ଭୀଷ୍ମପଞ୍ଚକ ବ୍ରତକଥା

ଭୀଷ୍ମପଞ୍ଚକ ବ୍ରତକଥା

ଆମର ବ୍ରତକଥାଗୁଡ଼ିକ କାହାଣୀ, ନୀତିଶିକ୍ଷା ଓ ଧାର୍ମିକ ଆଚାରର ଗନ୍ତାଘର। ‘ଭୀଷ୍ମପଞ୍ଚକ’ ବ୍ରତକଥା ଏହାର ବ୍ୟତିକ୍ରମ ନୁହେଁ। ‘ଭୀଷ୍ମପଞ୍ଚକ’ର ଅନ୍ୟନାମ ‘ବିଷ୍ଣୁପଞ୍ଚକ’। କିନ୍ତୁ ଏହାର ବ୍ରତକଥା ଗୋଟିଏ ନୁହେଁ। ଅନ୍ୟୂନ ପାଞ୍ଚଟି ବ୍ରତକଥା ଏହାକୁ ନେଇ ମିଳୁଛି। ସେଥିରୁ ଗୋଟିଏ ଏହିପରି।

ମହ୍ଲାର ଦେଶରେ ଥିଲେ ଜଣେ ସାଧବ। ତାଙ୍କର ନାଆଁ ରତ୍ନାକର। ତାଙ୍କର ସାତ ପୁଅ, ସାତବୋହୂ। ସାନ ବୋହୂଟି ଅତି ସୁନ୍ଦରୀ। କିନ୍ତୁ ତାର ଗୁଣଗୁଡ଼ିକ ମନ୍ଦ। ସେହି ମନ୍ଦଗୁଣ ମଧ୍ୟରୁ ଗୋଟିଏ ହେଲା- ସେ ସ୍ୱଭାବରେ ଟାଉକି। ଲୁଚେଇ ଚୋରେଇ ଖାଏ। ଏମିତିକି ହାଣ୍ଡିରେ ବି ଖାଏ।

ଦିନେ ଏକାଦଶୀ ପାଇଁ ଘରେ କ୍ଷୀର ଆଉଟା ହୋଇ ରହିଥିଲା। ସାନବୋହୂ ଲୁଚେଇ ସରତକ ଖାଇଦେଲା। ଶାଶୁ ସାଧବାଣୀ ତାହା ଜାଣି ସାନବୋହୂକୁ ଘରୁ ବାହାର କରିଦେଲା। ସାନବୋହୂ ଯାଇ ବାଡ଼ିରେ ଲୁଚିରହିଲା।

ସେହି ସମୟରେ ଗୌଡ଼ଦେଶର ରାଜା ଥିଲେ ଶ୍ରୀବତ୍ସ। ତାଙ୍କ ରାଣୀଙ୍କର ନାଆଁ ସୁଶୀଳା। ତାଙ୍କର ନାମ ଯେପରି ଗୁଣ ସେପରି। ସେ ଭାରି ଧର୍ମପରାୟଣା। ବର୍ଷକ ବାରମାସ ସେ ଏକାଦଶୀ ଉପବାସ କରନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ଆରମ୍ଭ ହେଉଥିବା ଭୀଷ୍ମପଞ୍ଚକ (ବିଷ୍ଣୁପଞ୍ଚକ) ବ୍ରତ ମଧ୍ୟ କରନ୍ତି।

ଯୋଗକୁ ସେ ବର୍ଷ ସେହି ଏକାଦଶୀ ଦିନ ରାଜା ଶ୍ରୀବତ୍ସଙ୍କର ମୃତ୍ୟୁ ହେଲା। ତାଙ୍କର ରାଣୀ ସୁଶୀଳା ଅତ୍ୟନ୍ତ ପତିବ୍ରତା ଥିଲେ। ସେ ନିଜର ପୁଣ୍ୟରୁ ଅଧେ ସ୍ୱାମୀଙ୍କୁ ଦେଲେ ଏବଂ ସ୍ୱାମୀଙ୍କର ଚିତାଗ୍ନିରେ ପଶି ଆତ୍ମାହୁତି ଦେଲେ। ସେହି ପୁଣ୍ୟଫଳରୁ ବିଷ୍ଣୁଦୂତମାନେ ଦୁହିଁଙ୍କୁ ନେବାପାଇଁ ରଥ ନେଇ ଆସିଲେ। ରାଜା ଓ ରାଣୀ ରଥରେ ବସି ବିଷ୍ଣୁଲୋକକୁ ଯାତ୍ରା କଲେ।

କିନ୍ତୁ ପୁଣ୍ୟଫଳ ଅଧା ଅଧା ହୋଇଥିବାରୁ, ଅଧବାଟରେ ମହ୍ଲାର ଦେଶଠାରେ ସେହି ରଥ ତଳକୁ ଖସିଆସିଲା। ରାଣୀ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବାରୁ, ଶୂନ୍ୟବାଣୀ ହେଲା- ଆଜି ଏକାଦଶୀ ଉପବାସ କରିଥିବା କେହି ଯଦି ଆସି ରଥକୁ ସ୍ପର୍ଶ କରେ, ରଥ ପୁଣି ଉଡ଼ିବ।

ସେ ରାଜ୍ୟରେ କେହି ଏକାଦଶୀ ବ୍ରତ ବା ଉପବାସ କରୁନଥିଲେ। କିନ୍ତୁ ତାହା ଶୁଣି ସାଧବ କହିଲା- ମୋ ସାନବୋହୂ ଆଜି କିଛି ଖାଇନି। ଉପବାସରେ ଅଛି। ତେଣୁ ସାନବୋହୂକୁ ରଥ ପାଖକୁ ଡକାହେଲା। ସେ ଆସି ରଥକୁ ସ୍ପର୍ଶ କରିବାରୁ ରଥ ଉଠି ପୁଣି ଆକାଶ ମାର୍ଗରେ ଗତିକଲା।

ଏହି ବ୍ରତକଥା ଆମକୁ ଶିକ୍ଷା ଦିଏ- ଖାଲି ରୂପ ଥିଲେ କିଛି ଲାଭ ନାହିଁ। ଗୁଣ ନଥିଲେ ସବୁ ଅସାର। ପୁଣି, ଏହା ମଧ୍ୟ ଶିଖାଏ- ଜାଣତରେ ହେଉ ବା ଅଜାଣତରେ, ଏକାଦଶୀ ଉପବାସ କଲେ ଅନେକ ପୁଣ୍ୟ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe