ଜୀବନ-ମନ୍ତ୍ର: ଚଇତି ପୂନେଇଁ ମଙ୍ଗଳବାର

ଜୀବନ-ମନ୍ତ୍ର: ଚଇତି ପୂନେଇଁ ମଙ୍ଗଳବାର

ଓଡ଼ିଆ ବ୍ରତ ପରମ୍ପରାରେ ଚୈତ୍ର ମଙ୍ଗଳବାର ହେଉଛି ମାଆ ମଙ୍ଗଳାଙ୍କର ବ୍ରତ ବା ଓଷା। କିନ୍ତୁ ଆମ ପରମ୍ପରାରେ ଚୈତ୍ର ପୂର୍ଣ୍ଣମୀ ମଙ୍ଗଳବାର ବ୍ରତର ବିଶେଷ ମହତ୍ତ୍ୱ ଅଛି। ଏହି ମହତ୍ତ୍ୱ ହେଉଛି- ଏଥିରେ ରାଣୀ ଓ ଶୁଣ୍ଢିଆଣୀ ଉଭୟେ ବ୍ରତ କରନ୍ତି।
ବ୍ରତକଥା ଅନୁସାରେ- ରାଣୀ ଓ ଶୁଣ୍ଢିଆଣୀ ଦୁହେଁ ସଙ୍ଗାତ। ଦିନେ ରାଣୀ କହିଲେ- ଆଗୋ ସଙ୍ଗାତ, ତୁମ୍ଭେ କି ଖାଇ ଏଡ଼େ ଗଣ୍ଡି କରିଛ? ଶୁଣ୍ଢିଆଣୀ କହିଲା- ସାଆନ୍ତାଣିଏ! ମଦ, ମାଂସ, କୁକୁଡ଼ା ଡିମ୍ବ ଖାଇ ଏଡ଼େ ଗଣ୍ଡି କରିଛି। ତାହା ଶୁଣି ରାଣୀ କହିଲେ- ମୋତେ ସେସବୁ ଦରବ ଆଣି ଦିଅ। କିନ୍ତୁ ସେ ଡରିଲା। କହିଲା- ତୁମ୍ଭେ ରାଜା ଘର, ଧରାପଡ଼ିଲେ ମୋତେ ଦଣ୍ଡ ହେବ। କିନ୍ତୁ ରାଣୀ ବାରମ୍ବାର କହିବାରୁ ଶୁଣ୍ଢିଆଣୀ କହିଲା- ହଉ, ପୂର୍ଣ୍ଣମୀ ଦିନ ଯେ ମଙ୍ଗଳବାର ପଡ଼ିବ, ସେଦିନ ଆଣି ଦେବି।
କିନ୍ତୁ ପୂର୍ଣ୍ଣିମା ପୂର୍ବଦିନ ଶୁଣ୍ଢିଆଣୀ କହିଲା- କାଲି ଚୈତ୍ର ପୂର୍ଣ୍ଣିମା ମଙ୍ଗଳବାର। ମୁଁ ମା’ ମଙ୍ଗଳାଙ୍କ ଓଷା କରିବି। ତାହା ଜାଣି ରାଣୀ କହିଲେ- ମୁଁ ବି ଓଷା କରିବି। ମୋତେ ବ୍ରତ ଦିଅ। ସେ କଥା ଶୁଣି ଶୁଣ୍ଢିଆଣୀ ନିଜ ହାତରୁ ବ୍ରତ ଖୋଲି ରାଣୀଙ୍କୁ ଦେଲା।
କିନ୍ତୁ ସେଦିନ ରାଜା ଲୋକ ପଠାଇ ଶୁଣ୍ଢିଆଣୀ ଘରୁ ସବୁ ଦରବ ବୋହି ନେଲେ। ତା’ ପୁଅ ଓ ସ୍ୱାମୀକୁ ବାନ୍ଧି ନେଇ କାରାଗାରରେ ପକାଇଦେଲେ। ସେଦିନ ରାତିରେ ମା’ ମଙ୍ଗଳା ତାକୁ ସପନେଇ କହିଲେ- ତୁ ନିଜେ ଓଷା ନକରି ସଙ୍ଗାତକୁ ନିଜ ବ୍ରତ ଦେବାରୁ ତୋତେ ଏ ବିପତ୍ତି ପଡ଼ିଲା। ଏବେ ତୁ ଓଷା କର। ତୋର ସବୁ ଭଲ ହେବ।
ସପନ ତୁଟି ଶୁଣ୍ଢିଆଣୀ ଚେତି ଉଠିଲା। ପରଦିନ ନିଷ୍ଠାର ସହ ଚଇତିପୂନେଇ ମଙ୍ଗଳବାର ଓଷା କଲା। ସେ ଦିନ ଯାଇ ରାତି ହେଲା। ମାଆ ସର୍ବମଙ୍ଗଳା ରାଜାଙ୍କୁ ସପନେଇ କହିଲେ- ଶୁଣ୍ଢୀ ଘରୁ ଯେ ଯେ ଦରବ ବୋହି ଆଣିଛ, ସବୁ ଫେରାଇ ଦିଅ। ସପନ ତେଜି ରାଜା ଉଠି ବସିଲେ। ମନ୍ତ୍ରୀଙ୍କୁ ସବୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଲେ। ଶୁଣ୍ଢୀ ବାପପୁଅଙ୍କୁ ବି କାରାଗାରରୁ ମୁକୁଳାଇ ଦେଲେ। ତା’ ପରଠାରୁ ବରଷକୁ ବରଷ ଶୁଣ୍ଢିଆଣୀ ଚଇତ ମାସ ପୂନେଇଁ ମଙ୍ଗଳବାର ଓଷା କରେ। ସଂସାରର ଲୋକେ ମଧ୍ୟ ଏ ଓଷା କରି ଉତ୍ତମ ପୁତ୍ର, ଧନ, ଜନ ପାଆନ୍ତି। ଠାକୁରାଣୀ ଦୟାକରି ସବୁ ସଙ୍କଟ ବିପତ୍ତି ଦୂର କରିଦିଅନ୍ତି।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
jibanmantra@sambad.in

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe