ପଦା ହେଉଥିବା ଅରଣ୍ୟ, ଉପେକ୍ଷିତ ଆମିଷ ବଜାର ଏବଂ ଅବଜ୍ଞା କରାଯାଉଥିବା ସାବଧାନତା ଭିତରେ ଆଉ ଗୋଟାଏ ବୈଶ୍ବିକ ମହାମାରୀ ମଥା ଟେକୁଥିବା କଥା ବିଶ୍ବର ଅନ୍ୟତମ ମର୍ଯ୍ୟାଦାଜନକ ସ୍ବାସ୍ଥ୍ୟ ପତ୍ରିକା ‘ଦି ଲାନ୍‌ସେଟ୍‌’ର ସମ୍ପାଦକ କହିଛନ୍ତି। ତାଙ୍କର ଏ ଚେତାବନୀ ଉକ୍ତ ଅନାଗତ ସ୍ବାସ୍ଥ୍ୟ ସଙ୍କଟ ମୁକାବିଲା ନିମନ୍ତେ ବିଶ୍ବବାସୀଙ୍କ ପ୍ରସ୍ତୁତି ବିଷୟକ ଚିନ୍ତା ପୁନଃ ଜାଗ୍ରତ କରିଛି। ଅଗ୍ରଣୀ ମେଡିକାଲ୍‌ ଜର୍ଣ୍ଣାଲ୍‌ ‘ଦି ଲାନ୍‌ସେଟ୍‌’ର ମୁଖ୍ୟ ସମ୍ପାଦକ ଡକ୍ଟର୍‌ ରିଚାର୍ଡ ହର୍ଟନ୍‌ କହିଛନ୍ତି ଯେ ମାନବକୃତ ଅବିରତ ପରିବେଶ ଧ୍ବଂସ ଯୋଗୁଁ ମନୁଷ୍ୟ ଓ ଜୀବଜନ୍ତୁ ପାରସ୍ପରିକ ସଂସର୍ଗରେ ଆସୁଛନ୍ତି। ତେଣୁ, ଆଉ ଗୋଟାଏ ମହାମାରୀ ଆସିବା ପ୍ରାୟ ଅବଶ୍ୟମ୍ଭାବୀ।

Advertisment

Horoscope 2026 February 11 : ଜାଣନ୍ତୁ ଆଜିର ରାଶିଫଳ

ଆଗାମୀ ବର୍ଷମାନଙ୍କରେ ୨୫ ନିୟୁତ ମୃତ୍ୟୁ ଘଟାଇବା ଭଳି ଅତି ଭୟାବହ ମହାମାରୀ ଆସିବାର ୪୮% ଆଶଙ୍କା ଅଛି ଏବଂ ପରବର୍ତ୍ତୀ ଦଶନ୍ଧିରେ କୋଭିଡ୍‌-ସଦୃଶ ଗୋଟାଏ ମହାମାରୀ ବ୍ୟାପିବାର ୨୩% ଆଶଙ୍କା ରହିଛି ବୋଲି ‘ଲାନ୍‌ସେଟ୍‌’ ରିପୋର୍ଟ ଦେବାର ପ୍ରାୟ ବର୍ଷକ ପରେ ଡକ୍ଟର୍‌ ହର୍ଟନ୍‌ ଏତାଦୃଶ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘‘ଆଗାମୀ ୨୦ ବର୍ଷ ମଧ୍ୟରେ ଆଉ ଗୋଟାଏ ମହାମାରୀ ନିମନ୍ତେ ଅନୂକୁଳ ପରିସ୍ଥିତି ସୃଷ୍ଟି କରିବା ଲାଗି ମନୁଷ୍ୟ ଜାତି ପୃଥିବୀର ଯଥେଚ୍ଛା ଧ୍ବଂସ ସାଧନ କରୁଛି, ମହାମାରୀ ଆସିବା ପ୍ରାୟ ଅବଶ୍ୟମ୍ଭାବୀ।’’

ସତତ ଅରଣ୍ୟ ଧ୍ବଂସ, ଦ୍ରୁତ ସହରାଞ୍ଚଳ ସମ୍ପ୍ରସାରଣ, ଜଳବାୟୁ ପରିବର୍ତ୍ତନ ଓ ଅନିୟନ୍ତ୍ରିତ ପ୍ରାଣୀ-ମନୁଷ୍ୟ ସଂସର୍ଗ ହିଁ ମନୁଷ୍ୟକୁ ମାରାତ୍ମକ ଅଣୁଜୀବର ନିକଟତର କରାଉଛି। ପୂର୍ବରୁ ଏ ଅଣୁଜୀବ ସବୁ କେବଳ ଜୀବଜନ୍ତୁଙ୍କ ମଧ୍ୟରେ ବ୍ୟାପୁଥିଲେ। ପରିସଂସ୍ଥାନ ଭୁଶୁଡ଼ି ପଡୁଥିବାରୁ ଜୀବଜନ୍ତୁମାନେ ମନୁଷ୍ୟ ନିବାସ ଅଞ୍ଚଳ ନିକଟରେ ବିଚରଣ କରିବାକୁ ବାଧ୍ୟ ହେଉଛନ୍ତି। ଫଳତଃ, ସେମାନଙ୍କ ଶରୀରରୁ ଅଣୁଜୀବ ମନୁଷ୍ୟ ଶରୀରକୁ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଉଛି। ଜୀବଜନ୍ତୁଙ୍କ ଶରୀରରେ ସୃଷ୍ଟି ହେଉଥିବା ଏଭଳି କେତେକ ଅଣୁଜୀବ ବହୁ ମାତ୍ରାରେ ମନୁଷ୍ୟ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରରେ ପ୍ରବେଶ କରିଥିବା କଥା ସାରା ବିଶ୍ବର ବୈଜ୍ଞାନିକମାନେ ଦେଖିସାରିଲେଣି। ପରିସଂସ୍ଥାନ ପ୍ରତିକୂଳତା ହେତୁ ଏ ଧରଣର ଅଣୁଜୀବମାନେ ମନୁଷ୍ୟ ଶରୀରରେ ପ୍ରବେଶ କରି ଅପେକ୍ଷାକୃତ ଦ୍ରୁତ ବିବର୍ତ୍ତିତ ହେଉଛନ୍ତି। 
ବିପଜ୍ଜନକ ବଜାର ଓ କଂସେଇଖାନା ଭୂତାଣୁ ବ୍ୟାପିବାର ପ୍ରମୁଖ କାରଣ ବୋଲି ଡାକ୍ତର ହର୍ଟନ୍‌ ଦର୍ଶାଇଛନ୍ତି। ସେ କହିଛନ୍ତି, ଅନେକ ଦେଶରେ କଂସେଇଖାନା ସବୁ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ଏବଂ ଖାଉଟିମାନଙ୍କ ନିମନ୍ତେ ଉନ୍ମୁକ୍ତ ଥିବା ବଜାର ନିକଟରେ ଚାଲିଛି। ଜନାକୀର୍ଣ୍ଣ ସ୍ଥାନରେ ପ୍ରାଣୀମାନଙ୍କୁ ମରାଯାଉଛି। ସେମାନଙ୍କ ମାଂସ ‌ମଧ୍ୟ ଘୋଡ଼ାଇ ରଖାଯାଉନାହିଁ। ସେଥିରେ ଅସୁମାରି ମାଛି ବସୁଛନ୍ତି। ସେଠାରୁ ମାଂସ ଯାଇ ଅତି ଅସୁରକ୍ଷିତ ଅବସ୍ଥାରେ ବାଟଘାଟରେ ବିକ୍ରୟ କରାଯାଉଛି। ଠିକ୍‌ ଏଭଳି ପରିସ୍ଥିତିରେ ହିଁ ଗୋଟାଏ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ପ୍ରାଣୀ ଶରୀରରୁ ମନୁଷ୍ୟ ଶରୀରରେ ପ୍ରବେଶ କରେ। ଯଦି ଏଭଳି ଗୋଟାଏ ଭୂତାଣୁ ଶ୍ବାସପ୍ରଶ୍ବାସ ପଥ ମଧ୍ୟରେ ପରିବ୍ୟାପ୍ତ ହେବାକୁ ସମର୍ଥ ହୁଏ, ତଜ୍ଜନିତ ପରିଣାମ ପ୍ରଳୟଙ୍କରୀ ହୋଇପାରେ।

Paddy: ଟୋକନ୍ ଥାଇ ଉଠୁନି ଧାନ, ଚାଷୀ ନିରାଶ

‘କୋଭିଡ୍‌-୧୯’ ଭୂତାଣୁ ଠାରୁ ବଳି ଏହାର ଭୟାବହ ଦୃଷ୍ଟାନ୍ତ ଆଉ କ’ଣ ଥାଇପାରେ! ଉପରୋକ୍ତ ବଜାର ଭଳି କୌଣସି ଏକ ଅସ୍ବାସ୍ଥ୍ୟକର ସ୍ଥାନରୁ ଉତ୍ପନ୍ନ ‘ସାର୍ସ-କୋଭ୍‌-୨’ ଭୂତାଣୁ ‘କୋଭିଡ୍‌’ ସୃଷ୍ଟିକାରୀ ବୋଲି ପ୍ରମାଣରହିତ ଦାବି କରାଯାଇଥିଲା। ସେ ଯେଉଁଠୁ ଉତ୍ପତ୍ତି ହୋଇଥାଉ ନା କାହିଁକି- ଯେତେ ଦ୍ରୁତ ଗତିରେ ସେ ଭୂତାଣୁ ସମଗ୍ର ବିଶ୍ବରେ ବ୍ୟାପିଗଲା ତାହା ନିଶ୍ଚୟ ବିସ୍ମୟକର।