ପାଟନା: ବିହାରର ଗୋପାଳଗଞ୍ଜରେ ଏକ ଅଦ୍ଭୁତ ଶିଶୁ ଜନ୍ମ ନେବା ପରେ ନବଜାତକୁ ଦେଖିବା ପାଇଁ ଡାକ୍ତରଖାନାରେ ଶହଶହ ଲୋକଙ୍କ ଭିଡ ଜମିଥିଲା।
ଏହି ଅଦ୍ଭୁତ ନବଜାତ ଶିଶୁକୁ ଦେଖିବା ପରେ ଡାକ୍ତର ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଦ୍ଭୁତ ଶିଶୁକୁ ଦେଖିବା ପରେ ଲୋକମାନେ ଏହାକୁ ‘ଏଲିଏନ ବେବି’ ବୋଲି କହିଛନ୍ତି। ଦୁଃଖର ବିଷୟ ଏହି ନବଜାତ ଶିଶୁର ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଇଥିଲା।
ସୂଚନାଯୋଗ୍ୟ, ହାଥୁଆ ସବଡିଭିଜନ ହସ୍ପିଟାଲରେ ଏହି ଶିଶୁଟି ଜନ୍ମ ନେଇଥିଲା। ଗୋପାଳଗଞ୍ଜର ମେରଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳର ସାହିବା ଚକ୍ର ଗାଁର ବାସିନ୍ଦା ଚୁନଚୁନ ଯାଦବଙ୍କୁ ବୁଧବାର ହାଥୁଆ ସବ ଡିଭିଜନାଲ ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ଚୁନଚୁନ ଗୁରୁବାର ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଏହି ନବଜାତ ଶିଶୁର ଚେହେରା ଅନ୍ୟ ଗ୍ରହର ଜୀବ ପରି ଦେଖା ଯାଉଥିଲା।
ଶିଶୁଟିର ବଡ଼ବଡ଼ ଆଖି ଥିବା ବେଳେ ବୟସ୍କଙ୍କ ଭଳି ଦାନ୍ତ ଥିଲା। ପାଟି ବିରାଟକାୟ ଦେଖାଯାଉଥିଲା। ଶରୀରରେ ଧଳା ରଙ୍ଗର ଆବରଣ ଥିଲା। ଜନ୍ମର ଅଢ଼େଇ ଘଣ୍ଟା ପରେ ଏହି ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ହାଥୁଆ ସବ-ଡିଭିଜନାଲ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଏଭଳି ଜଣେ ଶିଶୁ ଜନ୍ମ ହୋଇଥାଆନ୍ତି। କିନ୍ତୁ ଏଭଳି ଶିଶୁ ଅଧିକ ଦିନ ଜୀବିତ ରହି ପାରନ୍ତି ନାହିଁ। ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।
Follow Us