Nokia Corporation
ରେକର୍ଡିଂର ଉଦ୍ଭାବନ, ସଂଗୀତ ଜଗତ ପାଇଁ ଏକ ବିପ୍ଳବ ଆଣି ଦେଇଥିଲା। ଏହାଦ୍ବାରା କୋଟି କୋଟି ସଂଗୀତକୁ ସଂରକ୍ଷିତ କରାଯାଇପାରିଲା। ଏହି ପ୍ରକ୍ରିୟାରୁ ଗ୍ରାମୋଫୋନ୍, ଟେପ୍-ରେକର୍ଡର୍, ୱାକ୍ମ୍ୟାନ୍, ଆଇପଡ୍ ଆଦି ଗୀତ ଶୁଣିବାର ଭିନ୍ନଭିନ୍ନ ମାଧ୍ୟମର ଜନ୍ମ। ଇୟର୍ଫୋନ୍କୁ ମଧ୍ୟ ଏହି ତାଲିକାରୁ ବାଦ୍ ଦିଆଯାଇ ନପାରେ। ଆଜିକା ଯୁଗରେ ଛୋଟ ସ୍ମାର୍ଟଫୋନ୍ଟିଏ ସେସବୁର ବିକଳ୍ପ ହୋଇପାରିଥିଲେ ହେଁ ଇୟର୍ଫୋନ୍ର ଚାହିଦା ଓ ଆବଶ୍ୟକତା କିନ୍ତୁ ମରି ନାହିଁ। ପାଖ ଲୋକକୁ ହଇରାଣ ନ କରି ସଂଗୀତ ଶୁଣିବା ସହ କଥା ହେବା ଏହି ଇୟର୍ଫୋନ୍ ଦ୍ବାରା ସାଧିତ ହୋଇପାରୁଛି। ଅବଶ୍ୟ ଇୟର୍-ଫୋନ୍ ବି ସମୟ ସହ ତାଳ ଦେଇ ନିଜ ରୂପ ପରିବର୍ତ୍ତନ କରିସାରିଲାଣି। ଏବେ ଖୁବ୍ କମ୍ ତାରଲଗା ଇୟର୍ଫୋନ୍ର ବ୍ୟବହାର ଦେଖିବାକୁ ମିଳୁଛି। ଆଜିକାଲିକା ଯୁବପିଢ଼ି ଏହା ବଦଳରେ ତାରମୁକ୍ତ ଇୟର୍-ବଡ୍ସ, ବ୍ଲ୍ୟୁଟୁଥ୍ ହେଡ୍ଫୋନ୍ ଆଦିର ବ୍ୟବହାର ବେଶି କରୁଛନ୍ତି। ଏଥିରେ ତାର ଗୁଡ଼େଇ ହୋଇଯିବାର ଝିନ୍ଝଟ୍ କିମ୍ବା କିଛି ଦିନ ପରେ ଖରାପ ହୋଇଯିବା ଅବା ମୂଷା ନଷ୍ଟ କରିଦେବାର ଚିନ୍ତା ନାହିଁ। ଆଜିକାଲି ବଜାରରେ ମିଳୁଥିବା ଏସବୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦକୁ ନେଇ ଏଥରର ବିଶେଷ ଉପସ୍ଥାପନା...
‘ବାସ୍’ ପାଇଁ ପସନ୍ଦ ହେଡ୍ଫୋନ୍
ଅଧିକାଂଶ ଯୁବକ/ଯୁବତୀଙ୍କୁ ଉଚ୍ଚ ଶବ୍ଦରେ ଓ ଦୁମ୍ଦୁମ୍ଭରା ଗୀତ ଶୁଣିବାକୁ ଭଲ ଲାଗିଥାଏ। ଏହାକୁ ଇଂରାଜୀରେ ‘ବାସ୍’ ବୋଲି କୁହାଯାଏ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ୱେୟାରଲେସ୍ ହେଡ୍ଫୋନ୍ ସେମାନଙ୍କ ଏହି ଅଭିଳାଷ ପୂରଣ କରିଥାଏ। ପ୍ରାତଃଭ୍ରମଣ, ଯୋଗ ବା ବ୍ୟାୟାମ ଓ ଏକାକୀ ନୃତ୍ୟ କରୁଥିବା ବେଳେ ଯୁବପିଢ଼ି ଏ ପ୍ରକାର ହେଡ୍ଫୋନ୍ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥା’ନ୍ତି। ଏହି ହେଡ୍-ଫୋନ୍ରେ ଗୀତ ଶୁଣିବାର ଏକ ଅଲଗା ମଜା ମିଳିଥାଏ। ସେହିପରି ଭିଡିଓ ଗେମ୍ ଖେଳୁଥିବା ଗେମ୍ର ଓ ମ୍ୟୁଜିକ୍ କମ୍ପୋଜର୍ମାନେ ମଧ୍ୟ ଏହାର ଅଧିକ ବ୍ୟବହାର କରିଥା’ନ୍ତି। ବଜାରରେ ଏଭଳି ହେଡ୍ଫୋନ୍ର ଦାମ୍ ୬୯୯ ଟଙ୍କାରୁ ଆରମ୍ଭ କରି ୨୫ହଜାର ଟଙ୍କା ମଧ୍ୟରେ ରହିଛି। ଗୁଣବତ୍ତା ଓ ବ୍ରାଣ୍ଡ ଅନୁଯାୟୀ ଏହାର ଦାମ୍ ସ୍ଥିର ହୋଇଥାଏ। ବିପିଏଲ୍, ବୋଟ୍, ଇନ୍ଫିନିଟି, ସୋନି ଓ ଜେବିଏଲ୍ ଆଦି କମ୍ପାନିଗୁଡ଼ିକର ହେଡ୍ଫୋନ୍ ରାଜଧାନୀରେ ବଜାରରେ ବେଶି ବିକ୍ରି ହେଉଥିବା ଜଣାଯାଇଛି। ବୋଟ୍ କମ୍ପାନିର ହେଡ୍ଫୋନ୍ ୨ହଜାର ଟଙ୍କାରେ ଉପଲବ୍ଧ। ଏହା ଶସ୍ତା, ସୁନ୍ଦର ଓ ଅଧିକ ଦିନ ବ୍ୟବହାରଯୋଗ୍ୟ ହୋଇଥିବାରୁ ବେଶି ବିକ୍ରି ହେଉଛି ବୋଲି କହିଛନ୍ତି ବାପୁଜୀନଗରସ୍ଥିତ ରିଲାଏବଲ୍ ଇନ୍ଫୋଟେକ୍ର ସ୍ବତ୍ବାଧିକାରୀ ମନୋଜ ସାହୁ।
କ୍ରେଜ୍ରେ ଇୟରବଡ୍ସ
Smyths Toysଇୟରବଡ୍ସକୁ ନେଇ ଏବେକାର ଯୁବପିଢ଼ିଙ୍କ ଭିତରେ ଅଧିକ କ୍ରେଜ୍ ରହିଛି। ଏଥିରେ ତାର ନଥିବାରୁ ତାରରେ ଛନ୍ଦି ହେବାର ଭୟ ନଥାଏ। ଏହା ସ୍ମାର୍ଟଫୋନ୍ ସହ ବ୍ଲୁ-ଟୁଥ୍ ଜରିଆରେ ସଂଯୋଗ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଫୋନ୍ ରହିଲେ, ଇୟର୍ବଡ୍ସ ଦ୍ବାରା ଫୋନ୍ରୁ ଗୀତ ଶୁଣିବା ସହ କଥା ହେବା ସମ୍ଭବପର। ଏହା ଦ୍ବାରା ଆପଣ ଗୀତ ପରିବର୍ତ୍ତନ କରିବା ସହ କଲ୍ ରିସିଭ୍ ଓ କଟ୍ ମଧ୍ୟ କରିପାରିବେ। ରାଜଧାନୀ ବଜାରରେ ଏବେ ବିଭିନ୍ନ ବ୍ରାଣ୍ଡର ଭଳକିଭଳି ଇୟରବଡ୍ସ ଉପଲବ୍ଧ। ଏହାର ଦାମ୍ ସର୍ବନିମ୍ନ ୮୯୯ ଟଙ୍କାରୁ ଆରମ୍ଭ କରି ସର୍ବୋଚ୍ଚ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣତଃ ବିପିଏଲ୍, ବୋଟ୍, ଜେବିଏଲ୍, ଗୁଗଲ୍, ଅପରଚ୍ୟୁନିଟି, ରିୟଲ୍-ମି, ୱାନ୍ପ୍ଲସ୍, ରେଡ୍ମି ଓ ଫିଲିପ୍ସିର ଇୟରବଡ୍ ରାଜଧାନୀ ବଜାରରେ ଉପଲବ୍ଧ ହେଉଛି। ବୋଟ୍ ଓ ରିୟଲ୍-ମିର ଇୟରବଡ୍ସ ଗ୍ରାହକଙ୍କ ପକେଟ୍କୁ ସୁହାଉଥିବାରୁ ଏହା ବେଶି ବିକ୍ରି ହେଉଛି ବୋଲି ଏସ୍ପ୍ଲାନେଡ୍ ମଲ୍ରେ ରିଲାଏନ୍ସ ଡିଜିଟାଲର ଜଣେ କର୍ମଚାରୀ କହିଛନ୍ତି।
ସମସ୍ତଙ୍କ ବେକରେ ବ୍ଲୁଟ୍ୟୁଥ୍ ଇୟରଫୋନ୍
Mi.com୨୦ରୁ ୪୦ ବର୍ଷ ମଧ୍ୟରେ ଯୁବକ/ଯୁବତୀ, ପ୍ରତି ୪ଜଣରୁ ଜଣଙ୍କ ବେକରେ ଫୁଲମାଳ ଭଳି ଗୋଟିଏ ପ୍ଲାଷ୍ଟିକ୍ ଓ ସେଥିରୁ ଦୁଇଟି ତାର ଯାଇ ଦୁଇ କାନ ଭିତରେ। ରାଜଧାନୀରେ ଏପରି ଦୃଶ୍ୟ ଏବେ ଅତି ସାଧାରଣ ହୋଇଗଲାଣି। କଲେଜ୍ ପଢ଼ୁଆ ପିଲା ହେଉ ବା କର୍ମଜୀବୀ, ଏପରି ବ୍ଲୁଟୁଥ୍ ଇୟରଫୋନ୍ର ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏଥିରେ ମଧ୍ୟ ଗୀତ ଶୁଣିବା ସହ ଫୋନ୍ରେ କଥା ହେବା ଭଳି ବୈଶିଷ୍ଟ୍ୟ ରହିଛି। ବର୍ତ୍ତମାନ ୱାନ୍ପ୍ଲସ୍, ବୋଟ୍, ରିୟଲ-ମି ଆଦି ବ୍ଲୁଟ୍ୟୁଥ୍ ଇୟରଫୋନ୍ ବ୍ରାଣ୍ଡ୍ର ଗ୍ରାହକଙ୍କ ସଂଖ୍ୟା ବେଶ୍ ଅଧିକ। ରାଜଧାନୀ ବଜାରରେ ଏହାର ମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ରିକନେକ୍ଟ, ଜେବିଏଲ୍, ବୋଟ୍, ଇନ୍ଫିନିଟି, ଆୱା, ଫିଲିପ୍ସ୍ ଭଳି ବ୍ରାଣ୍ଡ୍ର ରାଜଧାନୀରେ ବେଶି ଚାହିଦା ଥିବା ବାପୁଜୀ ନଗରସ୍ଥିତ ମ୍ୟୁଜିକ୍ ହଟ୍ସ୍ପଟ୍ ପକ୍ଷରୁ ସୂଚନା ଦିଆଯାଇଛି।
Follow Us