ଆଧୁନିକ ଚିକିତ୍ସା ପ୍ରଣାଳୀ ଦ୍ବାରା ଏବେ ମୁଖଗ୍ବହର କର୍କଟକୁ ନିୟନ୍ତ୍ରଣ କରାଯାଇପାରୁଛି : ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ

Advertisment
ଆଧୁନିକ ଚିକିତ୍ସା ପ୍ରଣାଳୀ ଦ୍ବାରା ଏବେ ମୁଖଗ୍ବହର କର୍କଟକୁ ନିୟନ୍ତ୍ରଣ କରାଯାଇପାରୁଛି : ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ

ଭାରତରେ କର୍କଟ ରୋଗୀମାନଙ୍କ ମଧ୍ୟରେ ଅଧିକାଂଶ  ମୁଖଗହ୍ୱର କର୍କଟରେ ପୀଡ଼ିତ । ଏହି ରୋଗକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ସାଧାରଣ ବ୍ୟକ୍ତିଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ମାତ୍ର ସେମାନେ ଏ ବାବଦରେ ଡାକ୍ତରଙ୍କୁ ନପଚାରି ଇଣ୍ଟରନେଟକୁ ଯାଇ ଗୁଗୁଲ୍ ସର୍ଚ୍ଚ କରିଥାନ୍ତି । ତେଣୁ ମୁଖଗହ୍ୱର କର୍କଟକୁ ନେଇ ଗୁଗୁଲରେ ସର୍ଚ୍ଚ ହେଉଥିବା କେତେଗୁଡ଼ିଏ ପ୍ରଶ୍ନ ଆମ ପାଖରେ ଅଛି, ଯାହାର ଉତ୍ତର ରଖିଛନ୍ତି ଏଚ୍ ସି ଜି ପଣ୍ଡା କ୍ୟାନସର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ରଞ୍ଜନ ସ୍ୱାଇଁ।

ପ୍ରଶ୍ନ: ମୁଖଗହ୍ୱର କର୍କଟ କାହାକୁ କୁହାଯାଏ?

ଡା. ଜ୍ୟୋତି ରଞ୍ଜନ ସ୍ୱାଇଁ:  ସାଧାରଣତଃ ମୁଖ ଭିତରେ ହେଉଥିବା କ୍ୟାନସରକୁ ମୁଖଗହ୍ୱର କ୍ୟାନସର କୁହାଯାଏ । ଏଥିରେ ନାକ, ସାଇନସ୍‌, ଓଠ, ପାଟି, ଲାଳ ଗ୍ରନ୍ଥି, ଗଳା, ମୁଣ୍ଡ ଏବଂ ବେକରେ ହେଇଥିବା କ୍ୟାନସର ସଂପୃକ୍ତ ।

ପ୍ରଶ୍ନ: ମୁଖଗହ୍ୱର କର୍କଟର ଲକ୍ଷଣଗୁଡ଼ିକ କ’ଣ?

ଡା. ସ୍ବାଇଁ: ପାଟିରେ ଘା’ ହେବା, ଗଳାରେ ଯନ୍ତ୍ରଣା ହେବା, ଖାଦ୍ୟ ଢୋକିବାରେ ସମସ୍ୟା ଦେଖାଦେବା, ବେକ ଫୁଲିବା, ସ୍ୱରରେ ପରିବର୍ତ୍ତନ ହେବା ଇଦ୍ୟାଦି ମୁଖ ଗହ୍ୱର କର୍କଟର ମୁଖ୍ୟ ଲକ୍ଷଣ ।

ପ୍ରଶ୍ନ: ମୁଖଗହ୍ୱର କର୍କଟ ହେବାର ମୁଖ୍ୟ କାରଣ କ’ଣ?

ଡା.ସ୍ବାଇଁ: ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଧୂମପାନ, ମଦ୍ୟପାନ, ଏଚପିଭି ସଂକ୍ରମଣ, ଏପଷ୍ଟାଇନ୍ ବାର ସଂକ୍ରମଣ, ଅଧିକ ସମୟ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା, ପାଟିକୁ ସଫା ନରଖିବା, ବୟସ ବଢିବା, ଆଜବେଷ୍ଟସ୍‌, କାଠଗୁଣ୍ଡ, ପେଣ୍ଟ, କୀଟନାଶକ ଏବଂ ସାର ଇତ୍ୟାଦି ସଂସ୍ପର୍ଶରେ ଆସିବା ମୁଖ ଗହ୍ୱର କର୍କଟ ହେବାର ମୁଖ୍ୟ କାରଣ ହୋଇଥାଏ ।

ପ୍ରଶ୍ନ: ଶରୀରରେ କିପରି ବ୍ୟାପିଥାଏ ମୁଖଗହ୍ୱର କର୍କଟ?

ଡା.ସ୍ବାଇଁ: ସାଧାରଣତଃ ବେକରେ ଥିବା ଲିମ୍ଫ ନୋଡ ଦ୍ୱାରା ମୁଖ ଗହ୍ୱର କର୍କଟ ବ୍ୟାପିଥାଏ। ଏହା ବ୍ୟତୀତ ଶିରା-ପ୍ରଶିରା ଏବଂ ରକ୍ତ କଣିକା ଦ୍ୱାରା ମଧ୍ୟ ମୁଖଗହ୍ୱର କର୍କଟ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ ।

ପ୍ରଶ୍ନ: ମୁଖ ଗହ୍ୱର କର୍କଟକୁ କିପରି ନିର୍ଣ୍ଣୟ କରାଯାଏ?

ଡା.ସ୍ବାଇଁ: ମୁଖ ଗହ୍ୱର କର୍କଟ ନିର୍ଣ୍ଣୟ କରିବା ପାଇଁ ଅନେକ ଉପାୟ ରହିଛି ଯେପରିକି ରକ୍ତ ପରୀକ୍ଷା, ମାଂସ ପରୀକ୍ଷା, ଏମ୍‌ଆର୍‌ଆଇ, ସିଟି ସ୍କାନ, ଏକ୍ସ-ରେ ଇତ୍ୟାଦି ।

ପ୍ରଶ୍ନ: କିପରି କରାଯାଏ ମୁଖ ଗହ୍ୱର କର୍କଟର ଚିକିତ୍ସା?

ଡା.ସ୍ବାଇଁ: ମୁଖ ଗହ୍ୱର କର୍କଟର ଚିକିତ୍ସା ସଂପୂର୍ଣ୍ଣ ଭାବେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଉପରେ ନିର୍ଭର କରେ । ଅସ୍ତ୍ରୋପଚାରରେ ମୁଖ ଗହ୍ୱର କର୍କଟ ଭଲ ହେବାର ମାତ୍ରା ଅଧିକ ଥାଏ । ଏହା ବ୍ୟତୀତ ରେଡିଏସନ୍‌, କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଟାରଗେଟେଡ୍ ଥେରାପି ଦ୍ୱାରା ମୁଖ ଗହ୍ୱର କର୍କଟକୁ ନିୟନ୍ତ୍ରଣ କରାଯାଏ ।

ପ୍ରଶ୍ନ: ମୁଖଗହ୍ୱର କର୍କଟର ପ୍ରତିକାର କିପରି କରାଯାଇପାରିବ?

ଡା.ସ୍ବାଇଁ: ମଦ୍ୟପାନ ଓ ତମାଖୁ ବର୍ଜନ କରିବା, ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ପାଟିକୁ ସଫା ରଖିବା, ସନ୍ ସ୍କ୍ରିନ ଲୋସନ୍ ବ୍ୟବହାର ଓ ବ୍ୟାୟାମ କରିବା ଦ୍ୱାରା ମୁଖ ଗହ୍ୱର କର୍କଟକୁ ଦୂରେଇ ପାରିବା ।

ପ୍ରଶ୍ନ: ମୁଖଗହ୍ୱର କର୍କଟ ସାଧାରଣ ଅଟେ କି?

ଡା.ସ୍ବାଇଁ:  ହଁ। ମୁଖ ଗହ୍ୱର କର୍କଟ ଭାରତରେ ସାଧାରଣ ଅଟେ । ପୂରା ବିଶ୍ୱରେ ୫୭ ପ୍ରତିଶତ ବ୍ୟକ୍ତି ମୁଖଗହ୍ୱର କର୍କଟରେ ପୀଡିତ ।

ପ୍ରଶ୍ନ: ମୁଖଗହ୍ୱର କର୍କଟ ବଂଶଗତ କି?

ଡା.ସ୍ବାଇଁ : ମୁଖଗହ୍ୱର କର୍କଟ ବଂଶଗତ ନୁହେଁ,  କିନ୍ତୁ ପରିବାରରେ ଯଦି କାହାର ଫାନକୋନି ଆନେମିଆ ଓ ଲି-ଫରୁମେନି ସିଣ୍ଡ୍ରୋମ ଥାଏ ତେବେ ଏହା ବଂଶାନୁଗତ ହୋଇପାରେ ।

ପ୍ରଶ୍ନ: ମୁଖଗହ୍ୱର କର୍କଟ ସଂପୂର୍ଣ୍ଣ ରୂପେ ଭଲ ହୋଇପାରେ କି?

ଡା.ସ୍ବାଇଁ : ମୁଖ ଗହ୍ୱର କର୍କଟ କେଉଁ ପର୍ଯ୍ୟାୟରେ ଚିହ୍ନଟ ହୋଇଛି ତାହା ଉପରେ ଭଲ ହେବା ନିର୍ଭର କରେ । ମାତ୍ର ଏବେ ଆଧୁନିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଅନେକ ମୁଖଗହ୍ୱର କର୍କଟ ରୋଗୀ ଭଲ ହୋଇପାରୁଛନ୍ତି ।

ପ୍ରଶ୍ନ: ମଦ୍ୟପାନ ଦ୍ୱାରା କିପରି ହୋଇଥାଏ ମୁଖଗହ୍ୱର କର୍କଟ?

ଡା.ସ୍ବାଇଁ : ମଦ୍ୟପାନ କରିବା ଦ୍ୱାରା ଏଥିରେ ଥିବା ଇଥାନଲ୍ ଶରୀରକୁ ଯାଇ ଏସିଟାଲଡିହାଇଡରେ ପରିବର୍ତ୍ତିତ ହୋଇଯାଏ, ଯାହା କର୍କିନୋଜେନ୍‌ର ଏକ ରୂପ ଅଟେ । ଏହା ଶରୀରରେ ଡିଏନଏକୁ କ୍ଷତି ପହଞ୍ଚାଇବା ସହିତ ଟ୍ୟୁମର କରିଥାଏ ।

ପ୍ରଶ୍ନ: ଏଚ୍‌ପିଭି ସଂକ୍ରମଣ ମୁଖଗହ୍ୱର କର୍କଟର ଏକ କାରକ କି?

ଡା.ସ୍ବାଇଁ: ହଁ। ଏଚ୍‌ପିଭି ସଂକ୍ରମଣ ଦ୍ୱାରା ମୁଖଗହ୍ୱର କର୍କଟ ହୋଇଥାଏ । ମୁଖ୍ୟତଃ ଏଚ୍‌ପିଭି୧୬ ଦ୍ୱାରା ମୁଖ ଗହ୍ୱର କର୍କଟ ହେବାର ଆଶଙ୍କା ବେଶୀ ଥାଏ।

ପ୍ରଶ୍ନ: ଥରେ ଆରୋଗ୍ୟ ହେବା ପରେ ମୁଖଗହ୍ୱର କର୍କଟ ଫେରିଆସିପାରେ ବା ପୁଣିଥରେ ହୋଇଥାଏ କି ?

ଡା.ସ୍ବାଇଁ: ହଁ। ମୁଖଗହ୍ୱର କର୍କଟ ପୁଣିଥରେ ହୋଇପାରେ। ତେଣୁ ଚିକିତ୍ସା ପରେ ସଠିକ୍ ଭାବେ ସ୍ୱାସ୍ଥ୍ୟର ଯତ୍ନ ଏବଂ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe