ଜୀବନ-ମନ୍ତ୍ର: ଆରଣ୍ୟକ ଷଷ୍ଠୀ

ଜୀବନ-ମନ୍ତ୍ର: ଆରଣ୍ୟକ ଷଷ୍ଠୀ

Punjab Kesari

ଓଡ଼ିଶାରେ ଯେପରି ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ତିଥିକୁ ଶିବ-ପାର୍ବତୀଙ୍କର ବିବାହ ଉତ୍ସବ ଭାବରେ ପାଳନ କରାଯାଏ, ସେହିପରି ଓଡ଼ିଶାର କିଛି ଅଞ୍ଚଳ ସହିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣଭାରତର କେତେକ ଅଞ୍ଚଳରେ ଏହି ତିଥିକୁ ଆରଣ୍ୟକ ଷଷ୍ଠୀ ଭାବରେ ପାଳନ କରାଯାଇଥାଏ। ଏହି ପର୍ବର ମୁଖ୍ୟ ଉପାସ୍ୟ ଦେବୀ ହେଉଛନ୍ତି ମା ବିନ୍ଧ୍ୟବାସିନୀ। ସେ ମହାମାୟା, ଯୋଗମାୟା, ଏକାନଂଶା, ମହାଗୌରୀ ଓ ଆଦିଶକ୍ତି ନାମରେ ମଧ୍ୟ ପରିଚିତା। ଏହାଙ୍କର ଜନ୍ମ ସଂପର୍କରେ ପୁରାଣରେ ଦୁଇଟି ଭିନ୍ନ ତଥ୍ୟ ମିଳିଥାଏ।

ଗୋଟିଏ ତଥ୍ୟ ଅନୁସାରେ- ଶିବ ପାର୍ବତୀଙ୍କୁ ସର୍ବଦା କାଳୀ କହିବାରୁ ପାର୍ବତୀ ଅଭିମାନରେ ଗୌରବର୍ଣ୍ଣା ହେବାପାଇଁ ଅରଣ୍ୟକୁ ଯାଇ ଘୋର ତପସ୍ୟା କଲେ। ସେହି ସମୟରେ ଶୁମ୍ଭ ଓ ନିଶୁମ୍ଭ ନାମରେ ଦୁଇ ଅସୁରଙ୍କ ଉତ୍ପାତରେ ସଂସାର ଥରହର ହେଉଥିଲା। ବ୍ରହ୍ମା ରାକ୍ଷସମାନଙ୍କ ଅତ୍ୟାଚାରରୁ ପୃଥିବୀକୁ ରକ୍ଷାକରିବାପାଇଁ ପାର୍ବତୀଙ୍କୁ ଅନୁରୋଧ କରିବାକୁ ଯାଇ, ତାଙ୍କ ତପସ୍ୟା ସ୍ଥଳରେ ପହଞ୍ଚିଲେ। ପାର୍ବତୀ ବ୍ରହ୍ମାଙ୍କୁ ତାଙ୍କର ଦୁଃଖ ଜଣାଇଲେ। ବ୍ରହ୍ମା ମଧ୍ୟ ପାର୍ବତୀଙ୍କୁ ତାଙ୍କ- ବିଡ଼ମ୍ବନା କଥା କହିଲେ। ବ୍ରହ୍ମା ପାର୍ବତୀଙ୍କୁ ଗୌରବର୍ଣ୍ଣା କରିଦେଲେ। ପାର୍ବତୀ ନିଜ କୃଷ୍ଣବର୍ଣ୍ଣରୁ କାଳୀଙ୍କୁ ସୃଷ୍ଟି କଲେ ଏବଂ ବିନ୍ଧ୍ୟପର୍ବତ ଯାଇ ଦୁଇ ରାକ୍ଷସଙ୍କୁ ବଧ କରିବାକୁ କହିଲେ। କାଳୀ ଦୁଇ ରାକ୍ଷସଙ୍କୁ ବଧ କରି ସେହି ପର୍ବତରେ ନିତ୍ୟ ନିବାସ କଲେ। ତେଣୁ ତାଙ୍କ ନାମ ହେଲା ବିନ୍ଧ୍ୟବାସିନୀ।

ଅନ୍ୟ ଏକ ଉପାଖ୍ୟାନ ଅନୁସାରେ, କୃଷ୍ଣାବତାର ସମୟରେ ସ୍ୱୟଂ ଯୋଗମାୟା ନନ୍ଦଘରେ ଜନ୍ମ ଲାଭ କରିଥିଲେ ଏବଂ କୃଷ୍ଣଙ୍କୁ ନନ୍ଦ ଘରେ ରଖି ବସୁଦେବ ତାଙ୍କୁ ମଥୁରାକୁ ନେଇ ଆସିଥିଲେ। କଂସ ତାଙ୍କୁ ଦେବକୀଙ୍କର ଅଷ୍ଟମଗର୍ଭ ଭାବି କଚାଡ଼ି ମାରିବାକୁ ଉଦ୍ୟମ କଲାବେଳେ, ଯୋଗମାୟା ତା ହାତରୁ ଖସି ଯାଇ, ନିଜ ସ୍ୱରୂପ ଧାରଣ କରି କଂସକୁ ଭର୍ତ୍ସନା କଲେ। କହିଲେ, “ତୁ ଯାହାକୁ ମାରିବାକୁ ଚେଷ୍ଟା କରୁଛୁ, ସେ ଯେଉଁଠି ବଢ଼ିବା କଥା ସେଠି ରହିଲାଣି; ତୁ ଆଉ ନିରୀହ ଶିଶୁ ବଧ କରନାହିଁ।” ଏହାପରେ ସେ ଯାଇ ବିନ୍ଧ୍ୟପର୍ବତରେ ନିବାସ କରିଥିଲେ।

ବାଳକ କୃଷ୍ଣଙ୍କର ରକ୍ଷାକାରିଣୀ ହେତୁ, ପୁତ୍ରସନ୍ତାନର ସମୃଦ୍ଧି, ସୁଖ, ଶାନ୍ତି ଓ ଦୀର୍ଘ ଜୀବନ ନିମିତ୍ତ ନାରୀମାନେ ଏହି ତିଥିରେ ତାଙ୍କ ପାଇଁ ବ୍ରତ ରଖି ଆରଣ୍ୟକ ଷଷ୍ଠୀ ପାଳନ କରିଥାନ୍ତି। ଯେଉଁମାନେ ସନ୍ତାନହୀନା, ସେମାନେ ସନ୍ତାନ କାମନା କରି ଏହି ବ୍ରତ ପାଳନ୍ତି। ଏହି ପୂଜା ସାଧାରଣତଃ ଜଙ୍ଗଲରେ କିମ୍ବା କଦମ୍ବଗଛ ମୂଳରେ କରାହୋଇଥାଏ। ଦେବୀଙ୍କ ପାଖରେ ସାଧାରଣତଃ ଫଳମୂଳ ଭୋଗ କରାଯାଏ। ନାରୀମାନେ ମଧ୍ୟ କେବଳ ଫଳାହାର କରି ବ୍ରତ ରଖନ୍ତି। ଏହି ପୂଜାକୁ ଆରଣ୍ୟକ ଷଷ୍ଠୀ ପୂଜା, ବିନ୍ଧ୍ୟବାସିନୀ ଦୁର୍ଗାପୂଜା, ବନଗୌରୀ ବ୍ରତ ଆଦି ନାମରେ ନାମିତ କରାଯାଏ।
- ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe