‘ମକର ଚଉରାଶି’ କଥା

Advertisment
‘ମକର ଚଉରାଶି’ କଥା

ଶ୍ରୀଜଗନ୍ନାଥଙ୍କ ମକରଚଉରାଶି ବେଶ

ମକର ସଂକ୍ରାନ୍ତି ପୂର୍ବଦିନର ‘ନବାଙ୍କ ବେଶ’ ପରି, ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥଙ୍କର ‘ମକର ଚଉରାଶି ବେଶ’ ହୁଏ। ‘ମକର ଚଉରାଶିଆ ଭୋଗ’ ମଧ୍ୟ ଏହି ଦିନର ଏକ ବିଶେଷ ନୀତି। ତଥ୍ୟ ଅନୁସାରେ, ଏହିଦିନ ହିଁ ଶ୍ରୀମନ୍ଦିରରେ ସର୍ବାଧିକ ପର୍ବାଣି ଭୋଗ ହୋଇଥାଏ। ଏହାର ପ୍ରକାର ୮୪ ହୋଇଥିବାରୁ ଏବଂ ମକର ସଂକ୍ରାନ୍ତିରେ ଏହି ଭୋଗ ହେଉଥିବାରୁ, ଏହାର ନାମ ‘ମକର ଚଉରାଶିଆ’। ଏହିଦିନ ମଧ୍ୟ ‘ମକର ଚାଉଳ’ ଭୋଗ ଓ ବୃହତ୍ ଆକାରର ବିଡ଼ିଆପାନ ଠାକୁରଙ୍କୁ ମଣୋହି ହୋଇଥାଏ।

ଜନଶ୍ରୁତି ଅନୁସାରେ, ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀଦେବୀ (ଦେବୀ ଲକ୍ଷ୍ମୀ) ନିଜ ପିତ୍ରାଳୟ (ବାପଘର)କୁ ଯାଇଥାଆନ୍ତି। ସେହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ଭାବରେ ମା’ ଯଶୋଦା ସ୍ନେହରେ ପହିଲି ଭୋଗ ପ୍ରସ୍ତୁତ କରି ଖୁଆନ୍ତି। ମକର ସଂକ୍ରାନ୍ତି ଦିନ ଶ୍ରୀଦେବୀ ଶ୍ରୀମନ୍ଦିରକୁ ବା ସ୍ୱାମୀ (ଶ୍ରୀଜଗନ୍ନାଥ)ଙ୍କ ଘରକୁ ଫେରନ୍ତି। ସେ ଯେଉଁସବୁ ଦ୍ରବ୍ୟ ଆଣିଥାଆନ୍ତି, ତାହା ମହାପ୍ରଭୁଙ୍କୁ ନୈବେଦ୍ୟ ହୁଏ। ସେଇଥିପାଇଁ, ଏହି ପର୍ବାଣି ଭୋଗର ସଂଖ୍ୟା ସର୍ବାଧିକ। ଏହାର ପ୍ରକାର ୮୪ ବୋଲି ଜଣାଯାଏ।

କିନ୍ତୁ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖାରେ ଏହି ୮୪ (ଚଉରାଶି) ସଂଖ୍ୟାର ଏକ ତାତ୍ତ୍ୱିକ ବ୍ୟାଖ୍ୟା ଦେଇଛନ୍ତି। ସେ କହିଛନ୍ତି- ପ୍ରଭୁଙ୍କୁ କେନ୍ଦ୍ରରେ ରଖି ହିଁ ଆମେ ପରିକ୍ରମା କରିଥାଉ। ଭକ୍ତମାନେ ୮୪ ଥର ଏହି ପରିକ୍ରମା କରିଥାଆନ୍ତି। ୮୪ କ୍ରୋଶ ବ୍ୟାପୀ ବ୍ରଜଧାମର ପରିକ୍ରମା ମକର ସଂକ୍ରାନ୍ତି ଦିନ ଶେଷ ହୁଏ। ତାହାରି ସ୍ମୃତିରେ ‘ମକର ଚଉରାଶି’ର ପ୍ରବର୍ତ୍ତନ ଶ୍ରୀମନ୍ଦିରରେ ହୋଇଛି। ଶ୍ରୀଜଗନ୍ନାଥଙ୍କୁ ‘ବ୍ରଜେନ୍ଦ୍ର ନନ୍ଦନ’ ମନେକରି, ୮୪ କ୍ରୋଶର ପ୍ରତୀକ ରୂପେ, ଭକ୍ତମାନେ ୮୪ ଥର ଶ୍ରୀମନ୍ଦିର ପରିକ୍ରମା କରିଥାନ୍ତି ଏବଂ ତାହାକୁ ବ୍ରଜ ପରିକ୍ରମା ବୋଲି ମନେ କରନ୍ତି। ଏହି ଆତ୍ମସନ୍ତୋଷ ହିଁ ପ୍ରଭୁଙ୍କ ପାଦପଦ୍ମରେ ପହଞ୍ଚେ।

ଏହିଦିନ, ବାଉଁଶ ପାତିଆ, କଦଳୀ ପଟୁକା ଏବଂ ମୁଖ୍ୟତଃ ତୁଳସୀରେ ପ୍ରଭୁଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ଚୂଳ ପାରମ୍ପରିକ କାରିଗର ପ୍ରସ୍ତୁତ କରନ୍ତି, ତାହାର ନାମ ‘ମକରଚୂଳ’। ଗେଣ୍ଡୁଫୁଲର ବେଢ଼ଣରେ ତାହା ଖୁବ୍ ସୁନ୍ଦର ଦେଖାଯାଏ ଏବଂ ପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଆକର୍ଷଣ ବଢ଼ାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe