ଅଧିକ ଲୁଣ ଖାଉଛନ୍ତି ଭାରତୀୟ: ଦିନକୁ ୫ ଗ୍ରାମ ବଦଳରେ ଖାଉଛନ୍ତି ୮ ଗ୍ରାମ

ଉଚ୍ଚ ରକ୍ତଚାପ, ହୃଦଘାତ ଆଶଙ୍କା ବଢ଼ିଯାଏ

ଅଧିକ ଲୁଣ ଖାଉଛନ୍ତି ଭାରତୀୟ: ଦିନକୁ ୫ ଗ୍ରାମ ବଦଳରେ ଖାଉଛନ୍ତି ୮ ଗ୍ରାମ

Food Network

ନୂଆଦିଲ୍ଲୀ: ଭାରତୀୟମାନେ ଅଧିକ ଲୁଣ ଖାଉଛନ୍ତି। ଦିନକୁ ୫ ଗ୍ରାମ ଲୁଣ ଖାଇବା ଉପଯୁକ୍ତ ବିଚାର କରାଯାଉଥିବା ବେଳେ ଭାରତୀୟମାନେ ତା’ଠାରୁ ଅଧିକ ୮ ଗ୍ରାମ ଲୁଣ ଖାଉଛନ୍ତି। ଏହା ପ୍ରସ୍ତାବିତ ପରିମାଣଠାରୁ ୩ ଗ୍ରାମ ଅଧିକ। ନେଚର ପୋର୍ଟଫୋଲିଓ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ସୋଡିୟମ୍ ଉପାଦାନ ଥିବା ଲୁଣ ଅଧିକ ଖାଇଲେ ରକ୍ତଚାପ ବୃଦ୍ଧି ପାଏ। ତାହାର ପ୍ରଭାବରେ ଲୋକମାନେ ହୃଦଘାତର ଶିକାର ହେବା ଆଶଙ୍କା ରହିଛି। ଅଣ-ସଂକ୍ରାମକ ରୋଗ ନିରୀକ୍ଷଣ ସର୍ବେକ୍ଷଣ ଅଧୀନରେ ୩୦୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ପରିସ୍ରାରେ ଶରୀର ବାହାରକୁ ଆସୁଥିବା ସୋଡିୟମ୍ ପରିମାଣକୁ ସେଥି‌ରେ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଭାରତରେ ସବୁ ବର୍ଗର ଲୋକମାନେ ନିର୍ଧାରିତ ସୀମାଠାରୁ ଅଧିକ ଲୁଣ ଖାଉଛନ୍ତି। ପୁରୁଷମାନେ ଦୈନିକ ୮.୯ ଗ୍ରାମ ଓ ମହିଳାମାନେ ୭.୯ ଗ୍ରାମ ଲୁଣ ଖାଉଛନ୍ତି। ନିଯୁକ୍ତି ପାଇଥିବା ଲୋକମାନେ ‌ଦିନକୁ ୮.୬ ଗ୍ରାମ ଲୁଣ ଖାଉଥିବା ବେଳେ ତମାଖୁ ସେବନକାରୀମାନେ ୮.୩ ଗ୍ରାମ, ‌ମେଦବହୁଳ ଲୋକମାନେ ୮.୫ ଗ୍ରାମ, ଉଚ୍ଚ ରକ୍ତଚାପ ସମସ୍ୟା ଥିବା ଲୋକମାନେ ୮.୫ ଗ୍ରାମ ଲୁଣ ଖାଉଛନ୍ତି। ରୋଜଗାରକ୍ଷମ ଥିବା ଲୋକଙ୍କ ତୁଳନାରେ ବେକାର ଥିବା ଲୋକମାନେ କମ୍ ଲୁଣ ଖାଉଛନ୍ତି।

ଏହି ସର୍ବେକ୍ଷଣ ସମ୍ପର୍କରେ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ ମାଥୁର କହିଛନ୍ତି ଯେ ଯଦି ବିଶ୍ବସ୍ତରରେ ଲୋକମାନେ ‌ଦିନକୁ ଅତିକମ୍‌ରେ ୧.୨ ଗ୍ରାମ ଲୁଣ ଖାଇବେ ତେବେ ରକ୍ତଚାପ ଚିକିତ୍ସା ଦରକାର କରୁଥିବା ଲୋକମାନଙ୍କ ସଂଖ୍ୟା ୫୦ ପ୍ରତିଶତ କମିଯିବ। ଲୋକମାନଙ୍କ ଭିତରେ ସଚେତନତା ସୃ‌ଷ୍ଟି କଲେ ଲୁଣ ବ୍ୟବହାର କମ୍ ହୋଇପାରିବ ବୋଲି ସେ କହିଛନ୍ତି। ଲୋକମାନେ ଖାଉଥିବା ଖାଦ୍ୟ ପଦାର୍ଥରେ ସୋଡିୟମ୍‌ର ମାତ୍ରା ଯେଭଳି ସୀମା ଭିତ‌ରେ ରହିବ ସେଥିପାଇଁ ନୀତି ନିୟମର ଆବଶ୍ୟକତା ରହିଛି। ବାଣିଜ୍ୟିକ ଉଦ୍ଦେଶ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରସ୍ତୁତ କରୁଥିବା ଖାଦ୍ୟପଦାର୍ଥରେ ଲାବେଲିଂ ନିୟମ କଡ଼ାକଡ଼ି କରିବାକୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe