Advertisment

ଜରାୟୁ କର୍କଟ ପଛରେ ବଦଭ୍ୟାସ!

Advertisment
ଜରାୟୁ କର୍କଟ ପଛରେ ବଦଭ୍ୟାସ!

ମହିଳାଙ୍କ ଗର୍ଭାଶୟର ନିମ୍ନଭାଗସ୍ଥ ସର୍ଭିକ୍ସରେ ହେଉଥିବା କର୍କଟକୁ ସର୍ଭିକାଲ୍‌ କ୍ୟାନ୍‌ସର୍‌ ବା ଜରାୟୁ କର୍କଟ କୁହାଯାଏ। ସର୍ଭିକ୍ସ ସହ ସଂପୃକ୍ତ ଥିବା ଜୀବକୋଷଗୁଡ଼ିକର ଡିଏନ୍ଏରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଗଲେ ତାହା କର୍କଟ କୋଷରେ ପରିଣତ ହୋଇଥାଏ। ଏକ ପରିସଂଖ୍ୟାନ ଅନୁଯାୟୀ, ବିଶ୍ବବ୍ୟାପୀ ମହିଳାମାନଙ୍କ ଠାରେ ଦେଖାଦେଉଥିବା ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରେ ଜରାୟୁ କର୍କଟର ସ୍ଥାନ ଚତୁର୍ଥ। କେବଳ ୨୦୨୨ ମସିହାରେ ଏହି ଧରଣର ୬.୬ ଲକ୍ଷ ନୂତନ କର୍କଟ ରୋଗୀ ଦେଖାଦେଇଥିବା ବେଳେ ସେମାନଙ୍କ ଭିତରୁ ୩.୫ ଲକ୍ଷ ମହିଳା ପ୍ରାଣ ହରାଇଥିଲେ। ଭାରତରେ ପ୍ରତିବର୍ଷ ଲକ୍ଷେରେ ୨୨ ଜଣ ମହିଳା ଜରାୟୁ କର୍କଟର ଶିକାର ହେଉଥିବା ବେଳେ ସେମାନଙ୍କର ମୃତ୍ୟୁହାର ହେଉଛି ଏକ ଲକ୍ଷରେ ୧୨.୪। ତେବେ ଧୂମପାନ, ଏକାଧିକ ଯୌନସାଥୀ ଓ ଖୁବ୍ କମ୍ ବୟସରୁ ଯୌନ ସଂପର୍କ ପରି ବଦଭ୍ୟାସ ସାଙ୍ଗକୁ ଦୁର୍ବଳ ରୋଗପ୍ରତିରୋଧ ଶକ୍ତି ଜରାୟୁ କର୍କଟ ଆଶଙ୍କାକୁ ବଢ଼ାଇଥାଏ। ସେହିପରି ବହୁଦିନ ଧରି ଗର୍ଭନିରୋଧକ ବଟିକା ଖାଇଲେ ମଧ୍ୟ ଏହି ଆଶଙ୍କା ବଢ଼ିପାରେ।

ଜରାୟୁ କର୍କଟର ପ୍ରାରମ୍ଭିକ ସୂଚନା ହେଲା ମାସିକ ଋତୁସ୍ରାବ ମଧ୍ୟରେ କିମ୍ବା ରଜନିବୃତ୍ତି ପରେ ରକ୍ତସ୍ରାବ ହେବା। ଏପରିକି ଜରାୟୁ କର୍କଟ ଥିବା ମହିଳାଙ୍କର ମାସିକ ଋତୁସ୍ରାବ ବେଳେ ପ୍ରବଳ ରକ୍ତସ୍ରାବ ହୋଇଥାଏ। ନିର୍ଗତ ରକ୍ତ ପୁଣି ଫିକା ପାଣିଚିଆ ଓ ଅତି ଦୁର୍ଗନ୍ଧଯୁକ୍ତ ହୋଇଥାଏ। ଅନେକ ପୀଡ଼ିତା ତଳିପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥା’ନ୍ତି। ଜରାୟୁ କର୍କଟ ପାଇଁ ବିଶେଷ କରି ‘ହ୍ୟୁମ୍ୟାନ୍ ପାପିଲୋମା ଭୂତାଣୁ’ (ଏଚ୍‌ପିଭି) ଦାୟୀ। ନାନା ପ୍ରତିକୂଳ ପରିସ୍ଥିତିରୁ ବହୁଦିନ ଧରି ବର୍ତ୍ତିଯାଇପାରୁଥିବା ଏହି ଭୂତାଣୁ ସାଧାରଣତଃ ଯୌନସମ୍ପର୍କ ବେଳେ ସଂକ୍ରମିତ ହୋଇଥାଏ। ତେବେ ଏଚ୍‌ପିଭି ଟିକା ନେବା ଦ୍ବାରା ଜରାୟୁ କର୍କଟ ଆଶଙ୍କା ଉଲ୍ଲେଖନୀୟ ଭାବେ ହ୍ରାସ ପାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe