ଜୀବନ-ମନ୍ତ୍ର : ରାଜକୀୟ ନବବର୍ଷ ସୁନିଆ

ଜୀବନ-ମନ୍ତ୍ର : ରାଜକୀୟ ନବବର୍ଷ ସୁନିଆ

‘ସୁନିଆ’ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। କାରଣ, ଏହିଦିନ ଓଡ଼ିଶାର ରାଜାମାନଙ୍କର ରାଜତ୍ୱର ନୂଆ ବର୍ଷ ଗଣନା ହୋଇଥାଏ। ଏବେ ରାଜତନ୍ତ୍ର ନ ଥିଲେ ମଧ୍ୟ ରାଜ ପରିବାରମାନଙ୍କରେ ଏ ପର୍ବ ପାଳିତ ହୋଇଆସୁଛି। ବିଶେଷକରି ଏହିଦିନ ଓଡ଼ିଶାର ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳନ ଏକ ଉତ୍ସବ ରୂପେ ପାଳିତ ହେଉଛି।

‘ସୁନିଆ’ ଶବ୍ଦର ଉଦ୍ଭବ କିପରି ଭାବରେ ହୋଇଛି, ସେ ସଂପର୍କରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବାପରି ତଥ୍ୟ ମିଳେ ନାହିଁ। କିନ୍ତୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ‘ସୁନିଆ’ର ଅର୍ଥ ‘ସ୍ୱର୍ଣ୍ଣମୁଦ୍ରା’, ‘ମଉଡ଼’, ବା ‘ମୋହର’। ଏହିଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କ ରାଜତ୍ୱର ନୂତନ ଅଙ୍କ ଖୋଦନ କରାଯାଏ। ତାହାକୁ ‘ଅଙ୍କକଟା’ କୁହାଯାଏ। ଏଣୁ ‘ସୁନିଆ’ ଶବ୍ଦଟି ସୁନା ବା ସ୍ୱର୍ଣ୍ଣମୁଦ୍ରା ସହିତ ସଂପର୍କିତ ବୋଲି ଅନେକେ ମତ ପୋଷଣ କରନ୍ତି।

ଆଉ ଗୋଟିଏ ମତ ହେଉଛି- ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ। ଏ ସଂପର୍କରେ ଉଲ୍ଲେଖନୀୟ ଯେ ୧୯୫୫ରେ ଭାରତ ସରକାରଙ୍କ ପକ୍ଷରୁ ‘କ୍ୟାଲେଣ୍ଡର ରିଫର୍ମ କମିଟି’ର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଭାଦ୍ରପଦ ମାସର, ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ ବୋଲି କୁହାଯାଇଛି। ଗଜପତି ମହାରାଜାଙ୍କ ପରମ୍ପରା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଭକ୍ତି ଓ ସେବା ସୂତ୍ରରେ ଯୋଡ଼ା ହୋଇଛି। ଏଣୁ ଏହି ଦିନଟି ସେ ଦୃଷ୍ଟିରୁ ରାଜକୀୟ ନବବର୍ଷ ରୂପେ ପାଳିତ ହୋଇ ଆସୁଛି। ଓଡ଼ିଶାର ସମସ୍ତ ରାଜା ମଧ୍ୟ ଏହି ସୂତ୍ରରେ ଶ୍ରୀଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛନ୍ତି।

ପୌରାଣିକ ପରମ୍ପରା ଅନୁସାରେ, ଆଷାଢ଼ ଶୁକ୍ଳ ଏକାଦଶୀଠାରୁ ଚାରିମାସ ହେଉଛି ‘ଚାତୁର୍ମାସ୍ୟା’। ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା ଭଗବାନ ବିଷ୍ଣୁ ଏହି ସମୟରେ ବିଶ୍ରାମ ନିଅନ୍ତି। ଏଥିପାଇଁ ତିନିଟି ଦିନ ଧାର୍ଯ୍ୟ କରାଯାଇଛି। ଗୋଟିଏ- ହରିଶୟନ, ଏହାର ତିଥି ଆଷାଢ଼ ଶୁକ୍ଳ ଏକାଦଶୀ। ଦ୍ୱିତୀୟଟି- ପାଶ୍ୱର୍ପରିବର୍ତ୍ତନ, ଏହାର ତିଥି ଭାଦ୍ରବ ଶୁକ୍ଳ ଏକାଦଶୀ। ଏବଂ ତୃତୀୟଟି- ଦେବ ଉତ୍‌ଥାପନ, ଏହାର ତିଥି କାର୍ତ୍ତିକ ଶୁକ୍ଳ ଏକାଦଶୀ। ଏହି ତିନି ଏକାଦଶୀ ମଧ୍ୟରେ ପାର୍ଥକ୍ୟ ଦୁଇ ଦୁଇ ମାସ। ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇଥିବା ବିଷ୍ଣୁ, ଦୁଇମାସ ପରେ ଭାଦ୍ରବ ଶୁକ୍ଳ ଏକାଦଶୀରେ କଡ଼ ଲେଉଟାନ୍ତି। ସେ ନିଦ୍ରାତ୍ୟାଗ କରନ୍ତି ଆଉ ଦୁଇ ମାସ ପରେ, କାର୍ତ୍ତିକ ଶୁକ୍ଳ ଏକାଦଶୀରେ। ଏଣୁ ଭାଦ୍ରବ ଶୁକ୍ଳ ଏକାଦଶୀ ଏପରି ଏକ ସନ୍ଧିଲଗ୍ନ- ଯେଉଁଠାରୁ ଭଗବାନ ବିଷ୍ଣୁଙ୍କର କ୍ରମଜାଗରଣର ପର୍ବ ଆରମ୍ଭ ହୁଏ। ଏ ଦୃଷ୍ଟିରୁ ଭାଦ୍ରବ ଶୁକ୍ଳ ଏକାଦଶୀ ତିଥି ପରମ ପୁଣ୍ୟପ୍ରଦ। ତେଣୁ ତାହାର ପରଦିନ, ଦ୍ୱାଦଶୀର ପୁଣ୍ୟ ତିଥିରେ ସୁନିଆ ପର୍ବ ପାଳିତ ହେବାର ବିଶେଷ ତାତ୍ପର୍ଯ୍ୟ ରହିଛି ବୋଲି ମନେହୁଏ। ଭଗବାନ ବିଷ୍ଣୁଙ୍କ ବାମନ ଅବତାରଙ୍କର ଆବିର୍ଭାବ ଦିବସ ରୂପେ ମଧ୍ୟ ଏହି ଦିନଟି ପରମ ପୁଣ୍ୟପ୍ରଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe