ମଣିଷର ପଞ୍ଚେନ୍ଦ୍ରିୟ ହେଉଛି ପଞ୍ଚପ୍ରଦୀପ

Advertisment
ମଣିଷର ପଞ୍ଚେନ୍ଦ୍ରିୟ ହେଉଛି ପଞ୍ଚପ୍ରଦୀପ

‘ସ୍ୱାମୀଜୀ’ କହିଲେ ଯେପରି ସ୍ୱାମୀ ବିବେକାନନ୍ଦଙ୍କୁ ବୁଝାଏ, ସେହିପରି ‘ନେତାଜୀ’ କହିଲେ ବୁଝାଏ ସୁଭାଷଚନ୍ଦ୍ର ବୋଷଙ୍କୁ। ସେ ଯେ କେବଳ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ତା’ ନୁହେଁ; ଜୀବନ ସଂଗ୍ରାମରେ ବିଜୟୀ ହେବା ପାଇଁ ମଧ୍ୟ ସେ ଅନେକ ଅମୂଲ୍ୟ ମାର୍ଗନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି-

ଦୁଃଖ ଓ ନିର୍ଯାତନା ନ ଭୋଗିଲେ, ମଣିଷ ତା’ର ଆଦର୍ଶ ସହିତ ଆତ୍ମିକ ସଂପର୍କ ସ୍ଥାପନ କରିପାରେ ନାହିଁ। କଠିନ ପରୀକ୍ଷାର ସମ୍ମୁଖୀନ ହେଲେ ହିଁ ସେ ଅମାପ ଆତ୍ମଶକ୍ତିର ପରିଚୟ ପାଇପାରେ।

ମଣିଷର ପଞ୍ଚେନ୍ଦ୍ରିୟ ହେଉଛି ପଞ୍ଚପ୍ରଦୀପ ଏବଂ ଏହା ଆଲୋକର ଉତ୍ସ। ତାହାରି ମାଧ୍ୟମରେ ମାତୃଶକ୍ତିର ଆରାଧନା କରିବା ଉଚିତ। ଦେବୀ ମାତୃଶକ୍ତିର ଆଧାର। ତାଙ୍କ ପାଖରେ ପଶୁବଳି ଦେବାର ଅର୍ଥ, ନିଜର ଭୋଗ ଅଭିଳାଷକୁ ବଳିଦେବା। ଏହି ପଶୁ ମଣିଷ ଭିତରର ପାଶବିକତାର ପ୍ରତୀକ।

ମଣିଷ ତାର ଭାବନାର ରୂପକଳ୍ପ। ନିଜକୁ ଛୋଟ ବୋଲି ଭାବିଲେ ସେ ଛୋଟ ହୋଇଯାଏ ଏବଂ ବଡ଼ ବୋଲି ଭାବିଲେ ତାର ବଡ଼ପଣ ପ୍ରକାଶିତ ହୁଏ।

କର୍ମ ମଣିଷର ବିଶୃଙ୍ଖଳାକୁ ଦମନ କରେ ଏବଂ ତାହାର ବାହ୍ୟ ଆଚରଣକୁ ସଂଯମିତ କରେ। ସେହିପରି, ଅଧ୍ୟୟନ ଓ ଧ୍ୟାନ ଫଳରେ ମନୁଷ୍ୟର ଆତ୍ମଶୃଙ୍ଖଳା ପରିପୁଷ୍ଟ ହୋଇଥାଏ।

ପ୍ରେମ ବା ଅନ୍ୟକୁ ଭଲପାଇବା ମଣିଷର ହୃଦୟକୁ ପ୍ରସାରିତ କରେ ଏବଂ ତାହାର ସମସ୍ତ ସଂକୀର୍ଣ୍ଣତା ଅପସରି ଯାଇ ସେ ବିଶ୍ୱର ବିସ୍ତୃତ ବଳୟ ସହିତ ଏକୀଭୂତ ହୁଏ।

ଜାନୁଆରୀ ୨୩ ତାରିଖ ନେତାଜୀଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କର ଅମୂଲ୍ୟ ମାର୍ଗନିର୍ଦ୍ଦେଶ ଆମ ସମସ୍ତଙ୍କର ଧ୍ୟେୟ। ଏଥିନିମନ୍ତେ ପଞ୍ଚେନ୍ଦ୍ରିୟର ପଞ୍ଚପ୍ରଦୀପ ଆମ ଜୀବନପଥର ଆଲୋକବର୍ତ୍ତିକା ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe