ପଦ୍ମବେଶର ବାର୍ତ୍ତା

Advertisment
ପଦ୍ମବେଶର ବାର୍ତ୍ତା

ଶ୍ରୀଜଗନ୍ନାଥ ଚେତନାରେ ବାରମ୍ବାର ପ୍ରତିପାଦିତ ହୋଇ ଆସିଛି ଯେ ସେ ଭାବର ଠାକୁର; ଭାବଗ୍ରାହୀ। ବସ୍ତୁ ଅପେକ୍ଷା ଭାବ ତାଙ୍କ ପାଇଁ ମୁଖ୍ୟ। ଯେତେ ନଗଣ୍ୟ ବା ତୁଚ୍ଛ ହେଲେ ମଧ୍ୟ, ସେ ସେହି ବସ୍ତୁକୁ ଗ୍ରହଣ କରନ୍ତି- ଯାହା ସହିତ ଭାବ ଜଡ଼ିତ ଥାଏ।

ଶ୍ରୀଜଗନ୍ନାଥଙ୍କ ପଦ୍ମବେଶ ପଛରେ ଥିବା କିଂବଦନ୍ତି ଏହି ଭାବର କଥା କହେ।

ମନୋହର ଦାସ ଜଣେ ହିନ୍ଦୀ ଭାଷାଭାଷୀ ଭକ୍ତ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତାଙ୍କ ମନରେ ଆକୁଳତା ଥିଲା। ଶ୍ରୀକ୍ଷେତ୍ରକୁ ଗମନାଗମନର ସୁବିଧା ନଥିବାରୁ ସେ ପାଦରେ ଚାଲିଚାଲି ଆସୁଥିଲେ। ବାଟରେ ଶୋଷ କରିବାରୁ, ଗୋଟିଏ ପୋଖରିରେ ପାଣି ପିଇବା ବେଳେ ଦେଖିଲେ, ଅନେକ ପଦ୍ମଫୁଲ ଫୁଟିଛି। ତାହା ଥିଲା ଶୀତ ଦିନ। ଏ ସମୟରେ ସାଧାରଣତଃ ପଦ୍ମ ଫୁଟେ ନାହିଁ। ତେଣୁ ତାଙ୍କର ଆଗ୍ରହ ହେଲା- ପଦ୍ମତକ ତୋଳି ନେଲେ ଶ୍ରୀଜଗନ୍ନାଥ ପିନ୍ଧନ୍ତେ! ତେଣୁ ସେ ପୋଖରୀରେ ପଶି ପଦ୍ମଫୁଲ ତୋଳିଲେ ଏବଂ ତାହାକୁ ନିଜର ଗାମୁଛାଟିରେ ବାନ୍ଧି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଲେ।

ସେ ଯାଇ ଶ୍ରୀକ୍ଷେତ୍ରରେ ପହଞ୍ଚିବା ବେଳକୁ ପଦ୍ମଫୁଲ ସବୁ ମଉଳି ଗଲାଣି। କିନ୍ତୁ ତାଙ୍କର ଆଗ୍ରହ ଟିକିଏ ହେଲେ ମଉଳି ନଥିଲା। ଗରୁଡ଼ ସ୍ତମ୍ଭ ପଛରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି, ସେ ଫୁଲଗୁଡ଼ିକୁ ନେଇ ଜଗମୋହନଠାରେ ଜଣେ ପଣ୍ଡାଙ୍କୁ ଦେଲେ। ତାହାକୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରିଦେବାକୁ କହିଲେ। କିନ୍ତୁ ମଉଳା ପଦ୍ମଫୁଲ, ତାହା ପୁଣି ମଇଳା ଗାମୁଛାଟିରେ ବନ୍ଧା ହୋଇଛି ଦେଖି, ପଣ୍ଡା ଜଣକ କ୍ଷୁବ୍‌ଧ ହେଲେ।

ଫୁଲ ତକ ଫିଙ୍ଗି ଦେଇ ମନୋହରଙ୍କୁ କଟୁ ଭାଷାରେ ତିରସ୍କାର କଲେ। ସେଥିରେ ଆହତ ହୋଇ ଫୁଲତକ ସାଉଁଟି ନେଇ ମନଦୁଃଖରେ ମନୋହର ଫେରି ଆସିଲେ।

କିନ୍ତୁ ସେହିଦିନ ଘଟିଲା ଗୋଟିଏ ଅଲୌକିକ ଘଟଣା। ଶ୍ରୀଜଗନ୍ନାଥ ରାଜାଙ୍କୁ ସ୍ୱପ୍ନାଦେଶରେ କହିଲେ- ହେ ରାଜା! ମନ୍ଦିରର ସେବକଙ୍କ ଦ୍ୱାରା ଲାଞ୍ଛିତ ହୋଇ ମୋର ଜଣେ ଭକ୍ତ ମନଦୁଃଖରେ ଅଛି। ତା’ ପାଖକୁ ଯାଅ। ସେ ଆଣିଥିବା ପଦ୍ମଫୁଲ ନେଇ ସେଥିରେ ମୋର ବଡ଼ସିଂହାର ବେଶ କର।

ସେହି ସ୍ୱପ୍ନାଦେଶ ପାଇ ରାଜା ତୁରନ୍ତ ବଡ଼ଛତା ମଠକୁ ଯାଇ, ସେଠାରୁ ମନୋହରଙ୍କୁ ସମ୍ମାନର ସହ ସଙ୍ଖୋଳି ଆଣିଲେ। ସେ ଆଣିଥିବା ପଦ୍ମଫୁଲରେ ହିଁ ସେଦିନର ବଡ଼ସିଂହାର ବେଶ ହେଲା।

ଶ୍ରୀମନ୍ଦିରର ପରମ୍ପରା ଅନୁସାରେ, ମାଘ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ମଧ୍ୟରେ ପଡ଼ୁଥିବା ବୁଧବାର ବା ଶୁକ୍ରବାର ଦିନ ଏହି ବେଶ ହୋଇଥାଏ। ଶୀତ ଦିନ ହେତୁ ପଦ୍ମ ଫୁଲ ମିଳୁ ନଥିବାରୁ, ସୋଲରେ ବେଶ ପ୍ରସ୍ତୁତ ହୁଏ। ସୋଲରେ ନିର୍ମିତ ପଦ୍ମପାଖୁଡ଼ାରେ ତିନିଟି ମୁଖା ଏବଂ ତା’ ସହିତ ଚୂଳ ଓ କିରୀଟ ପ୍ରସ୍ତୁତ ହୋଇ ଲାଗି କରାଯାଏ। ତେଣୁ ଏହାର ନାମ ପଦ୍ମମୁଖ ବେଶ। ଏହିଦିନ ଠାକୁରମାନଙ୍କର ନିତିଦିନିଆ ବଡ଼ସିଂହାର ବେଶ ହୁଏ ନାହିଁ। ଏହିଦିନ ମଧ୍ୟ ପଦ୍ମକେଶର ଚାଉଳର ଖିରି ସହ ସ୍ୱତନ୍ତ୍ର ଅମାଲୁ ଭୋଗ ହୋଇଥାଏ। ଏହି ବେଶରେ ଠାକୁରମାନଙ୍କର ପହୁଡ଼ ହେଉଥିବାରୁ, ପରଦିନ ପ୍ରତ୍ୟୁଷର ମଙ୍ଗଳ ଆଳତି ବେଳେ ଭକ୍ତମାନେ ଏହି ବେଶ ଦର୍ଶନ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe