ଭଙ୍ଗା ହୃଦୟକୁ ଯୋଡ଼ିବ ବିଦ୍ୟୁତ୍ ଥେରାପି

ଭଙ୍ଗା ହୃଦୟକୁ ଯୋଡ଼ିବ ବିଦ୍ୟୁତ୍ ଥେରାପି

ଜଣେ ପ୍ରଣୟ ସାଥୀ ସହ ବିଚ୍ଛେଦ ପରବର୍ତ୍ତୀ ଅବସ୍ଥାକୁ ଅତିକ୍ରମ କରିବା ଖୁବ୍ କଷ୍ଟକର ବୋଲି ମନୋବିଜ୍ଞାନୀ ମତ ଦିଅନ୍ତି। ଏବେ ଚିକିତ୍ସା ବିଜ୍ଞାନ ଏ ଦିଗରେ ଆଶାର ଝଲକ ଆଣିଛି।
ଇରାନର ଜାଞ୍ଜନ୍ ବିଶ୍ବବିଦ୍ୟାଳୟ ଓ ଜର୍ମାନୀର ବିଲ୍‌ଫେଲ୍‌ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଚଳାଇଥିବା ଏକ ନୂତନ ଅନୁଧ୍ୟାନ ଅନୁଯାୟୀ, ହେଡ୍‌ସେଟ୍ ବ୍ୟବହାର କରି ଏକ ଯନ୍ତ୍ରଣାହୀନ ପ୍ରଣାଳୀ ଦ୍ବାରା ଭଙ୍ଗା ହୃଦୟର ଯନ୍ତ୍ରଣା ଦୂର କରାଯାଇପାରିବ। ଏହି ଅନୁଧ୍ୟାନ ବିଶେଷ କରି ‘ଲଭ୍ ଟ୍ରୋମା ସିଣ୍ଡ୍ରୋମ୍’ (ଏଲ୍‌ଟିଏସ୍) ନାମକ ଏକ ବିଶେଷ ଲକ୍ଷଣ ଉପରେ ପର୍ଯ୍ୟବସିତ, ଯାହା ପ୍ରେମ ସମ୍ପର୍କରେ ବିଚ୍ଛେଦ ପରେ ସୃଷ୍ଟ ତୀବ୍ର ଆବେଗାତ୍ମକ ଯନ୍ତ୍ରଣା, ଉଦାସୀନତା, ଦୁଶ୍ଚିନ୍ତା ଓ ଏପରିକି ଆତ୍ମହତ୍ୟା ପ୍ରବଣତା ସହ ଜଡ଼ିତ। ଉକ୍ତ ଅନୁଧ୍ୟାନରେ ‘ଏଲ୍‌ଟିଏସ୍’ ଭୋଗୁଥିବା ୩୬ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ ଦିନକୁ ଦୁଇ ଥର କରି ପାଞ୍ଚ ଦିନ ଯାଏ ହେଡ୍‌ସେଟ୍ ମାଧ୍ୟମରେ ମସ୍ତିଷ୍କର ଏକ ସ୍ବତନ୍ତ୍ର ଇଲାକାକୁ ୨୦ ମିନିଟ୍ ଧରି ଏକ ଯନ୍ତ୍ର ସାହାଯ୍ୟରେ ହାଲୁକା ବିଦ୍ୟୁତ୍ ଶକ୍ତି ତରଙ୍ଗ ସଂସ୍ପର୍ଶରେ ଅଣା ଯାଇଥାଏ। ସରଳ ଅର୍ଥରେ ମୃଦୁ ବିଦ୍ୟୁତ ଆଘାତ ଦିଆଯାଇଥାଏ।

ପ୍ରେମ ସମ୍ପର୍କରେ ବିଚ୍ଛେଦ ପରେ ତୀବ୍ର ଆବେଗାତ୍ମକ ଯନ୍ତ୍ରଣା, ଉଦାସୀନତା, ଦୁଶ୍ଚିନ୍ତା ଓ ଏପରିକି ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖାଦେଇଥାଏ

ଉଲ୍ଲେଖଯୋଗ୍ୟ, ଆମ ମସ୍ତିଷ୍କର ଡର୍ସୋଲାଟେରାଲ୍ ପ୍ରିଫ୍ରଣ୍ଟାଲ୍ କୋର୍ଟେକ୍ସ (ଡିଏଲ୍‌ପିଏଫ୍‌ସି) ଓ ଭେଣ୍ଟ୍ରୋଲାଟେରାଲ୍ ପ୍ରିଫ୍ରଣ୍ଟାଲ୍‌ କୋର୍ଟେକ୍ସ (ଭିଏଲ୍‌ପିଏଫ୍‌ସି) ଭଳି ଇଲାକା ବିଶେଷ କରି ଭାବପ୍ରବଣତା ସହ ଜଡ଼ିତ। ସେହି ସ୍ବେଚ୍ଛାସେବୀମାନଙ୍କ ଭିତରୁ ଗୋଟିଏ ଦଳକୁ ଡିଏଲ୍‌ପିଏଫ୍‌ସି ଉପରେ ଓ ଆଉ ଗୋଟିଏ ଦଳକୁ ଭିଏଲ୍‌ପିଏଫ୍‌ସି ଉପରେ ବିଦ୍ୟୁତ୍ ଆଘାତ ଦିଆଯାଇଥିବା ବେଳେ ତୃତୀୟ ଦଳକୁ ସେମିତି ଛାଡ଼ି ଦିଆଯାଇଥିଲା। ତେବେ ପାଞ୍ଚ ଦିନ ପରେ ପ୍ରଥମ ଦୁଇ ଦଳଙ୍କ ଠାରେ ‘ଏଲ୍‌ଟିଏସ୍’ ଲକ୍ଷଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ବେଳେ ବିଦ୍ୟୁତ୍ ଆଘାତ ପାଇନଥିବା ତୃତୀୟ ଦଳଙ୍କର ଅବସ୍ଥା ଅପରିବର୍ତ୍ତିତ ରହିଥିଲା। ସେହିପରି ଭିଏଲ୍‌ପିଏଫ୍‌ସି ଦଳ ଅପେକ୍ଷା ଡିଏଲ୍‌ପିଏଫ୍‌ସି ଦଳଠାରେ ଅପେକ୍ଷାକୃତ ଅଧିକ ସୁଧାର ପରିଲକ୍ଷିତ ହୋଇଥିଲା। ଏପରି ବିଦ୍ୟୁତ୍ ଆଘାତ ଚିକିତ୍ସା ବନ୍ଦ ହେବାର ମାସକ ପରେ ମଧ୍ୟ ସ୍ବେଚ୍ଛାସେବୀମାନେ ସେମାନଙ୍କ ସ୍ଥିତିରେ ଉନ୍ନତି ଅନୁଭବ କରିଥିଲେ। ତେବେ ଏହି ଉପଚାରର ସୁଦୂରପ୍ରସାରୀ ପ୍ରଭାବ ଜାଣିବା ପାଇଁ ବିସ୍ତୃତ ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଗବେଷକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe