ଭଲ ବନ୍ଧୁଟିଏ ସାଥୀରେ ନଥାଇ ବି କିପରି ହସଖୁସିରେ ସମୟ କାଟିବେ ଜାଣନ୍ତୁ

Advertisment
ଭଲ ବନ୍ଧୁଟିଏ ସାଥୀରେ ନଥାଇ ବି କିପରି ହସଖୁସିରେ ସମୟ କାଟିବେ ଜାଣନ୍ତୁ

ପ୍ରେମର ସପ୍ତାହଟିଏ। ‘ରୋଜ୍‌ ଡେ’ରୁ ଆରମ୍ଭ ହୁଏ। ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଦେଇ ‘ଭାଲେଣ୍ଟାଇନ୍‌ସ ଡେ’ରେ ଶେଷହୁଏ। ପ୍ରେମର ଏତେ ଉଚ୍ଚାଟପଣ ସତ୍ତ୍ୱେ ବନ୍ଧୁତା ହିଁ କେବଳ ତାକୁ ଟକ୍କର ଦେଇପାରେ। ତେବେ ବି ଅନେକଙ୍କୁ ଭଲ ବନ୍ଧୁଟିଏ ମିଳି ନ ଥାଏ। କେହି କେହି ବନ୍ଧୁହୀନ ହୋଇ ଏକ୍‌ଲାପଣ ଭୋଗୁଥା’ନ୍ତି। ବନ୍ଧୁଟିଏ ନ ଥିଲେ କ’ଣ କରିବାକୁ ହୁଏ ଏବେ ଜାଣନ୍ତୁ।

ଜୀବନର ପ୍ରତି ମୁହୂର୍ତ୍ତରେ ବନ୍ଧୁଟିଏ ଲୋଡ଼ା ପଡ଼ିଥାଏ। ଜଣେ ଭଲ ବନ୍ଧୁ କେବଳ ବନ୍ଧୁ ଭାବେ ରହେ ନାହିଁ, ସେ ମଧ୍ୟ ଭାଇ ପରି ସୁଖ ଦୁଃଖରେ ପାଖରେ ଥାଏ, ଗୁରୁ ପରି ବିପଦ ବେଳେ ପଥ ପ୍ରଦର୍ଶକର ଭୂମିକା ନେଇଥାଏ। ନିଜର ସୁଖ ଆଉ ଦୁଃଖକୁ ବାଣ୍ଟିବା ପାଇଁ ବନ୍ଧୁଙ୍କୁ ହିଁ ଉପଯୁକ୍ତ ବୋଲି ବିବେଚନା କରିଥାଏ। ପ୍ରାୟତଃ ଦେଖାଯାଏ ସ୍କୁଲ୍‌ କଲେଜ ବଦଳାଇବା ବେଳେ ଆମର ପୁରୁଣା ବନ୍ଧୁମାନେ ଦୂର ହେଇଯାଆନ୍ତି, ନୂଆ ବନ୍ଧୁ ସୃଷ୍ଟି ହୁଅନ୍ତି। ପୁଣି ନୂଆ ଚାକିରିଟିଏ ପାଇବା କିମ୍ବା ଅନ୍ୟ ସହରକୁ ବଦଳି ହେବା ପରେ ନୂଆ ନୂଆ ବନ୍ଧୁ ସୃଷ୍ଟି ହୋଇଥା’ନ୍ତି। ତେବେ ବି ଏପରି କେହି କେହି ଅଛନ୍ତି, ଯେଉଁମାନଙ୍କ ପାଖରେ ବନ୍ଧୁଟିଏ ନ ଥାଏ। ସେମାନେ ଖୁବ୍‌ ଏକାକୀ ଅନୁଭବ କରିଥା’ନ୍ତି। ଏଭଳି ଏକାକୀତ୍ୱ ଅନେକ ସମୟରେ ଗୁରୁତର ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଆପଣ ବି ଯଦି ବନ୍ଧୁହୀନ ଭାବେ ଜୀବନ ଜିଉଁଥା’ନ୍ତି, ତେବେ ନିଜର ଏକାକୀତ୍ୱବୋଧକୁ ଦୂର କରିବା ପାଇଁ ଆଉକିଛି ବାଟ ଆପଣେଇ ନିଅନ୍ତୁ। ଏଇ ଯେମିତି:

ସମସ୍ତଙ୍କ ସହ କଥା ହୁଅନ୍ତୁ: ଆପଣଙ୍କ ପାଖରେ ବନ୍ଧୁଟିଏ ନ ଥିଲେ ବେଶୀ ସମୟ ଚୁପ୍‌ଚାପ୍‌ ରହନ୍ତୁ ନାହିଁ। ନିଜର ପାଖ ପଡ଼ିଶା ଅଫିସ୍‌ର ସହକର୍ମୀଙ୍କ ସହ ମଝିରେ ମଝିରେ କଥା ହୁଅନ୍ତୁ। ଏହା ଆପଣଙ୍କର ଏକାକୀତ୍ୱକୁ ଦୂର କରିଦେବ। ଆପଣ ଅନ୍ୟମାନଙ୍କ ସହ କଥା ହେବାକୁ ଚାହିଲେ ସେମାନେ ମଧ୍ୟ ଆପଣଙ୍କ ସହ କଥା ହେବାର ରୁଚି ରଖିବେ। ଏମିତି କଥାବାର୍ତ୍ତା ଭିତରେ ହୁଏତ ଆପଣଙ୍କୁ ଭଲ ବନ୍ଧୁଟିଏ ମିଳିଯାଇପାରେ।

ନିଜର ରୁଚିକୁ ସମ୍ମାନ ଦିଅନ୍ତୁ: ବନ୍ଧୁଟିଏ ନ ଥିଲେ ଖାଲି ସମୟରେ ନିଜର ରୁଚି ଥିବା କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ନିଜ ପସନ୍ଦ ମୁତାବକ ଗୀତ ଶୁଣନ୍ତୁ। ନିଜ ପସନ୍ଦର ରୋଷେଇ କରନ୍ତୁ। ଡାଏରି ଏବଂ ବ୍ଲଗ୍‌ରେ ଲେଖନ୍ତୁ। ବାଡ଼ିବଗିଚା କାମ କରନ୍ତୁ, ପୋଷା ଜୀବଜନ୍ତୁଙ୍କୁ ପାଳିବା ଶିଖନ୍ତୁ। ବହି ପଢ଼ନ୍ତୁ। ସାଙ୍ଗସାଥୀଙ୍କ ସହାୟତା ବିନା ସଫଳ ହୋଇଥିବା ବ୍ୟକ୍ତିତ୍ୱଙ୍କ କଥା ଜାଣନ୍ତୁ। ପ୍ରତି ମୁହୂର୍ତ୍ତରେ ନିଜକୁ ଅନୁପ୍ରେରିତ କରନ୍ତୁ।
ସୋସିଆଲ୍‌ ସାଇଟ୍‌ସ: ସୋସିଆଲ୍‌ ସାଇଟ୍‌ସର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇଥାଏ। ତେବେ ଆପଣଙ୍କର ଯଦି କୌଣସି ବନ୍ଧୁ ନାହାନ୍ତି ତେବେ ସୋସିଆଲ୍‌ ସାଇଟ୍‌ରେ କିଛି ସମୟ ଖର୍ଚ୍ଚ କରିବା ଉଚିତ। ଏଥିରେ ଲୋକଙ୍କ ସହ ପରିଚୟ ବଢ଼ାନ୍ତୁ। ଏକାକୀତ୍ୱ ଅନୁଭବ କରୁଥିଲେ ଏହା ଆପଣଙ୍କ ଏକ୍‌ଲାପଣ ଦୂର କରିବ।

publive-image

ଏକାକୀ ବୁଲିବାକୁ ଯାଆନ୍ତୁ: ଏକାକୀ କୁଆଡ଼େ ବୁଲାବୁଲି କରିବାକୁ ଯିବା କେତେକଙ୍କ ପାଇଁ ବଡ଼ କଷ୍ଟକର କାମ। ତେବେ ଆପଣଙ୍କ ପାଖରେ କୌଣସି ବନ୍ଧୁ ନ ଥିଲେ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ। ଛୁଟିଦିନ ମାନଙ୍କରେ ଏକାକୀ ବୁଲିବାକୁ ଯାଆନ୍ତୁ, ସିନେମା ଦେଖନ୍ତୁ। ପାଖାପାଖି ପାର୍କ ଥିଲେ ଯାଇ ପାରନ୍ତି। ଛୋଟ ପିଲାଙ୍କ ସହ ଖେଳନ୍ତୁ, ସେମାନଙ୍କ ସହ ଗପସପ ହୁଅନ୍ତୁ। ଆପଣ ଯେତେ ସକାରାତ୍ମକ ରହିବେ, ଏହା ସେତେ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ବନ୍ଧୁଟିଏର ଅଭାବବୋଧ ଦୂର ହେବ।

publive-image

ଯୋଗ ଓ ଧ୍ୟାନ କରନ୍ତୁ: ସକାରାତ୍ମକ ଏବଂ ନକାରାତ୍ମକ ବିଚାର ଆମର ମନ ସହ ଜଡ଼ିତ। ଏଥିପାଇଁ ଯୋଗ ଏବଂ ଧ୍ୟାନ ପାଇଁ ପ୍ରତିଦିନ କିଛି ସମୟ ବାହାର କରନ୍ତୁ। ଯୋଗ ଆପଣଙ୍କୁ ସୁସ୍ଥ ରଖିଥାଏ ଏବଂ ଧ୍ୟାନ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ। କୌଣସି ବି ପରସ୍ଥିତିରେ ଏହା ମନକୁ ସ୍ଥିିର ରଖିବାରେ ସହାୟକ ହୋଇଥାଏ। ଯୋଗ ଓ ଧ୍ୟାନ ବନ୍ଧୁବିହୀନ ଥିବା ବ୍ୟକ୍ତିକୁ ଖୁସିରେ ବଞ୍ଚିବା ଶିଖାଇ ଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe