ବଜ୍ରମହାକାଳୀ ବ୍ରତ ବା ଫୁଲେରୀ ଓଷା କଥା

Advertisment
ବଜ୍ରମହାକାଳୀ ବ୍ରତ ବା ଫୁଲେରୀ ଓଷା କଥା

ଆଶ୍ୱିନ ଅମାବାସ୍ୟା ବା ଆର୍ଦ୍ରା ଅମାବାସ୍ୟା ଦିନ ଏକ ଲୋକସିଦ୍ଧ ବ୍ରତ ପାଳିତ ହୋଇଥାଏ। ତାହାକୁ ବଜ୍ରମହାକାଳୀ ବ୍ରତ ବା ଫୁଲେରୀ ଓଷା କହନ୍ତି। ଏହି ବ୍ରତର ଆରାଧ୍ୟା ଦେବୀ ହେଉଛନ୍ତି ମା’ ବଜ୍ରମହାକାଳୀ।

କାଳୀଙ୍କର ଯେଉଁ ଏକସହସ୍ର ନାମର ଉଲ୍ଲେଖ ପୁରାଣରେ ଅଛି, ସେଥିରେ ଏପରି କୌଣସି ନାମର ବର୍ଣ୍ଣନା ମିଳେନାହିଁ। କିନ୍ତୁ ବୌଦ୍ଧ ବଜ୍ରଯାନରେ ପୂଜିତ ‘ବଜ୍ରବାରାହୀ’ କାଳକ୍ରମେ ଲୋକାଚାର ମଧ୍ୟରେ ‘ବଜ୍ରମହାକାଳୀ’ରେ ପରିଣତ ହୋଇଥାଇପାରନ୍ତି। ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବଜ୍ରକାଳୀ ମନ୍ଦିର ଦୃଷ୍ଟିଗୋଚର ହେଲେ ମଧ୍ୟ, ସଂପୂର୍ଣ୍ଣ ଲୌକିକ ପରଂପରାରେ ଏହି ଦେବୀ ଉପାସିତ ହୋଇଥାଆନ୍ତି।

ଏହି ବ୍ରତ ପାଳନ ଅବସରରେ ଘରର ମହିଳାମାନେ ଘରଦ୍ୱାର ଲିପାପୋଛା କରି, ଏକ ଶିଳପୁଆକୁ ପଞ୍ଚାମୃତରେ ସ୍ନାନ କରାଇ, ଫୁଲ, ଚନ୍ଦନ, କଳା ଓ ସିନ୍ଦୂରରେ ବଜ୍ରକାଳୀଙ୍କୁ ସ୍ଥାପନା କରି, ତାଙ୍କୁ ଏକ ହଳଦିଆ ପାଟ ପିନ୍ଧାଇ ଦିଅନ୍ତି। ସେହି ଶିଳପୁଆ ପାଖରେ ଧାନଗଛ, ବେଲ ଗଛ, ବଜ୍ରମୂଳୀ, ଆଖୁ ଓ ଅଁଳା ଡାଳକୁ ଏକାଠି ବାନ୍ଧି ରଖନ୍ତି। ବଜ୍ର ମହାକାଳୀଙ୍କ ପାଖରେ ସାତଟି ଦୂବ, ସାତଖଣ୍ଡ ହଳଦୀ ଓ ସାତ ଅକ୍ଷତ ରଖି ଦେବୀଙ୍କୁ ଏକ ସୁବର୍ଣ୍ଣ ‘ପୁସ୍ତା’ ପିନ୍ଧାନ୍ତି। ଶୁଦ୍ଧ ଚାଉଳକୁ କୁଟି ସେଥିରେ ଅଟକାଳି କରି ସାତଟି କଖାରୁ ପତ୍ରରେ ତାହାକୁ ବାଢ଼ନ୍ତି। ଏହା ସହିତ ବିଭିନ୍ନ ପ୍ରକାରର ପିଠା ପଣା ଓ ସାତ ପ୍ରକାର ଶାଗର ଏକ ତରକାରୀ ରାନ୍ଧି ଦେବୀଙ୍କ ପାଖରେ ନୈବେଦ୍ୟ କରନ୍ତି। ଧୂପ, ଦୀପ ଦେଇ ଦେବୀଙ୍କୁ ବନ୍ଦାଇ, ପୁରୋହିତଙ୍କଠାରୁ ବ୍ରତକଥା ଶୁଣନ୍ତି। ପୂଜା ସରିଲେ ସାତଟି କଖାରୁ ପତ୍ର ପାରି ତା ଉପରେ ସାତଟି ପାଣି କଖାରୁ ଗଡ଼ାନ୍ତି। ପରେ ତା’ ଉପରେ ପିଲାଙ୍କୁ ଗଡ଼ାଇ ଥାଆନ୍ତି।

ଏହି ବ୍ରତକଥା ଅନୁସାରେ ବଜ୍ର ମହାକାଳୀ ଅତ୍ୟନ୍ତ କରୁଣାମୟୀ; କିନ୍ତୁ ସାମାନ୍ୟ ଦୋଷତ୍ରୁଟି ଦେଖିଲେ ସେ କ୍ରୋଧିତ ହୁଅନ୍ତି। ଭକ୍ତି ଓ ନିଷ୍ଠାର ସହିତ ତାଙ୍କୁ ସ୍ମରଣ କଲେ ଘର ଧନ, ଜନ, ଗୋପ, ଲକ୍ଷ୍ମୀରେ ପୂର୍ଣ୍ଣ କରି ଦିଅନ୍ତି। ବ୍ରତ କଥା ଅନୁସାରେ, ସାଧବଘର ସାନବୋହୂକୁ ସେ ଏହିପରି ଭାବରେ ପରିପୂର୍ଣ୍ଣ କରିଥିଲେ।

ଗଞ୍ଜାମ ଆଦି କେତେକ ଜିଲାରେ ଏହି ପର୍ବ ସାମାନ୍ୟ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ, ଘରର ପିଲାମାନେ- “ଦାଣ୍ଡ ଆଡ଼େ ବଗ, ବାରି ଆଡ଼େ ବଗ / ଗୁଣ୍ଡୁଚି ମୂଷା କହିଯାଇଛି ଚାଉଳ ମୁଠେ ଦେବ।” -ଏପରି ଡାକ ଦେଇ, ସାତ ଘରୁ ଚାଉଳ ଆଣନ୍ତି। ସେହି ଚାଉଳକୁ କୁଟି ସେଥିରେ ଅଟକାଳି କରି ଦେବୀଙ୍କୁ ସମର୍ପଣ କରାଯାଇଥାଏ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe