ଡାକ୍ତରଙ୍କୁ ପ୍ରଶ୍ନ: ଜୀବନଶୈଳୀ ଯୋଗୁଁ ବଢୁଛି ମସ୍ତିଷ୍କ ରୋଗ

ଡାକ୍ତରଙ୍କୁ ପ୍ରଶ୍ନ: ଜୀବନଶୈଳୀ ଯୋଗୁଁ ବଢୁଛି ମସ୍ତିଷ୍କ ରୋଗ

ଆସନ୍ତା ଜୁଲାଇ ୨୨ରେ ପାଳନ ହେବ ବିଶ୍ୱ ମସ୍ତିଷ୍କ ଦିବସ। ଏହାର ଅବ୍ୟବହିତ ପୂର୍ବରୁ ବର୍ତ୍ତମାନ ବହୁଳ ଭାବେ ଦେଖାଯାଉଥିବା ସ୍ନାୟବିକ ରୋଗ ପାର୍କିନ୍‌ସନ୍‌ ଓ ବ୍ରେନ୍‌ଷ୍ଟ୍ରୋକ୍‌ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରାଯାଇଛି ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟଦର୍ଶନ ନାୟକଙ୍କ ସହିତ...

 ପାର୍କିନ୍‌ସନ୍‌ ରୋଗ କ’ଣ?
ସରଳ ଭାଷାରେ କହିଲେ, ମସ୍ତିଷ୍କରୁ ନେଇ ଶରୀରର ବିଭିନ୍ନ ସ୍ନାୟୁରେ କ୍ରମାଗତ ବଢ଼ିଚାଲୁଥିବା ସ୍ନାୟବିକ ସ୍ଥବିରତା ହେଉଛି ପାର୍କିନ୍‌ସନ୍‌। ଏହି ରୋଗ ଚଳପ୍ରଚଳ କ୍ଷମତାକୁ ଧୀରେଧୀରେ ସଂକୁଚିତ କରିଦିଏ। ପ୍ରାଥମିକ ପର୍ଯ୍ୟାୟରେ ଏହା ଗୋଟିଏ ହାତ ଥରିବା ପ୍ରକ୍ରିୟାରୁ ଆରମ୍ଭ ହୋଇ ପରେ ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ, ଏପରିକି ସମଗ୍ର ମୁଖମଣ୍ଡଳ ମଧ୍ୟ ଥରିବା ଆରମ୍ଭ କରିଥାଏ। ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କରା ନଗଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଜଡ଼ କରିଦେବା ସହିତ ଶରୀରର ନମନୀୟତାକୁ ନଷ୍ଟ କରିଦିଏ।

 ଏହା କାହିଁକି ହୋଇଥାଏ?
ନିର୍ଦ୍ଦିଷ୍ଟ ଭାବେ ଏହାର କାରଣ ବ୍ୟାଖ୍ୟା କରିବା ସହଜ ନୁହେଁ। କିନ୍ତୁ କେତେକ ସ୍ଥଳରେ ଦେଖାଯାଇଛି ବୟସାଧିକ୍ୟ ହେତୁ ପାର୍କିନ୍‌ସନ୍ ହୋଇଥାଏ। ମସ୍ତିଷ୍କର ‘ସବ୍‌ଷ୍ଟାନିଆ ନାଏଗ୍ରା’ ନାମକ ଅଂଶରେ ସ୍ନାୟୁକୋଷଗୁଡ଼ିକର ଅବକ୍ଷୟ ଏହାର ଅନ୍ୟତମ କାରଣ। ଏହି ସ୍ନାୟୁଗୁଡ଼ିକ ‘ଡୋପାମାଇନ୍’ ନାମକ ରସାୟନ ନିର୍ଗତ କରିଥାଆନ୍ତି, ଯାହା ମସ୍ତିଷ୍କର ସଂଚାଳନ ଓ ସମନ୍ୱୟରେ କାର୍ଯ୍ୟ କରିଥାଏ।

 ଏହି ରୋଗର ଲକ୍ଷଣଗୁଡ଼ିକୁ କିପରି ଜାଣିବା?
ଚଳପ୍ରଚଳ ହେବାରେ ବିଭ୍ରାଟ; ହାତ, ଗୋଡ଼ ଓ ସମୟକ୍ରମେ ମୁହଁ (ହନୁହାଡ଼) ଥରିବା, ବିଶ୍ରାମ ସମୟରେ ଅଙ୍ଗପ୍ରତ୍ୟଙ୍ଗ ଥରିବା, ଅଙ୍ଗ ସଂଚାଳନ ମନ୍ଥର ହେବା ଓ ଶରୀରର ଭାରସାମ୍ୟ ନରହିବା ଇତ୍ୟାଦି ପାର୍କିନ୍‌ସନ୍‌ର ପ୍ରମୁଖ ଲକ୍ଷଣ। ଏଥିସହ କଥାବାର୍ତ୍ତାରେ ତାଳମେଳ ନରହିବା ଓ ମୁହଁରେ ଭାବପ୍ରବଣତା କମିବା ମଧ୍ୟ ଏ ରୋଗର ଲକ୍ଷଣ। ଅନେକ ସମୟରେ ରୋଗୀ ଅବସାଦଗ୍ରସ୍ତ ହୋଇଯାଏ। ଉପଯୁକ୍ତ ସମୟରେ ଚିକିତ୍ସା ନହେଲେ ରୋଗୀର ମତିଭ୍ରମ ହୋଇଥାଏ।

 ପାର୍କିନ୍‌ସନ୍‌ ରୋଗର ଚିକିତ୍ସା ସମ୍ଭବ କି?
ଏଯାବତ୍‌ ପାର୍କିନ୍‌ସନ୍‌ ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ମୁଖ୍ୟତଃ ‘ଡୋପାମାଇନ୍’ ରସାୟନର କ୍ଷରଣ ବଢ଼ାଇବା ଏବଂ ଏଥିପାଇଁ ବିକଳ୍ପ ଔଷଧ ଦେବା ତଥା ବିଶେଷଜ୍ଞଙ୍କ ପରାମର୍ଶରେ ଶାରୀରିକ ବ୍ୟାୟାମ୍ ଓ ଯୋଗ ନିୟମିତ କରିବା ସାଙ୍ଗକୁ ଜୀବନଶୈଳୀରେ କେତେକ ପରିବର୍ତ୍ତନ ଏହି ରୋଗକୁ ନିୟନ୍ତ୍ରଣ କରିପାରିବ।

 ଏବେ ବ୍ରେନ୍‌ଷ୍ଟ୍ରୋକ୍‌ ଏକ ବଡ଼ ସ୍ବାସ୍ଥ୍ୟ ସଂକଟ। ଏହାର କାରଣ, ଲକ୍ଷଣ ଓ ଚିକିତ୍ସାକୁ ନେଇ କ’ଣ କହିବେ?
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବିଶ୍ରାମହୀନ କାର୍ଯ୍ୟଧାରା ହେତୁ ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଓ ମେଦବହୁଳତା ପ୍ରାୟତଃ ସାଧାରଣ ହୋଇଗଲାଣି। ଧୂମପାନ ଓ ମଦ୍ୟପାନ ମଧ୍ୟ ବଢ଼ିଚାଲିଛି। ଏସବୁ ମସ୍ତିଷ୍କଘାତର (ବ୍ରେନ୍‌ ଷ୍ଟ୍ରୋକ୍‌) କାରଣ। ଷ୍ଟ୍ରୋକ୍ ପରେ ଅସାବଧାନତା ହେତୁ ରୋଗୀର ମୃତ୍ୟୁ ହେଉଛି କିମ୍ବା ଅନେକ ସମୟରେ ରୋଗୀ ଶଯ୍ୟାଶାୟୀ ହୋଇ ବଞ୍ଚିରହି ଦୀର୍ଘ ସମୟ ଯନ୍ତ୍ରଣା ପାଉଛି। ଏହାର ପ୍ରାଥମିକ ଲକ୍ଷଣ ହାତଗୋଡ଼ ଓ ଶରୀର ଝିମ୍‌ଝିମ୍‌ ହେବା, ମୁଣ୍ଡ ଘୂରାଇ ଅନ୍ଧାର ଦେଖାଯିବା, ମୁହଁ ବଙ୍କା ହୋଇଯିବା ଓ କଥା ଅସ୍ପଷ୍ଟ ହେବା। ଏଭଳି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ନ୍ୟୁରୋଲୋଜି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe