ପିଲା ପରିସ୍ରା କଲା ବେଳେ ଅସ୍ୱାଭାବିକ କଷ୍ଟ ପାଇ ଜଳାପୋଡ଼ା ହେଉଛି କି? ସେ ଯଥେଷ୍ଟ ପାଣି ପିଉଥିଲେ ମଧ୍ୟ କମ୍ ପରିସ୍ରା କରୁଛି କି? ପରିସ୍ରାରେ ବେଳେ ବେଳେ ରକ୍ତ ପଡ଼ୁଛି କି? କ୍ରମାଗତ ଜ୍ୱର ରହିବା ସହ ବାନ୍ତି କରୁଛି କି? ଖାଉଥିବା ସତ୍ତ୍ୱେ ଓଜନ ବଢ଼ୁନି କି? ଏ ଭଳି ସମସ୍ୟାକୁ ଅଣଦେଖା କରନ୍ତୁନାହିଁ। ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। କାଳେ ବୃକ୍କ ବା କିଡ୍ନି ସମସ୍ୟା ଥାଇପାରେ!
/sambad/media/post_attachments/wp-content/uploads/2018/02/642x361_RCC-300x169.jpg)
ଅନେକଙ୍କ ଧାରଣା, ବୃକ୍କ ରୋଗ କେବଳ ବୟସ୍କଙ୍କୁ ହୁଏ। ଏହା ପିଲାଙ୍କୁ ବି ହୋଇପାରେ। ଗର୍ଭସ୍ଥ ଭ୍ରୂଣ ବେଳେ ବେଳେ ବୃକ୍କ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଗର୍ଭବତୀ ମାଆଙ୍କର ସୋନୋଗ୍ରାଫି ପରୀକ୍ଷା ଦ୍ୱାରା ଏହା ଜଣାପଡ଼େ। ଏଥିରୁ ଭ୍ରୂଣର ବୃକ୍କର ଆକାର ସ୍ପଷ୍ଟ ହୋଇଥାଏ। ପରିସ୍ରା ନଳିରେ କିଛି ଅବରୋଧ ବା ପ୍ରତିବନ୍ଧ ଥିଲେ ବି ଜଣାପଡ଼ିଯାଏ। ଗର୍ଭଧାରଣ ସମୟରେ ମାଆର ଜରାୟୁରେ ଜଳର ଅଂଶ କମ୍ ଥିଲେ, ପିଲାଠାରେ ଏହି ସମସ୍ୟା ପରବର୍ତ୍ତୀ ସମୟରେ ଦେଖାଦିଏ। ବୃକ୍କ ପଥର ସମସ୍ୟା ମଧ୍ୟ ପିଲାର ହୋଇପାରେ। ପରିସ୍ରା ଲାଗୁଥିବା ସମୟରେ, ପରିସ୍ରା ନ କରି ଚାପିଲେ ପରବର୍ତ୍ତୀ ସମୟରେ ଏହା ଘାତକ ସାବ୍ୟସ୍ତ ହୁଏ। ପିଲାଙ୍କୁ ଯଥେଷ୍ଟ ପରିମାଣର ପାଣି ପିଇବାକୁ ଦିଅନ୍ତୁ ଏବଂ ସେ ଯେ ପରି ପରିସ୍ରା ନ ଅଟକାଏ ଦୃଷ୍ଟି ଦିଅନ୍ତୁ।
/sambad/media/post_attachments/wp-content/uploads/2018/02/download-7-1-300x158.jpg)
ପିଲାଙ୍କର ଆଉ ଏକ ସମସ୍ୟା ମୂତ୍ରନଳି ସଂକ୍ରମଣ। ଏ କ୍ଷେତ୍ରରେ ପିଲା ବାରମ୍ବାର ପରିସ୍ରା କରିଥାଏ। ପୁଅ ଓ ଝିଅଙ୍କ କ୍ଷେତ୍ରରେ ଅଲଗା ଅଲଗା ବୟସରେ ଏହା ପରିଲକ୍ଷିତ ହୁଏ। ପୁଅଙ୍କଠାରେ ଏହି ସମସ୍ୟା ଜନ୍ମର ପ୍ରଥମ ବର୍ଷରେ ଅଧିକକ ଦେଖାଯାଏ। ଝିଅଙ୍କ କ୍ଷେତ୍ରରେ ଜନ୍ମର ବର୍ଷକ ପରେ ପରିଲକ୍ଷିତ ହୋଇଥାଏ। ଏ କ୍ଷେତ୍ରରେ ପିଲା ପରିସ୍ରା କଲା ବେଳେ ଅସ୍ୱାଭାବିକ ଯନ୍ତ୍ରଣା ପାଇ କାନ୍ଦେ ଏବଂ କେତେକ କ୍ଷେତ୍ରରେ ଜ୍ୱର ହୁଏ। ଆଉ ଏକ ରୋଗ ନେଫ୍ରାଇଟିସ୍।
ପିଲାଙ୍କ ବୃକ୍କ ସମସ୍ୟା ବାପା-ମାଆ ସହଜରେ ଜାଣିପାରନ୍ତି ନାହିଁ। ଫଳରେ ପରବର୍ତ୍ତୀ ସମୟରେ ପିଲା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାଏ। ତେଣୁ, ସନ୍ଦେହ ହେଲେ ପରିସ୍ରା ପରୀକ୍ଷା ସହ ସୋନୋଗ୍ରାଫି, ରକ୍ତରେ କ୍ରିଏଟିନିନ୍ର ମାତ୍ରା ଯାଞ୍ଚ କରାନ୍ତୁ। ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
-ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ,
ଫୋନ୍ ନଂ: ୯୪୩୭୧୨୪୦୭୪
Follow Us