ଜୀବନ-ମନ୍ତ୍ର: ଅର୍ଦ୍ଧଶୋଷିଣୀଙ୍କ ଜଳାଭିଷେକ

Advertisment
ଜୀବନ-ମନ୍ତ୍ର: ଅର୍ଦ୍ଧଶୋଷିଣୀଙ୍କ ଜଳାଭିଷେକ

ପରାଶକ୍ତି ଦେବୀ ଗୌରୀ ଅଷ୍ଟରୂପ ଧାରଣ କରି ଅଷ୍ଟଦିଗରେ ଅବସ୍ଥାନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ତର୍ବେଦୀକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି ଅଷ୍ଟଦେବୀଙ୍କ ମଧ୍ୟରେ ରହିଛନ୍ତି ଦେବୀ ଅର୍ଦ୍ଧଶୋଷିଣୀ। ସର୍ବତତ୍ତ୍ୱମୟ ଶ୍ରୀଜଗନ୍ନାଥ ଅଜନ୍ମା। ତାଙ୍କର ପିତା, ମାତା, ଜନ୍ମ ଆଦି କିଛି ନଥାଇ ମଧ୍ୟ, ଅସଂଖ୍ୟ ସାଂସାରିକ ବନ୍ଧନରେ ସେ ଆବଦ୍ଧ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ, ବଳଗଣ୍ଡଠାରେ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ବିରାଜିତା ଅଛନ୍ତି ଦେବୀ ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶିନୀ। ଲୋକକଥିତ ଭାବରେ ସେ ମହାପ୍ରଭୁଙ୍କର ମାଉସୀ। ରଥଯାତ୍ରା ବେଳେ ଏହି ମାଉସୀଙ୍କ ହାତର ପୋଡ଼ପିଠା ସେବନ କରି ପ୍ରଭୁ ହୃଷ୍ଟଚିତ୍ତରେ ଶ୍ରୀମନ୍ଦିରକୁ ବାହୁଡ଼ି ଥାଆନ୍ତି। କଥିତ ଅଛି, ପ୍ରଳୟ କାଳରେ ରୋହିଣୀ କୁଣ୍ଡରୁ ପ୍ରଳୟ ଜଳ ନିଃସୃତ ହୋଇ, ପ୍ରଳୟ ଘଟାଇ ସାରି ପୁଣି ସେହି କୁଣ୍ଡରେ ବିଲୀନ ହୁଏ। କିନ୍ତୁ ଏକଦା ଏହି ଜଳ ବିଲୀନ ନହେବାରୁ, ସ୍ୱୟଂ ଯୋଗମାୟା ନିଜକୁ ରୂପାନ୍ତରିତ କରି ସେହି ପ୍ରଳୟ ଜଳର ଅର୍ଦ୍ଧେକ ପାନ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିଲେ। ସେବେଠାରୁ ଶ୍ରୀକ୍ଷେତ୍ରର ସୁରକ୍ଷା ନିମିତ୍ତ ସେ ବିରାଜମାନା।

ଗ୍ରୀଷ୍ମକାଳ ଉପସ୍ଥିତ ହେଲେ ପଞ୍ଚୁପାଣ୍ଡବ (ପଞ୍ଚ ମହାଦେବ), ଭୂଦେବୀ ଓ ଶ୍ରୀଦେବୀ ଆଦିଙ୍କ ସହିତ ମଦନମୋହନ ଚାପ ଖେଳିବାକୁ ଏବଂ ଚନ୍ଦନ କୁଣ୍ଡରେ ସ୍ନାନ କରିବାକୁ ନରେନ୍ଦ୍ର ପୁଷ୍କରିଣୀକୁ ଆଗମନ କରନ୍ତି। ସମସ୍ତ ପ୍ରଳୟ ଜଳକୁ ଉଦରସ୍ଥ କରିଥିବା ଦେବୀ ଅର୍ଦ୍ଧାଶିନୀ ଯେତେବେଳେ ଗ୍ରୀଷ୍ମତାପରେ ଦଗ୍ଧୀଭୂତ ହୁଅନ୍ତି, ତାଙ୍କୁ ଶୀତଳତା ପ୍ରଦାନ କରିବା ତଥା ତାଙ୍କ ପୂର୍ବକର୍ମର ସ୍ମୃତିରେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ତାଙ୍କୁ ମଧ୍ୟ ଜଳାଭିଷେକ କରାଯାଇଥାଏ। ଏହି ଅଭିଷେକ ଉତ୍ସବ ଯେତିକି ମନୋମୁଗ୍ଧକର ସେତିକି ରହସ୍ୟମୟ। ମାଆଙ୍କର ପ୍ରାତଃକାଳର ମଙ୍ଗଳ ଆଳତି ଓ ଅବକାଶ ଆଦି ନୀତି ବଢ଼ିବା ପରେ ଜଳାଭିଷେକ ଆରମ୍ଭ ହୁଏ। ମନ୍ଦିରର ପୂଜକ ବିଶ୍ୱନାଥ ମିଶ୍ରଙ୍କ ସୂଚନା ଅନୁସାରେ, ଦେବୀଙ୍କ ମନ୍ଦିର ପରିସରରେ ଥିବା କୂପରୁ ପାଣି ଅଣାଯାଇ, ସେଥିରେ କର୍ପୂର, ଅଗୁରୁ, ଚନ୍ଦନ, ଜାଇଫଳ ଏବଂ ସୁବାସିତ ଶ୍ୱେତପୁଷ୍ପ ଆଦି ଦିଆଯାଇ, ବ୍ରାହ୍ମଣମାନଙ୍କଦ୍ୱାରା ସ୍ତୋତ୍ରପାଠ କରାଯାଇ ଦେବୀଙ୍କର ଜଳାଭିଷେକ ନୀତି ସଂପନ୍ନ ହୁଏ। ଚାରିପଟେ ବନ୍ଧ ଦିଆଯାଇ ସେହି ଜଳକୁ ଆବଦ୍ଧ କରି ରଖାଯାଏ। କୌଣସି ଦିଗରେ ସେହି ପାଣି ବହି ଯାଏ ନାହିଁ। ମନକୁ ମନ ତାହା ଶୁଖିଥାଏ। ବିଶ୍ୱାସ ରହିଛି, ମା’ ଅର୍ଦ୍ଧଶୋଷିଣୀ ତା’କୁ ଶୋଷଣ କରି ନିଅନ୍ତି। ଜଳାଭିଷେକ ସଂପନ୍ନ ହେବା ପରେ, ବିଭିନ୍ନ ପୁଷ୍ପ ଓ ନବବସ୍ତ୍ରରେ ଦେବୀଙ୍କର ଅଭିଷେକ ବେଶ ସଂପନ୍ନ ହୁଏ। ଏଣୁ ଏହି ଜଳାଭିଷେକ ନୀତି ସଂପୂର୍ଣ୍ଣ ଭାବରେ ଅନନ୍ୟ ଓ ସ୍ୱତନ୍ତ୍ର।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe