୍ର ପାଇଁ ଆୟୋଜନ ହେଉଥିବା ପୂଜା ପାଇଁ ବାପ ଘରର ଭାର (ଶାଢ଼ି, ଫଳମୂଳ ଓ ଅନ୍ୟପୂଜା ସାମଗ୍ରୀ ରହିଥାଏ) ହେଉଛି ବିବାହିତ ଝିଅ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ। ମୁଖ୍ୟତଃ ଏହି ଭାରକୁ ଭାଇମାନେ ପହଞ୍ଚାଇ ପାରିଲେ, ଭଉଣୀମାନେ ବହତ ଖୁସି ହୋଇଥାନ୍ତି। ସମୟ ପାଖେଇ ଆସୁଥିବାରୁ ଭାଇମାନେ ନିଜନିଜ ଭଉଣୀ ଘରକୁ ଭାର ନେଇ ଯାଉଛନ୍ତି। ତେବେ ଏହି ଭାର ଯାତ୍ରା ସମୟରେ କେହି କେହି ଅଘଟଣର ଶିକାର ମଧ୍ୟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସାବିତ୍ରୀ ଭାର ନେଇ ଭଉଣୀ ଘର ଅଭିମୁଖେ ଯାଉଥିବା ଭାଇ ବଜ୍ରପାତରେ ଜୀବନ ହରାଇଛନ୍ତି। ମୃତ ଯୁବକ ହେଲେ ଅଭୟ ମହାପାତ୍ର (୨୭)। 

ପୁଲିସ କହିଛି କନ୍ତଳବାଇ ଗାଁର ନବକି‌ଶୋର ମହାପାତ୍ରଙ୍କ ପୁଅ ଅଭୟ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ସାବିତ୍ରୀ ଭାର ନେଇ ଭଉଣୀ ଘର ଅଭିମୁଖେ ବାହାରିଥିଲେ। ଟାଙ୍ଗୀ-ମଙ୍ଗଳାଯୋଡ଼ି ରାସ୍ତାର ଏକ ବରଓସ୍ତ ଗଛ ନିକଟରେ ପହଞ୍ଚି ଥିବା ବେଳେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ। ବଜ୍ରପାତର ଶିକାର ହେଲା ପରେ ଅଭୟ ଅଚେତ ହୋଇ ପଡ଼ିଥିଲେ। ରାସ୍ତାରେ ଯାତାୟତ କରୁଥିବା ଲୋକେ ଅଭୟ ଅଚେତ ଥିବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

ରିପୋର୍ଟ ଲେଖାଯିବା ବେଳକୁ ଅଭୟଙ୍କ ମରଶରୀରକୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛିା  ପୁଲିସ କହିଛି ଆସନ୍ତାକାଲି ଅଭୟଙ୍କ ମୃତଦେହ ପୋଷ୍ଟମର୍ଟମ କରାଯିବ। ‌ପରେ ପରିମାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।

ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ଅଭୟ ଜଣେ ଉତ୍ତମ ବ୍ୟବହାର ସମ୍ପନ୍ନ ଯୁବକ ଥିଲେ। ସେ ବିବାହିତ ଥିଲେ। ପରୋପକାର ପାଇଁ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ସେ ଜଣେ ଗରିବ ପରିବାରର ଯୁବକ ହେଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Khordha | Lightning 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe