child care Photograph: (sambad.in)
ଭୁବନେଶ୍ବର: ସବୁଠାରୁ ଅଧିକ ଯତ୍ନ ନେବାର ଋତୁ ହେଉଛି ଶୀତ ଋତୁ। ଏହି ସମୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଧ୍ୟାନ ନେବା ଆବଶ୍ୟକ। ଖାସ୍ କରି ଛୋଟ ଛୁଆଙ୍କ ସ୍ବାସ୍ଥ୍ୟ। ପିଲାଙ୍କ ସ୍କୁଲ୍ ମଧ୍ୟ ସକାଳେ ଥାଏ। ଏହି ଦିନରେ ବିଭିନ୍ନ ଜୀବାଣୁ ଭୂତାଣୁ ଜନିତ ରୋଗ, ଥଣ୍ଡା, କାଶ ପ୍ରଭୃତି ରୋଗ ଦେଖାଯାଏ। ବିଭିନ୍ନ ଆଲର୍ଜି ଠାରୁ ଆରମ୍ଭ କରି ବିଭିନ୍ନ ଶ୍ବାସ ଜନିତ ରୋଗ ଦେଖାଯିବାର ସମ୍ଭାବନା ରହିଛି। ତେଣୁ ଏ ସବୁଥିରେ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନଜର ପକାଇବା ନିହାତି ଦରକାର। ଚାଲନ୍ତୁ ଜାଣିବା କି କି ରୋଗ ହେବାର ସମ୍ଭାବନା ରହିଛି…
ଚର୍ମରୋଗ
ଶୀତଋତୁରେ ବାୟୁମଣ୍ଡଳ ତାପମାତ୍ରା କମିଯାଇଥାଏ। ଏହା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ। ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ହେତୁ ଚର୍ମ ଶୁଷ୍କ ହୋଇ ଧୂସର ବର୍ଣ୍ଣ ଦେଖାଯାଏ। ଶୀତ ଋତୁରେ ଆଲର୍ଜି ହେତୁ ଚର୍ମ କୁଣ୍ଡିଆ ରୋଗ ଅଧିକ ହୋଇଥାଏ। ଶିଶୁଙ୍କ ଏହି ସମୟରେ କାଛୁ ଓ କୁଣ୍ଡିଆ ରୋଗ ଅଧିକ ହୋଇଥାଏ। ବିଶେଷ କରି ହଷ୍ଟେଲ ଓ ଅଧିକ ଲୋକ ରହୁଥିବା ଗୃହରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖାଯାଏ।
ଶ୍ୱାସରୋଗ
ଏହା ଭୂତାଣୁ ଜନିତ କିମ୍ବା ଜୀବାଣୁ ଦ୍ୱାରା ହୋଇଥାଏ। ଇନଫ୍ଲୁଏଞ୍ଜା ଓ ଆର.ଏସ.ଭି ଭୂତାଣୁ ଦ୍ୱାରା ଶିଶୁ ଆକ୍ରାନ୍ତ ହୋଇଥାଏ। ସମାନ୍ୟ ଥଣ୍ଡା ଜ୍ୱର ଠାରୁ ଆରମ୍ଭ କରି ଅତି ସାଂଘାତିକ ବ୍ରୋଙ୍କିଓଲାଇଟିସ ରୋଗ ଶିଶୁ ଠାରେ ଦେଖାଦେଇଥାଏ। ଏହି ରୋଗରେ ଶିଶୁ ଖୁବ ଦ୍ରୁତ ଗତିରେ ନିଶ୍ୱାସ ନେଇଥାଏ। ମାଆ ଠାରୁ ଖାଦ୍ୟ ଖାଇପାରେ ନାହିଁ। ୨ ବର୍ଷରୁ କମ୍ ଶିଶୁଙ୍କ ଠାରେ ଏହା ଅଧିକ ଦେଖାଯାଏ। ନାକରୁ ପାଣି ବାହାରିବା ସହ ପୂର୍ବରୁ ଥିବା ଶ୍ୱାସ ରୋଗ ଅଧିକ ବୃଦ୍ଧି ପାଇଥାଏ। ଛିଙ୍କ ଏହି ସମୟରେ ସାଧାରଣ ରୋଗ।
ତରଳଝାଡ଼ା
ଛଅମାସରୁ ତିନିବର୍ଷ ବୟସର ଶିଶୁଙ୍କୁ ବାନ୍ତି ଝାଡ଼ା ଦେଖାଦେଇଥାଏ। ଏହା କୌଣସି ଔଷଧ ଦ୍ୱାରା ଭଲ ହୋଇ ନଥାଏ। କେବଳ ଓଆରଏସ ଓ ଜିଙ୍କ୍ ଔଷଧ ଦ୍ୱାରା ଧୀରେ ଧୀରେ ଭଲ ହୋଇଥାଏ। ଏହାକୁ ବାଛୁରା ଝାଡ଼ା, ପତ୍ରଛଡ଼ି ଝାଡା ବା ଚୁର୍ଣ୍ଣା ବାଛରା କୁହାଯାଏ ।
ଆହୁରି ପଢନ୍ତୁ- Winter Face Care and Cream: ଶୀତଦିନରେ ଓଠର ନିଅନ୍ତୁ ଯତ୍ନ: ଘରେ ବନାନ୍ତୁ ଲିପ୍ବାମ୍
ମାନସିକ ଅବସାଦ
କେତେ ବୟସ୍କ ଶିଶୁଙ୍କ ଠାରେ ଶୀତ ଋତୁ ମାନସିକ ଅବସାଦ ଆଣିଥାଏ। ତେଣୁ ଏ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
ରିପୋର୍ଟ- ପ୍ରଗତି ସାହୁ
ଆହୁରି ପଢନ୍ତୁ- Ghee and Jaggery: ରାତି ଖାଇବା ପରେ ଘିଅ ଓ ଗୁଡ଼ ସେବନ କରିବାର ଉପକାରିତା ଜାଣନ୍ତୁ
Follow Us