ସମସ୍ୟାରେ ଏକଲା ସନ୍ତାନ

ସମସ୍ୟାରେ ଏକଲା ସନ୍ତାନ

‘ଆମେ ଦୁଇ ଆମର ଦୁଇ’- ଏହି ସ୍ଲୋଗାନ୍‌ ୧୯୫୪ ମସିହାରେ ଭାରତରେ ବେଶ୍‌ ଚହଳ ପକାଇଥିଲା। ଚାଇନା ପରେ ଭାରତ ବିଶ୍ବର ସର୍ବାଧିକ ଜନବହୁଳ ଦେଶ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଥିଲା। ଦମ୍ପତିଙ୍କୁ ସନ୍ତାନସନ୍ତତି ସଂଖ୍ୟା ଦୁଇରେ ସୀମିତ ରଖିବାକୁ ସରକାର ଆହ୍ବାନ କରିଥିଲେ। କିନ୍ତୁ ସମୟକ୍ରମେ ଆଧୁନିକତା, ଆର୍ଥିକସ୍ଥିତି ଓ ଶିକ୍ଷା ଖର୍ଚ୍ଚରେ ବ୍ୟାପକ ବୃଦ୍ଧି ଯୋଗୁଁ ଏବେ ଏହା ‘ଆମେ ଦୁଇ ଆମର ଏକ’କୁ ସଂକୁଚିତ ହୋଇଛି। ଆଜିକାଲି ଅଧିକାଂଶ ଦମ୍ପତି ନିଜର ପୁଅ ହେଉ ବା ଝିଅ, ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ରହୁଛନ୍ତି।

ତେବେ ଏହି ଚିନ୍ତାଧାରାକୁ ଲାଗିଛି ଧକ୍କା। ଏକଲା ସନ୍ତାନମାନେ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଥ୍ୟ କହେ, ଓଡ଼ିଶାରେ ୩.୨ ପ୍ରତିଶତ ପିଲା ଏହି ସମସ୍ୟାର ଶିକାର। ଦେଖାଯାଉଛି, ସନ୍ତାନଟି ଅତ୍ୟଧିକ ସ୍ନେହ-ଶ୍ରଦ୍ଧା ପାଇ ଜିଦିଆ ହୋଇଯାଉଛି। ଆଉ ଦାବି ମୁତାବକ ଜିନିଷ ନମିଳିଲେ ବିରକ୍ତ ଓ କ୍ରୋଧିତ ହେଉଛି। ବୟସ ବଢ଼ିବା ସହ ଏହା କ୍ରମଶଃ ଉଗ୍ରରୂପ ଧାରଣ କରୁଛି। ଏଣୁ ବାପା-ମା’ଙ୍କୁ ଛୋଟ ବୟସରୁ ସନ୍ତାନକୁ ଅନୁଧ୍ୟାନ କରି ସାମାଜିକ ସମ୍ପର୍କ ବଢ଼ାଇବା, ତାର ଅବାଞ୍ଛିତ ଚାହିଦାକୁ ପ୍ରଶ୍ରୟ ନଦେବା ଏବଂ ଛୋଟ ଛୋଟ କଥାରେ ନ ରାଗି ସ୍ନେହରେ ବୁଝାଇବା ଆବଶ୍ୟକ। ଏକଲା ସନ୍ତାନଙ୍କ ଏହି ସମସ୍ୟକୁ ବିଶ୍ବସ୍ବାସ୍ଥ୍ୟ ସଂଗଠନ ‘ଡିପେଣ୍ଡାନ୍ସି ସିଣ୍ଡ୍ରୋମ୍’ ଭାବେ ଅଭିହିତ କରିଛି। ଶାରୀରିକ ଓ ମାନସିକ ବିକାଶ ଜନିତ ସମସ୍ୟା, ନିଦ୍ରାହୀନତା, ମେଦବହୁଳତା, କଥା କହିବାରେ ଅସୁବିଧା, ଦୃଷ୍ଟିଶକ୍ତିରେ ସମସ୍ୟା, ଚିଡ଼ିଚିଡ଼ାପଣ ଆଦି ଏହାର ଅନ୍ତର୍ଗତ।
ରିପୋର୍ଟ- ପ୍ରଗତି ସାହୁ

publive-image

ପିଲାକୁ ନା’ କହିବା ଶିଖନ୍ତୁ
ଗୋଟିଏ ସନ୍ତାନ ହେବା ଦ୍ବାରା ବାପା-ମା’ଙ୍କର ଗେହ୍ଲା ଓ ଭଲପାଇବା ବଢ଼ିଯାଏ, ଫଳରେ ପିଲାଟି ମନରୁ ଡର ଛାଡ଼ିଯାଏ। ସେମାନଙ୍କର ଜିଦି ବଢ଼େ। ଜିଦି ନ ରହିଲେ ଚିଡ଼ିଚିଡ଼ାପଣ ଆସେ। ପୁଣି ସମବୟସ୍କ ଖେଳସାଥୀ ନଥିବାରୁ ଏକଲାପଣ ବଢ଼ିଯାଏ। ଛୋଟ ଛୋଟ କଥାରେ ବିଚଳିତ ହେବା ବଢ଼ିଯାଏ ଓ ସହନଶୀଳତା କମିଯାଏ। ଦୁଇଟି ସନ୍ତାନ ଥିଲେ ସେମାନଙ୍କ ଭିତରେ ଏକ ସ୍ନେହର ବନ୍ଧନ ଥାଏ। ଯାହାଦ୍ବାରା ଜଣେ ଜଣଙ୍କର ଯତ୍ନ ନେବା, ଭୁଲ୍‌ ଠିକ୍‌ ବୁଝାଇବା ଏବଂ ଜଣେ ଜଣଙ୍କୁ ଅନୁକରଣ କରି ସବୁ ଶିଖିଯାଏ। କିନ୍ତୁ ଏକଲା ରହିବା ଦ୍ବାରା ତା’ର ବ୍ୟକ୍ତିତ୍ବରେ ବିକାଶ ହୋଇପାରେ ନାହିଁ। ଫଳରେ ମାନସିକ ଚାପ ବଢ଼ିବା ସହିତ ପ୍ରତ୍ୟେକ ଜିନିଷରେ ଅଧିକ ଆଶା ରହିଥାଏ। ସେଥିପାଇଁ ଛୋଟବେଳୁ ସେମାନଙ୍କ ସବୁ କଥାରେ ‘ହଁ’ ନ ଭରି ଆବଶ୍ୟକ ସ୍ଥଳେ ନା’ କହିବା ନିହାତି ଦରକାର।
ଡାକ୍ତର ତନ୍ମୟିନୀ ଦାସ, ମାନସିକରୋଗ ବିଶେଷଜ୍ଞ,
ମେଣ୍ଟାଲ୍‌ ହେଲ୍‌ଥ ଇନ୍‌‌ଷ୍ଟିଚ୍ୟୁଟ୍‌, ଏସ୍‌ସିବି ମେଡିକାଲ୍ କଲେଜ୍, କଟକ

ପିଲାଙ୍କ ସହିତ ପିଲା ହେବାକୁ ପଡ଼ିବ
କର୍ମମୟ ଜୀବନରେ ଆଜିକାଲି ବାପା ମା’ମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ରହୁଛନ୍ତି। ଫଳରେ ପିଲାଟି ସାମାଜିକ ବନ୍ଧନରୁ ଦୂରେଇଯାଏ। ତା’ ଭିତରେ ବିରକ୍ତି ଓ କ୍ରୋଧ ବଢ଼ିଥାଏ। ସେଥିପାଇଁ ଆମେ ପିଲାଟିକୁ ତା’ ସ୍ତରକୁ ଯାଇ ବୁଝିବା ଦରକାର। ଏକଲା ରହିବାଦ୍ବାରା ତା’ ଭିତ‌ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ସେ ନିଜ କଥା ଅନ୍ୟ ଆଗରେ ପରିପ୍ରକାଶ କରିପାରେନାହିଁ, ବିରକ୍ତି ପ୍ରକାଶ କରେ। ଫଳରେ ପିଲାଟି ଅବସାଦଗ୍ରସ୍ତତା ଆଡ଼କୁ ଗତି କରେ। ଶିଶୁ ଓ କିଶୋରଙ୍କ ଭିତରେ ଦୁଃଖ, କ୍ରୋଧ, ସ୍ନେହ, ନିଃସଙ୍ଗତା, ହତାଶାବୋଧ ସବୁ ରହିଛି। ଏ ସବୁକୁ ନେଇ ସେମାନେ ବେଶ୍‌ ଭାବପ୍ରବଣ। ତେଣୁ ସେମାନେ କିପରି ସକାରାତ୍ମକ ହେବେ ସେଥିପ୍ରତି ଅଭିଭାବକମାନେ ଧ୍ୟାନ ଦେବା ଦରକାର।
ଡାକ୍ତର ବିଭୁଦତ୍ତ ମିଶ୍ର
ଶିଶୁରୋଗ ବିଶେଷଜ୍ଞ, ଜଗନ୍ନାଥ ହସ୍‌ପିଟାଲ୍, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe