ଲୀଳା ଓ ଖେଳାର ରଥଯାତ୍ରା

ଲୀଳା ଓ ଖେଳାର ରଥଯାତ୍ରା

ଶ୍ରୀଜଗନ୍ନାଥ ହେଉଛନ୍ତି ‘ପୁରୁଷୋତ୍ତମ’। ତାଙ୍କର ଲୀଳାସ୍ଥଳୀ ବା କ୍ଷେତ୍ର ହେଉଛି ପୁରୁଷୋତ୍ତମ କ୍ଷେତ୍ର। ‘ସ୍କନ୍ଦପୁରାଣ’ର ପ୍ରଥମ ଅଧ୍ୟାୟରେ ଏ ସଂପର୍କରେ କୁହାଯାଇଛି- ଏହା ସେହି ସୁମହତ୍ କ୍ଷେତ୍ର, ଯେଉଁଠାରେ ଲକ୍ଷ୍ମୀକାନ୍ତ ଶ୍ରୀନାରାୟଣ ମାନବଲୀଳାର ପରିପ୍ରକାଶ ପାଇଁ ଦାରୁମୟ କଳେବର ଧାରଣ କରିଛନ୍ତି। ଏଣୁ ରଥଯାତ୍ରା ତାଙ୍କର ଗୋଟିଏ ଲୀଳା।

କିନ୍ତୁ ‘ରଥ’ ଓ ‘ଲୀଳା’ ଏ ଦୁଇଟିରେ ଶବ୍ଦତତ୍ତ୍ୱ ଦୃଷ୍ଟିରୁ ଯେ ସାମ୍ୟ ଅଛି, ଏହା ଜାଣିଲେ ବିସ୍ମିତ ହେବାକୁ ପଡ଼େ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏବଂ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’ରେ ଏ ସଂପର୍କରେ ଉଲ୍ଲେଖ ଅଛି।

‘ରଥ’ ଶବ୍ଦ ‘ରମ୍‌’ ଧାତୁରୁ କରଣ ଅର୍ଥରେ ‘ଥ’ ଯୋଗରେ ସୃଷ୍ଟି ହୋଇଛି। ‘ରମ୍‌’ କ୍ରୀଡ଼ା କରିବାକୁ ବୁଝାଏ। ଏ ଦୃଷ୍ଟିରୁ ରଥଯାତ୍ରା କ୍ରୀଡ଼ା ବା ଏକ ଖେଳ- ଯାହାର ଆଧ୍ୟାତ୍ମିକ ପରିଭାଷା ‘ଲୀଳା’। ସେହିପରି, ‘ଲୀଳା’ର ବିଶ୍ଳେଷଣରୁ ମଧ୍ୟ ଜଣାଯାଏ ଯେ ‘ଲୀ’ ଧାତୁ ଆଲିଙ୍ଗନ କରିବାକୁ ଏବଂ ‘ଲା’ ଧାତୁ ଗ୍ରହଣ କରିବାକୁ ବୁଝାଏ। ଏହା ସାଧାରଣତଃ ଶୃଙ୍ଗାରଜନିତ କ୍ରିୟା, ଯାହାକୁ କ୍ରୀଡ଼ା କୁହାଯାଏ। ଆଧ୍ୟାତ୍ମିକତା ଦୃଷ୍ଟିରୁ ‘ଲୀଳା’ ଭାବ ବନ୍ଧନ ବା ଆତ୍ମା ଓ ପରମାତ୍ମାଙ୍କର ମିଳନ।

‘ରଥ’ ଶବ୍ଦର ଅନ୍ୟ ଅର୍ଥ ଶକଟ (ଶଗଡ଼) ଆଦି ଚକ୍ରଯାନ। ଚକ୍ରଯାନର ଅର୍ଥ ଚକ୍ରଯୁକ୍ତଯାନ ବା ଯେଉଁଥିରେ ଚକ ଖଞ୍ଜା ହୋଇଥାଏ। ଏହାର ସଂସ୍କୃତ ପ୍ରତିଶବ୍ଦ ‘ସ୍ୟନ୍ଦନ’- ଯାହାର ଅର୍ଥ ଗତିଶୀଳ ଯାନ। ଏହା ସୂଚାଏ- ଚକ୍ରଯୁକ୍ତ ଯାନରେ ବସି ଶ୍ରୀଜଗନ୍ନାଥ ଲୀଳା ନିମନ୍ତେ ଗମନ କରିବା ହେଉଛି ତାଙ୍କର ରଥଲୀଳା ବା ରଥଯାତ୍ରା। ସ୍ନାନଯାତ୍ରା ପରି ଏହା ମଧ୍ୟ ତାଙ୍କର ଏକ ପତିତପାବନ ଲୀଳା। ଏଇଥିପାଇଁ ରଥଯାତ୍ରାର ଅନ୍ୟନାମ ‘ପତିତପାବନ ଯାତ୍ରା’।

ଅନ୍ୟଦୃଷ୍ଟିରୁ ଦେଖିଲେ, ଯଜ୍ଞ ସହିତ ମଧ୍ୟ ଏହାର ସଂପର୍କ ରହିଛି। ଏହି ସଂପର୍କ ସହିତ କ୍ରୀଡ଼ା ମଧ୍ୟ ଜଡ଼ିତ ଅଛି। ଭାରତବର୍ଷର ପ୍ରାଚୀନ ବିଧାନ କହେ, ‘ବାଜପେୟ’ ଓ ‘ରାଜସୂୟ’ ଆଦି ଯଜ୍ଞରେ, ଯଜମାନଙ୍କର ମହିମା ପ୍ରଖ୍ୟାପନ ପାଇଁ ରଥଯାତ୍ରାର ବିଧାନ ଥିଲା। ସେଥିରେ ରଥର ରଥୀ ବା ରଥସ୍ୱାମୀଙ୍କର ପରିଚୟସୂଚକ ପତାକା ଉଡ଼ାଯାଉଥିଲା। ସେହି ରଥରେ ଅଶ୍ୱମାନେ ସଂଯୁକ୍ତ ହେଉଥିଲେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେହି ସୁପ୍ରାଚୀନ ଆର୍ଯ୍ୟ ପରମ୍ପରାର ପ୍ରତୀକ ପରି ମନେହୁଏ।

ଏବେ ଏହି ରଥଯାତ୍ରାର ତିନିରଥ ଭକ୍ତମାନଙ୍କଦ୍ୱାରା ଟଣା ହେଉଥିଲେ ମଧ୍ୟ, ସେଥିରେ ପ୍ରତୀକାତ୍ମକ ଭାବରେ ଦାରୁ ନିର୍ମିତ ଅଶ୍ୱ ସଂଯୁକ୍ତ ହେଉଛନ୍ତି। ଏଣୁ ଏହି ରଥଯାତ୍ରା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଏକ ମାନବୀୟ ଲୀଳା ଓ ଖେଳା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe