ଅନ୍ୟ ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର ଗାଈଘିଅ, ରଖେ ନିରୋଗ ଓ ଦୀର୍ଘାୟୁ

Advertisment
ଅନ୍ୟ ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର ଗାଈଘିଅ, ରଖେ ନିରୋଗ ଓ ଦୀର୍ଘାୟୁ

Picture Courtesy: healthclickaway.com

ଆମ ସଂସ୍କୃତିରେ ଗୋଘୃତ ବା ଗାଈଘିଅର ଏକ ବିଶେଷ ଭୂମିକା ରହିଛି। ପୂଜା, ହୋମ ଆଦି ମାଙ୍ଗଳିକ କାର୍ଯ୍ୟରେ ଏହାର ବ୍ୟବହାର ସମ୍ବନ୍ଧରେ ଆମ୍ଭେମାନେ ଅଳ୍ପେ ବହୁତେ ଅବଗତ। ସ୍ୱାସ୍ଥ୍ୟରକ୍ଷା ଓ ଚିକିତ୍ସା ଦୃଷ୍ଟିରୁ ମଧ୍ୟ ଏହାର ବିଶେଷ ଭୂମିକା ରହିଛି। ଆୟୁର୍ବେଦ ମତରେ, ଗୋଘୃତ ହେଉଛି ସମସ୍ତ ପ୍ରକାରର ସ୍ନେହ ବା ଚର୍ବିଜାତୀୟ ଖାଦ୍ୟ ମଧ୍ୟରେ ଶ୍ରେଷ୍ଠ। ଏଥିରେ ଅଧିକ ପରିମାଣରେ ପରିପୃକ୍ତ ସ୍ନେହସାର ବା ଚର୍ବି ରହିଥିଲେ ମଧ୍ୟ, ଏଥିରେ ଥିବା ବସା ଅମ୍ଳ ବା ‘ଫ୍ୟାଟି ଏସିଡ଼୍‌’ର ସ୍ୱଳ୍ପ ଶୃଙ୍ଖଳ ଏବଂ ଅତ୍ୟାବଶ୍ୟକ ବସାଅମ୍ଳ ବା ‘ଏସେନ୍‌ସିଆଲ ଫ୍ୟାଟି ଏସିଡ଼୍‌’ର ଉପସ୍ଥିତି ଯୋଗୁଁ, ଏହା ଅନ୍ୟାନ୍ୟ ସ୍ନେହସାର ବା ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର। ସେଥିପାଇଁ, ଅତି ପ୍ରାଚୀନକାଳରୁ, ସ୍ୱାସ୍ଥ୍ୟରକ୍ଷାକୁୁ ଲକ୍ଷ୍ୟରେ ରଖି ଆମ ଦୈନନ୍ଦିନ ଆହାରରେ ଗୋଘୃତର ପ୍ରୟୋଗ କରାଯାଇଛି।

ଆୟୁର୍ବେଦ ମତରେ, ଗୋଘୃତ ନିତ୍ୟ ସେବନ କରିବା ଦ୍ୱାରା ଆମର ଧାରଣଶକ୍ତି, ସ୍ମୃତିଶକ୍ତି, ମେଧା, ଅଗ୍ନି, ବଳ, ଓଜନ ଓ ଆୟୁ ବୃଦ୍ଧି ହୋଇଥାଏ। ଏହା ଆମର ଶୁକ୍ରଧାତୁ, ସ୍ୱର ତଥା ନେତ୍ର ପାଇଁ ହିତକାରୀ। ଏହା ବାତ ଓ ପିତ୍ତର ବିକାର, ଉନ୍ମାଦ, ଅପସ୍ମାର ଓ ଜ୍ୱର ଜନିତ ପ୍ରଦାହକୁ ମଧ୍ୟ ନଷ୍ଟ କରିଥାଏ। ଶରୀରର ଓଜ ଓ ତେଜ ଏହାଦ୍ୱାରା ବୃଦ୍ଧି ହୋଇଥାଏ। ମୁଖଗହ୍ୱରରେ ଘା’ ହେଲେ ଏବଂ ଶୀତ ଋତୁରେ ଓଠ ଓ ପାଦତଳ ଫାଟିଲେ, ଗୋଘୃତ ଲଗାଇବା ଦ୍ୱାରା ଉପଶମ ମିଳିଥାଏ। ନିୟମିତ ଗୋଦୁଗ୍‌ଧ ଓ ଗୋଘୃତକୁ ଏକତ୍ର ସେବନ କଲେ ଏହା ବାର୍ଦ୍ଧକ୍ୟକୁ ବିଳମ୍ବିତ କରିଥାଏ।

ଗୋଘୃତ ସାଧାରଣତଃ ପ୍ରାତଃଭୋଜନ ପୂର୍ବରୁ କିମ୍ବା ପ୍ରାତଃଭୋଜନ ସହିତ ସେବନୀୟ। ଏହାର ମାତ୍ରା- ଅଗ୍ନିର ବଳ ତଥା କୋଷ୍ଠ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ତେବେ ଏହାକୁ ଆମେ ସାଧାରଣତଃ ଅଧଚାମଚ ମାତ୍ରାରେ ସେବନ କରିପାରିବା। ଗୋଘୃତ ସେବନ ପରେ ଉଷୁମପାଣି ପିଇବା ବିଧେୟ। ତେବେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହାର ସେବନ ଅନୁଚିତ। ଏହି ସ୍ୱାସ୍ଥ୍ୟ ସମସ୍ୟା ହେଉଛି- ଉଚ୍ଚ କୋଲେଷ୍ଟରଲ, ଯକୃତ ସମ୍ବନ୍ଧୀୟ ରୋଗ, ଅଜୀର୍ଣ୍ଣ, ଜ୍ୱର, ଝାଡ଼ା ଇତ୍ୟାଦି। ଉଚିତ ମାତ୍ରାରେ ଏବଂ ବିଧିପୂର୍ବକ ଗୋଘୃତ ସେବନ ମନୁଷ୍ୟକୁ ନିରୋଗ ରଖିବା ସହିତ ଦୀର୍ଘାୟୁ କରିଥାଏ।

- ଡା. କୁମାର ଅରୋଜ୍ୟୋତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe