Hindustan Times
ଆଜିର ଆଧୁନିକ ଦୁନିଆରେ ବୈଷୟିକ ପ୍ରଗତି ଏବଂ ସହରୀ ଚାଲିଳଚନ ଭିତରେ ଖାଲି ପାଦରେ ଚାଲିବାର ଦୃଶ୍ୟ ଏକ ପୁରୁଣାକାଳିଆ କଥା ପରି ମନେ ହୋଇପାରେ। ହେଲେ ଜାଣିରଖନ୍ତୁ ଯେ ନିକଟରେ ହୋଇଥିବା ଗବେଷଣା ଏହି ପୁରୁଣା ଅଭ୍ୟାସ ସହିତ ଜଡିତ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦାକୁ ଉନ୍ମୋଚନ କରିଛି। ଖାଲି ପାଦରେ ଚାଲିବା ଦ୍ବାରା ଆମର ଚର୍ମ ସିଧାସଳଖ ପୃଥିବୀ ସହ ଯୋଡ଼ି ହୋଇଥାଏ। ଯାହାକି ଆମର ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଅନେକ ସକରାତ୍ମକ ପ୍ରଭାବ ପକାଇଥାଏ।
ଖାଲି ପାଦରେ ଚାଲିବାର ଏକ ଉଲ୍ଲେଖନୀୟ ସୁବିଧା ପୃଥିବୀ ପୃଷ୍ଠରେ ଥିବା ସୀମାହୀନ ଇଲେକ୍ଟ୍ରନ୍ ଆମକୁ ସହଜରେ ମିଳିଥାଏ। ଯାହାଫଳରେ ଶରୀରକୁ କ୍ଷତି ପହଞ୍ଚାଉଥିବା କିଛି ତତ୍ବ ହ୍ରାସ ପାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଏହା ସହିତ ଖାଲି ପାଦରେ ଚାଲିବା ଦ୍ବାରା ଆମର ହୃତ୍ପିଣ୍ଡ ସୁସ୍ଥ ରୁହେ। ଏହି ଅଭ୍ୟାସ ଉତ୍ତମ ରକ୍ତ ସଞ୍ଚାଳନ ଏବଂ ଉନ୍ନତ ହୃଦସ୍ପନ୍ଦନ ପାଇଁ ଲାଭପ୍ରଦ ହୋଇଥାଏ। କେବଳ ସେତିକି ନୁହେଁ, ଖାଲି ପାଦରେ ଚାଲିଲେ ପୃଥିବୀର ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ଆମର ଶରୀର ସହିତ ଯୋଗାଯୋଗ କରେ ବୋଲି ବିଶ୍ବାସ ରହିଛି।
ଖାଲି ପାଦରେ ଚାଲିବା ଦ୍ୱାରା ରକ୍ତ ଚାପ ସ୍ତର କମ୍ ହୋଇପାରେ ଏବଂ ହୃଦଘାତ ହେବାର ଆଶଙ୍କା କମିଯାଏ ବୋଲି ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି। ଶୋଇବା ଉପରେ ଖାଲି ପାଦରେ ଚାଲିବାର ସକରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରତିଦିନ କିଛି ବାଟ ଖାଲି ପାଦରେ ଚାଲିଲେ ନିଦ ବି ଭଲ ହୋଇଥାଏ।
ଶରୀରରୁ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମାନସିକ ଚାପ ପାଇଁ ଦାୟୀ ହରମୋନକୁ ଏହି ଅଭ୍ୟାସ ନିୟନ୍ତ୍ରଣରେ ରଖିପାରେ।
ବିଶେଷ କରି ଖାଲି ପାଦରେ ଚାଲିବାର ଲାଭ ହେଉଛି, ଆମର ମାନସିକ ସୁସ୍ଥତାକୁ ବିସ୍ତାର କରେ। ପୃଥିବୀ ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ପ୍ରକୃତି ସହିତ ସଂଯୋଗ ହେବା ଦ୍ୱାରା ମନୋବଳ ବୃଦ୍ଧି ପାଇବା ସହ ଚିନ୍ତା ଏବଂ ଉଦାସୀନତାର ଲକ୍ଷଣ ହ୍ରାସ କରାଯାଇଥାଏ
Follow Us