ବିଶେଷଜ୍ଞ କଥନ: ପ୍ରସବ ବେଦନାକୁ ନା

ବିଶେଷଜ୍ଞ କଥନ: ପ୍ରସବ ବେଦନାକୁ ନା

କୁହାଯାଏ, ମାତୃତ୍ବ ନାରୀକୁ ପୂର୍ଣ୍ଣତା ଦେଇଥାଏ। ଏଣୁ ମା’ ଡାକଟିଏ ଶୁଣିବାକୁ ପ୍ରତ୍ୟେକ ନାରୀ ମନ ବ୍ୟାକୁଳ ଥାଏ। ତେଣୁ ଛୁଆର ପ୍ରଥମ କାନ୍ଦଣା ଶୁଣିବାକୁ ମା’ ପ୍ରସବ ବେଦନାକୁ ବି ଗୌଣ ଭାବିନିଏ। ତେବେ ଚିକିତ୍ସା ପ୍ରକ୍ରିୟା ଉନ୍ନତ ହେବା ପରେ ମାତୃତ୍ବ ଲାଭ ପାଇଁ ପ୍ରସବ ବେଦନା ଆଉ ଅବଶ୍ୟମ୍ଭାବୀ ହୋଇ ରହିନାହିଁ? ବେଦନା ପୂର୍ବରୁ ହିଁ ନବଜାତ ଭୂମିଷ୍ଠ ହେଉଛି। ‘ସିଜରିଆନ୍ ଡେଲିଭରି’ ବା ଅସ୍ତ୍ରୋପଚାର ପ୍ରସବ ଏହା ସମ୍ଭବ କରିଛି। ସେତିକି ନୁହେଁ, ଭଲ ଦିନ, ଶୁଭବେଳା ଓ ଗ୍ରହନକ୍ଷତ୍ରଙ୍କ ଚଳନ ଦେଖି ମଧ୍ୟ ଏବେ ପ୍ରସବ କରାଯାଉଛି।

ବର୍ତ୍ତମାନ ନିରାପଦ ମାତୃତ୍ବକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଆଗରୁ ପ୍ରସବ ପୀଡ଼ା ପରେ ସ୍ବାଭାବିକ ପ୍ରକ୍ରିୟାରେ ଶିଶୁଟିଏ ଜନ୍ମ ହେଉଥିଲା। କିନ୍ତୁ ଏବେର ଅତ୍ୟାଧୁନିକ ଜୀବନଶୈଳୀ, ବିଳମ୍ବିତ ବିବାହ ସହ ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ନଜରରେ ରଖି ଡାକ୍ତରଙ୍କ ସହ ଗର୍ଭବତୀ ମହିଳାଙ୍କ ପରିବାର ସଦସ୍ୟ ସିଜରିଆନ୍ ଡେଲିଭରିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ମାତ୍ର ଏବେ ବି ବହୁ ବିଶେଷଜ୍ଞ ଡାକ୍ତର ଅଛନ୍ତି ଯେଉଁମାନେ ସ୍ବାଭାବିକ ପ୍ରସବକୁ ପ୍ରାଥମିକତା ଦେଉଛନ୍ତି ଏବଂ ସିଜରିଆନ୍ ଡେଲିଭରିକୁ ଦ୍ବିତୀୟ ବିକଳ୍ପ ଭାବେ ବିବେଚନା କରୁଛନ୍ତି। ଆସନ୍ତୁ ଜାଣିବା ଏ ପ୍ରସଙ୍ଗରେ କ’ଣ ମତ ରଖୁଛନ୍ତି ବିଶେଷଜ୍ଞ…

ଯନ୍ତ୍ରଣା ସହିବା ଶକ୍ତି କମୁଛି
ଗର୍ଭାବସ୍ଥାର ୩୫ ସପ୍ତାହ ଭିତରେ ଜଣାପଡ଼ିଯାଏ ଯେ ପ୍ରସବ ସ୍ବାଭାବିକ ହେବ ନା ସିଜରିଆନ୍। ଆମେ ସେହି ଅନୁସାରେ ପ୍ରସୂତିଙ୍କୁ ସଜାଗ କରିଥାଉ। ଶିଶୁ ଓଲଟା ରହିଲେ, ନାଡ଼ ଗୁଡ଼ାଇ ହୋଇଗଲେ କିଂବା ଓଜନ ଅଧିକ ଥିଲେ ସ୍ବାଭାବିକ ପ୍ରସବ ପରାମର୍ଶଯୋଗ୍ୟ ନୁହେଁ। ସାଧାରଣ ପ୍ରସବରେ ଗର୍ଭ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଏବେ ଅଧିକାଂଶ ମହିଳା ଯନ୍ତ୍ରଣାକୁ ଡରି ସିଜରିଆନ୍‌କୁ ବାଛୁଛନ୍ତି। ଅନ୍ୟ ପକ୍ଷରେ ଏବେ ଅଧିକ ଭାବେ ସିଜରିଆନ୍ ଡେଲିଭରି ହେଉଥିବାରୁ ଶିଶୁମୃତ୍ୟୁ ହାର କମିଛି। ଶିଶୁ ସହଜରେ ଜନ୍ମଲାଭ କରୁଛି। ଆଜିକାଲି ଅଧିକାଂଶ ‘ଆମେ ଏକ ଆମର ଏକ’ ନାରାରେ ବିଶ୍ବାସୀ ତେଣୁ ଗୋଟିଏ ସନ୍ତାନ ଚାହୁଛନ୍ତି। ଏଥିପାଇଁ ପ୍ରସବଜନିତ ବିପଦକୁ ଏଡ଼ାଇବାକୁ ଅସ୍ତ୍ରୋପଚାରକୁ ବିକଳ୍ପ ଭାବେ ଚୟନ କରୁଛନ୍ତି।
ସୁଜିତ୍ ବେହେରା, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଆହାନା ଗାଇନିକ୍ କେଆର୍ ଆଣ୍ଡ୍ ଆଇଭିଏଫ୍, ଭୁବନେଶ୍ବର

ତିଥି ଦେଖି ପ୍ରସବ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ
ସ୍ବାଭାବିକ ପ୍ରସବରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଗର୍ଭସ୍ଥ ଶିଶୁର ଗର୍ଭାଶୟ ସହିତ ସଂଯୋଗ କରୁଥିବା ନାଡ଼ଟି ଅଟକି ଯାଉଛି କିମ୍ବା ତା’ର ହୃଦ୍‌ସ୍ପନ୍ଦନ ଅସ୍ୱାଭାବିକ ରହୁଛି, ରକ୍ତ ଜମାଟ ବାନ୍ଧୁଛି। କେତେକ ସ୍ଥଳରେ ଶିଶୁ ଜନ୍ମ ହେଲା ପରେ କାନ୍ଦୁ ନାହିଁ ଓ ତା’ର ମୁତ୍ରାଶୟ ଖସିଯିବାର ଆଶଙ୍କା ରହୁଛି। ଏଣୁ ଶିଶୁର ସ୍ୱାସ୍ଥ୍ୟକୁ ବିଚାର କରି ଅସ୍ତ୍ରୋପଚାର ପାଇଁ କୁହାଯାଏ। ଯଦି ଗର୍ଭବତୀ ଏକତ୍ର ଦୁଇ ବା ଅଧିକ ସନ୍ତାନ ଜନ୍ମ ଦେଉଛନ୍ତି ଓ ଶିଶୁ ଗର୍ଭାଶୟରେ ଭୁଲ୍‌ ସ୍ଥାନରେ ରହିଛି ତେବେ ସିଜରିଆନ୍ କରାଯାଏ। ମା’ର ହର୍ପିସ୍ ସଂକ୍ରମଣ ଥିଲେ ଗର୍ଭସ୍ଥ ଶିଶୁ ସଂକ୍ରମିତ ହୋଇପାରେ; ସେ କ୍ଷେତ୍ରରେ ସିଜରିଆନ୍ ଡେଲିଭରି କରାଯାଏ। ମାତ୍ର ବାର, ତିଥି ଦେଖି ପ୍ରସବ କରାଇବା ସମ୍ପୂର୍ଣ୍ଣ ଭୁଲ୍‌। ଏହା ଅନ୍ଧ ବିଶ୍ବାସକୁ ପ୍ରୋତ୍ସାହନ ଦିଏ। ସବୁବେଳେ ଲକ୍ଷ୍ୟ ରଖିବା ଉଚିତ କି ଶିଶୁଟି କିପରି ସୁସ୍ଥ ଭାବେ ଓ ଠିକ୍ ସମୟରେ ଜନ୍ମ ହେବ।
ଆରତୀ ନାୟକ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ବିଏମ୍‌ସି ହସ୍ପିଟାଲ୍, ଭୁବନେଶ୍ବର

ଆଧୁନିକ ଜୀବନଶୈଳୀରୁ ସମସ୍ୟା
ସ୍ବାଭାବିକ ପ୍ରସବ ଲାଗି ମା’କୁ ନିରନ୍ତର ଅନୁଧ୍ୟାନ କରିବା ଆବଶ୍ୟକ। ଡାକ୍ତରଙ୍କ ସହିତ ଜଣେ ନର୍ସ କିମ୍ବା ସହାୟକ ଏହା କରିଥାଆନ୍ତି। କିନ୍ତୁ ଆଜିକାଲି ଅଧିକାଂଶ ଡାକ୍ତରଖାନାରେ ଏପ୍ରକାର ସୁବିଧା ମିଳୁନାହିଁ। ବ୍ୟସ୍ତବହୁଳ ଜୀବନରେ ମାତୃତ୍ବ ଲାଭ କରିବା ଏକ ସମସ୍ୟା ହୋଇଗଲାଣି। ଏବେର ଅତ୍ୟାଧୁନିକ ଜୀବନଶୈଳୀ, ବିଳମ୍ବିତ ବିବାହ ସହ ଗର୍ଭାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ବି ଉତ୍ପନ୍ନ କରୁଛି। ତେଣୁ ସମସ୍ତେ ସିଜରିଆନ୍ ଡେଲିଭରିକୁ ପସନ୍ଦ କରୁଛନ୍ତି। ଓଡ଼ିଶାରେ ବନ୍ଧ୍ୟାଦୋଷର ହାର ଗତ ଦଶ ବର୍ଷ ମଧ୍ୟରେ ଦଶ ଗୁଣ ବଢ଼ିଗଲାଣି। ବିବାହର ୮ରୁ ୧୨ ବର୍ଷ ପରେ ଯେଉଁମାନେ ଆଇଭିଏଫ୍ କିମ୍ବା ଟେଷ୍ଟଟ୍ୟୁବ୍ ବେବି ପରି ଆଧୁନିକ କୌଶଳ ଦ୍ବାରା ଶିଶୁଟିଏ ପାଉଛନ୍ତି ସେମାନେ କୌଣସି ବିପଦକୁ ହାତକୁ ନ ନେଇ ସିଜରିଆନ୍ ପାଇଁ ଆଗ୍ରହୀ ହେଉଛନ୍ତି।
ବବିତା ପଣ୍ଡା, ଆଇଭିଏଫ୍ ପରମର୍ଶଦାତା,
ଫ୍ୟୁଚର ଫର୍ଟିଲିଟି ସେଣ୍ଟର, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe