ମଣ୍ଡାଗେଣ୍ଡୁ-ମାଣଲକ୍ଷ୍ମୀ

Advertisment
ମଣ୍ଡାଗେଣ୍ଡୁ-ମାଣଲକ୍ଷ୍ମୀ

ଭାରତୀୟ ଧର୍ମୀୟ ପରମ୍ପରାରେ କେତେକ ବୃକ୍ଷକୁ ଦେବତାର ମାନ୍ୟତା ଦିଆଯାଇ ପୂଜା କରାଯାଉଥିବା ବେଳେ, ଆଉ କେତେକ ବୃକ୍ଷଲତାକୁ ଶୁଭ ସୂଚନାର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଟ, ଅଶ୍ୱତ୍‌ଥ, ଅଁଳା, ତୁଳସୀ ଆଦି ବୃକ୍ଷକୁ ସିଧା ସଳଖ ପୂଜା କରାଯାଉଥିବା ବେଳେ, ନଡ଼ିଆ, ଗୁଆ, ବରକୋଳି, ଦୂବ, କଦଳୀଗଛ, ଆମ୍ବଡାଳ, ଆଦିକୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇ ବିଭିନ୍ନ ଶୁଭକାର୍ଯ୍ୟ ଓ ଦେବପୂଜାର ଅଭିନ୍ନ ଅଙ୍ଗ ଭାବରେ ଗ୍ରହଣ କରାଯାଇଥାଏ। ଏହି ପର୍ଯ୍ୟାୟରେ ଆଉ ଏକ ନାମ ଆସେ, ଯାହାର ନାମ ଗେଣ୍ଡୁଫୁଲ।

ସାଧାରଣତଃ ଏହି ଫୁଲ ମାର୍ଗଶିର ମାସରେ ଫୁଟିବାକୁ ଆରମ୍ଭ କରିଥାଏ। ଏହା ସୂର୍ଯ୍ୟମୁଖୀ ଶ୍ରେଣୀର ଏକ ଫୁଲ। କାରଣ, ସୂର୍ଯ୍ୟରଶ୍ମି ଯେତେ ପ୍ରଖର ହେଲେ ମଧ୍ୟ ଏହା ଅମଳିନ ରହେ। ମାର୍ଗଶିର ମାସର ପ୍ରଥମ ଗୁରୁବାରରେ, ପ୍ରଥମେ ଏହା ଦେବୀ ଲକ୍ଷ୍ମୀଙ୍କୁ ଲାଗି କରାଯାଏ। କୁହାଯାଏ, ଏହି ଫୁଲ ପିନ୍ଧି ଦେବୀ ଲକ୍ଷ୍ମୀ ପୋଢ଼ୁଆଁ ହୁଅନ୍ତି।

ଲକ୍ଷ୍ମୀଙ୍କ ସହିତ ଗେଣ୍ଡୁଫୁଲର ସଂପର୍କ ଅତି ଗଭୀର। ନୂଆ ଧାନକେଣ୍ଡାରେ ତିଆରି ମେଣ୍ଟାକୁ ମହାଲକ୍ଷ୍ମୀ ଭାବରେ ମାର୍ଗଶିର ମାସରେ ପୂଜା କରାଯାଇଥାଏ। ଧାନ ଏକ ଶସ୍ୟ ଓ ବୀଜ ମଧ୍ୟ। ସ୍ୱୟଂ ଲକ୍ଷ୍ମୀ ଭାର୍ଗବୀ, ଭୂଦେବୀ। ତାଙ୍କ ଗର୍ଭରୁ ଶସ୍ୟ ଉତ୍ପନ୍ନ ହୁଏ। ଏ ଦୃଷ୍ଟିରୁ ଗେଣ୍ଡୁଫୁଲ ବୀଜଧାରିଣୀ ଭାବରେ ଲକ୍ଷ୍ମୀ ଓ ଜ୍ଞାନକୋଷଦାତା ଗଣେଶଙ୍କର ଅତ୍ୟନ୍ତ ପ୍ରିୟ। ଏହି ହେତୁ ଗୃହମାନଙ୍କରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେଲେ, ଦ୍ୱାରର ସମ୍ମୁଖରେ ଯେପରି ପୂର୍ଣ୍ଣ କୁମ୍ଭ ଓ କଦଳୀ ଗଛ ରଖାଯାଏ, ଠିକ୍ ସେହିପରି ବିଘ୍ନହାରୀ ଆମ୍ବପତ୍ର ସହିତ ଅସରନ୍ତି ବୀଜ ଧାରଣ କରିଥିବା ଗେଣ୍ଡୁଫୁଲର ମାଳରେ ମଧ୍ୟ ଗୃହଦ୍ୱାର ସଜ୍ଜିତ କରାଯାଇଥାଏ। ଏହା ଫଳରେ ଅସରନ୍ତି ସୁଖ, ସମୃଦ୍ଧି, ଆନନ୍ଦ ଓ ସୁଖ ମିଳେ ବୋଲି ବିଶ୍ୱାସ କରାଯାଏ। କନକବର୍ଣ୍ଣ ସର୍ବଦା ଉତ୍ସାହର ପ୍ରତୀକ। ତେଣୁ କନକବର୍ଣ୍ଣା ଦେବୀ ଲକ୍ଷ୍ମୀଙ୍କ ସହିତ ଗେଣ୍ଡୁଫୁଲ ପାରମ୍ପରିକ ଭାବରେ ସଂଯୁକ୍ତ ହୋଇଆସିଛି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe