ଅନଙ୍ଗ ତ୍ରୟୋଦଶୀ

ଅନଙ୍ଗ ତ୍ରୟୋଦଶୀ

ଚୈତ୍ର ଶୁକ୍ଳ ତ୍ରୟୋଦଶୀ ‘ଅନଙ୍ଗ ତ୍ରୟୋଦଶୀ’ ରୂପେ ଶ୍ରୀମନ୍ଦିରରେ ପାଳିତ ହୁଏ। ଏହାର ଅନ୍ୟନାମ ‘କାମ ତ୍ରୟୋଦଶୀ’। କାମଦେବଙ୍କର ଅନ୍ୟ ନାମ ‘ଅନଙ୍ଗ’। ସେ ପ୍ରେମର ଓ କାମନାର ଦେବତା।

‘ଅନଙ୍ଗ’ ଶବ୍ଦର ଅର୍ଥ- ଯାହାଙ୍କର ଅଙ୍ଗ ବା ଶରୀର ନାହିଁ। କାମଦେବ କିପରି ଅନଙ୍ଗ ହେଲେ, ସେ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ। ତାହା ଅନୁସାରେ, ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀ ଆତ୍ମାହୁତି ଦେବା ପରେ, ଶିବ ଗଭୀର ତପସ୍ୟାରେ ପ୍ରବୃତ୍ତ ହେଲେ।

ସେତେବେଳେ ତାରକାସୁର ଅନେକ ଉତ୍ପାତ କଲା। ତାକୁ ନିହତ କରିବାପାଇଁ ଶିବଙ୍କର ଏକ ପୁତ୍ର ସନ୍ତାନ ହେବାର ବହୁତ ପ୍ରୟୋଜନ ଥିଲା। ତେଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କର ନିର୍ଦ୍ଦେଶରେ କାମଦେବ ଫୁଲଶର ମାରି ଶିବଙ୍କର ତପସ୍ୟା ଭଙ୍ଗ କଲେ। ତାହା ଫଳରେ ଶିବ କ୍ରୁଦ୍ଧ ହେବାରୁ ତାଙ୍କର ତୃତୀୟ ନୟନର ଅଗ୍ନିରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ।

ସେହି ଘଟଣାରେ କାମଦେବଙ୍କ ପତ୍ନୀ ରତି ରୋଦନ କରି, ତାଙ୍କୁ ଫେରାଇ ଦେବାପାଇଁ ପ୍ରାର୍ଥନା କରିବାରୁ, ଶିବ କହିଲେ- ସେ ଆଉ ନିଜର ଶରୀର ଫେରି ପାଇବେ ନାହିଁ। କିନ୍ତୁ ଶରୀର ନଥିଲେ ମଧ୍ୟ, ମନୁଷ୍ୟ ଓ ଅନ୍ୟ ପ୍ରାଣୀଙ୍କ ଉପରେ ତାଙ୍କର ଆଧିପତ୍ୟ ରହିବ। ତେଣୁ କାମଦେବ ଶରୀରୀ ନହେଲେ ବି ପ୍ରାଣୀଙ୍କ ମନରେ କାମନା ବାସନା ଜାଗ୍ରତ କରାଇବାରେ ସମର୍ଥ। ତେଣୁ ମନର ମନ୍ଥନକାରୀ ଭାବରେ ତାଙ୍କର ଗୋଟିଏ ନାମ ମନ୍ମଥ।

ବସନ୍ତ ହେଉଛି ‘କୁସୁମାକର’ ବା ଫୁଲର ଋତୁ। ଏ ଋତୁର ପାଞ୍ଚଟି ଫୁଲ କାମଦେବଙ୍କ ଫୁଲଧନୁର ପାଞ୍ଚଟି ଶର। ସେହି ପଞ୍ଚଶର ହେଉଛନ୍ତି- ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଓ ନୀଳୋତ୍ପଳ। ଏ ଫୁଲଗୁଡ଼ିକ କାମଦେବଙ୍କର ପଞ୍ଚବାଣ ରୂପେ ମନରେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ଜାତ କରିଥାଆନ୍ତି।

ଶ୍ରୀମନ୍ଦିରର ‘ଦୟଣାଚୋରି’ ନୀତି ସହିତ କାମଦେବ ବା କନ୍ଦର୍ପ ସଂପୃକ୍ତ। ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଏଥିପାଇଁ ଦ୍ୱାଦଶୀ ଦିନ ‘କନ୍ଦର୍ପ ପଟି’ (କାମଦେବଙ୍କ ଚିତ୍ରପଟ)ଙ୍କର ଅଧିବାସ ହୁଏ। ଦୟଣାଚୋରି ନୀତିପାଇଁ ଶ୍ରୀରାମ ଓ ଶ୍ରୀକୃଷ୍ଣ ଜଗନ୍ନାଥ ବଲ୍ଲଭକୁ ଯିବାବେଳେ ଏହି କନ୍ଦର୍ପପଟି ଆଗେ ଆଗେ ଯାଆନ୍ତି। ସେଠାରେ ତାଙ୍କର ପୂଜା ହେବା ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଦୟଣା ଚୋରି କରନ୍ତି। ତାହା ପରେ ସେଠାରେ କନ୍ଦର୍ପ ପଟିଙ୍କୁ ବିସର୍ଜନ କରି ଦିଆଯାଏ।

ଶ୍ରୀରାମ ଓ ଶ୍ରୀକୃଷ୍ଣ ଚୋରି କରି ଆଣିଥିବା ଏହି ଦୟଣା ପ୍ରଥମେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ପ୍ରଦାନ କରାଯାଏ ଏବଂ ପରେ ତାହା ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଏ।

‘ଦୟଣା ଚୋରି’ ଯାତ୍ରା ପ୍ରକୃତରେ ‘ଦମନକ ଭଞ୍ଜିକା’ ଯାତ୍ରା। ଦମନକ ଥିଲା ଏକ ଦୁରାଚାରୀ ଅସୁର। ମତ୍ସ୍ୟ ଅବତାରରେ ଭଗବାନ ବିଷ୍ଣୁ ତାକୁ ସଂହାର କରିବା ପରେ ସେ ଦୟଣା ନାମକ ସୁବାସିତ ତୃଣରେ ପରିଣତ ହୋଇଥିଲା। ଏହା ତାମସିକତା ସାତ୍ତ୍ୱିକତାରେ ପରିବର୍ତ୍ତିତ ହେବାର ପ୍ରତୀକ। ବସନ୍ତ ଋତୁରେ କାମନା ବାସନା ବଢ଼େ। ଦୟଣାର ସୁବାସ ପରି ତାହା ପ୍ରସରି ଯାଏ। ଏଣୁ କାମଦେବଙ୍କୁ ପୂଜା କରି ତାହାକୁ ନିୟନ୍ତ୍ରଣକୁ ଅଣାଯାଏ ଏବଂ ପରିଶେଷରେ ସବୁ କାମନା ବାସନାକୁ ଭକ୍ତିରେ ପରିବର୍ତ୍ତିତ କରି ନୈବେଦ୍ୟ ରୂପେ ପ୍ରଭୁଙ୍କୁ ସମର୍ପଣ କରାଯାଏ। ଏହାର ପ୍ରତୀକ ‘ଅନଙ୍ଗ ତ୍ରୟୋଦଶୀ’ର ଦୟଣା ଚୋରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe