କଥା ଓ ଗାଥାରେ କୁମ୍ଭ ସଂକ୍ରାନ୍ତି

Advertisment
କଥା ଓ ଗାଥାରେ କୁମ୍ଭ ସଂକ୍ରାନ୍ତି

ଭାରତୀୟ ପରମ୍ପରାରେ ଜଳପୂର୍ଣ୍ଣ କୁମ୍ଭର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। କାରଣ ଏହାର ମୁଖରେ ରୁଦ୍ର, କଣ୍ଠରେ ବିଷ୍ଣୁ, ଆଧୋଭାଗରେ ବ୍ରହ୍ମା ଏବଂ କୁକ୍ଷି ଦେଶରେ ମାତୃକାଗଣ ନିବାସ କରିଥାନ୍ତି।

ଆମ ରାଶିଚକ୍ରର ଏକ ରାଶିର ନାମ ମଧ୍ୟ କୁମ୍ଭ। ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ ସଂକ୍ରାନ୍ତି’। ଏହି ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହିଦିନ ସମସ୍ତ ଦେବଦେବୀ ଆସି ଲଗ୍ନ ଅନୁସାରେ ପ୍ରୟାଗ ଓ ହରିଦ୍ୱାରର ଗଙ୍ଗା, ଉଜ୍ଜୟିନୀର ସିପ୍ରା ଏବଂ ନାସିକ୍‌ର ଗୋଦାବରୀରେ ସ୍ନାନ କରିଥାନ୍ତି। ତେଣୁ ଏହି ସମୟରେ ଏହି ସ୍ଥାନଗୁଡ଼ିକରେ କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଏଠାରେ ସ୍ନାନ କଲେ ମନୁଷ୍ୟ ସର୍ବପାପରୁ ମୁକ୍ତ ହୋଇ ସୁଖମୟ ଜୀବନଯାପନ କରେ।

ଏହାର କାରଣ ସଂପର୍କରେ କୁହାଯାଇଛି, ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ନେଇ ଯେତେବେଳେ ଦେବତା ଓ ଦାନବଙ୍କ ମଧ୍ୟରେ କଳହ ହେଲା, ପକ୍ଷୀରାଜ ଗରୁଡ଼ ଅମୃତ କଳସକୁ ଧରି ଆକାଶରେ ଉଡ଼ି ବୁଲିଲେ। ସେହି ସମୟରେ ସେହି ଅମୃତ କଳସରୁ କିଛି ଅମୃତ ଉଛୁଳି ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ୍‌ରେ ପଡ଼ିଲା। ଦେବାସୁର ସଂଗ୍ରାମ ବାରଦିନ ଧରି ଚାଲିଥିଲା। ଦେବତାମାନଙ୍କର ଗୋଟିଏ ଦିନ ମନୁଷ୍ୟଲୋକରେ ଏକବର୍ଷ। ତେଣୁ ଯେଉଁ ଲଗ୍ନରେ ଯେଉଁଠାରେ ଅମୃତ ବିନ୍ଦୁ ନିପତିତ ହୋଇଥିଲା, ସେହି ସ୍ଥାନରେ ବାରବର୍ଷରେ ଥରେ କୁମ୍ଭମେଳା ବା କୁମ୍ଭ ସ୍ନାନ ହୋଇଥାଏ। କୁମ୍ଭସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ପ୍ରାୟ ୪୮ ଦିନ ଚାଲେ।

ଏଣୁ ଭିନ୍ନଭିନ୍ନ ଦିନରେ ବିଭିନ୍ନ ବର୍ଗର ଲୋକେ ଏକତ୍ର ହୋଇ, ଅମୃତ ସ୍ନାନ କରି, ସୂର୍ଯ୍ୟଦେବଙ୍କର ଆରାଧନା କରିଥାନ୍ତି। ଏହାଦ୍ୱାରା ମନୁଷ୍ୟର ସମସ୍ତ ପାପ ବିମୋଚନ ହୋଇ ସେ ଅମୃତର ଅଧିକାରୀ ହୁଏ। ଜରା ଆଦି ଶରୀର ପୀଡ଼ା ଭୋଗ ନ କରି, ସେ ସୁସ୍ଥ ଓ ସଂପନ୍ନ ଜୀବନଯାପନ କରିଥାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe