ନୂଆଦିଲ୍ଲୀ: ଲୋକେ ଆଜିକାଲି ସ୍ବାସ୍ଥ୍ୟପ୍ରତି ଖୁବ ଯତ୍ନଶୀଳ ହେଲେଣି। ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ବ୍ୟାୟାମ ବି କରୁଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କିନ୍ତୁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି ସେମାନଙ୍କ ପାଇଁ ଡାକ୍ତର ମହିରା ମେଘାନି ପ୍ରେରଣା ପାଲଟିଛନ୍ତି।
ମୁମ୍ବାଇର ବାସିନ୍ଦା ମାହିରା ବୃତ୍ତିରେ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପ୍ରଶିକ୍ଷକ ଅଟନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ହେତୁ ଧୀରେଧୀରେ ତାଙ୍କ ଓଜନ ବଢ଼ିବଢ଼ି ୧୦୫ କିଲୋଗ୍ରାମରେ ପହଞ୍ଚି ଯାଇ ଥିଲା। ସମସ୍ୟା କେବଳ ଓଜନ ନୁହେଁ। ତାଙ୍କର ପିସିଓସି ଏବଂ କୋଲେଷ୍ଟ୍ରଲ ପରି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଥିଲା । ଆମକୁ ଜାଣି ରଖିବାକୁ ହେବ ଯେ ମୋଟାପଣ ସମସ୍ତ ରୋଗର ମୂଳ କାରଣ । ତେଣୁ ଏହାକୁ ମୂଳରୁ ନିପାତ କରି ଦେଲେ ଆମେ ସୁସ୍ଥ ଜୀବନଯାପନ କରି ପାରିବା।
ଏହି ସମସ୍ତ ସମସ୍ୟାର ସାମ୍ନା କରି ଡାକ୍ତର ମାହିରା ମାତ୍ର ୮ ମାସରେ ୩୯ କିଲୋ ଓଜନ ହ୍ରାସ କରିଥିବା ଜଣାପଡ଼ିଛି। ମାହିରାଙ୍କ ଓଜନ ହ୍ରାସ ଖବର ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଉକ୍ତ ଡାକ୍ତରଙ୍କ ଖାଦ୍ୟ ଓ ଜୀବନଶୈଳୀ କେମିତି ରହିଛି ଜାଣିବା ପାଇଁ ଚାହିଁଛନ୍ତି।
ଡାକ୍ତର ମାହିରା ଓଜନ ହ୍ରାସ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ପରେ ପ୍ରଥମେ ସେ ନିଜ ଖାଦ୍ୟ ଉପରେ ଧ୍ୟାନ ରଖିଥିଲେ। ଖାଦ୍ୟରେ ତେଲର ବ୍ୟବହାର କମ କରିବା ସହିତ ଅଣ୍ଡା, ପନୀର, ଦହି ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରିଲେ। ମିଠା ଓ ଛଣା ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ଭାବେ ସେ ନିଜ ଖାଦ୍ୟ ତାଲିକାରୁ ବାହାର କରି ଦେଇଥିଲେ। ଯେବେଳେ ଭୋକ ଲାଗିଲା ଫଳ ଓ ସବୁଜ ପନିପରିବା ପ୍ରଚୁରମାତ୍ରାରେ ଖାଇଥିଲେ। ନିୟମିତ ବ୍ୟାୟାମ କରିଥିଲେ।
ଆପଣ ବି ଡାକ୍ତରଙ୍କ ଭଳି ଏହି ସରଳ ଉପାୟ ଆପଣାଇ କିଛିମାତ୍ରାରେ ନିଜର ଓଜନ ହ୍ରାସ କରି ପାରିବେ। ତେବେ ଓଜନ ହ୍ରାସ କରିବା ପୂର୍ବରୁ ଆପଣ ନିଜର ସୁବିଧା ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ରହିଛି।
Follow Us