ବ୍ରତର ନାମ ସଫଳା, ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ

ବ୍ରତର ନାମ ସଫଳା, ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ

ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ‘ସଫଳା ଏକାଦଶୀ’ ଭାବରେ ଖ୍ୟାତ। ଏହିଦିନ ଉଜାଗର ରହି, ନଡ଼ିଆ, କଦଳୀ ଓ ଅଁଳା ଆଦି ଫଳ ସହିତ ଧୂପ ଦୀପ ଦେଇ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ପରଦିନ, ବ୍ରତର ପାରାୟଣ ପରେ, କେବଳ ସେହି ଫଳକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ। ଏହା ଫଳରେ ବିଷ୍ଣୁ ସନ୍ତୁଷ୍ଟ ହୋଇ ବ୍ରତର ସୁଫଳ ପ୍ରଦାନ କରନ୍ତି।

‘ସଫଳା ଏକାଦଶୀ’ ବ୍ରତକଥାଟି ସତ୍ୟଯୁଗର ବୋଲି ସେଥିରେ କୁହାଯାଇଛି। ତାହା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନଗ୍ରରେ ଥିଲେ ମାହିଷ୍ମତ ନାମରେ ଜଣେ ରାଜା। ତାଙ୍କର ଥିଲେ ଚାରିପୁତ୍ର। ଚାରିଜଣ ଯାକ ଥିଲେ ଦୁରାଚାରୀ। ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ।

ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ। ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା। ଏପରିକି, ଯେଉଁ ଅଶ୍ୱତ୍‌ଥ ବୃକ୍ଷ ତଳେ ଜନମାନବ ବାସ କରିବା ନିଷେଧ, ସେହି ଅଶ୍ୱତ୍‌ଥ ବୃକ୍ଷ ତଳେ ସେ ବାସ କଲା।

ଏହିପରି ଭାବରେ ଅନେକ ଦିନ ଦୁଃଖ କଷ୍ଟରେ ବିତାଇବା ପରେ, ତାର ମନରେ ଭାବନା ଆସିଲା- ଜୀବହତ୍ୟା ପାପ। ଆଉ ଜୀବହତ୍ୟା କରି ନରକକୁ ଯିବି ନାହିଁ। ଫଳାହାର କରି ଦିନ ବିତାଇବି। ବେଶ୍ୟାଳୟରେ ଅର୍ଥ ଅପବ୍ୟୟ ନକରି ସେହି ଧନକୁ ସତ୍ କାର୍ଯ୍ୟରେ ଲଗାଇଥିଲେ ଏତେ ପାପ ଅର୍ଜି ନଥାନ୍ତି।

ଦିନେ ପ୍ରବଳ ଶୀତ ଓ ଖାଦ୍ୟାଭାବ ଯୋଗୁଁ ସେ ବହୁ କଷ୍ଟ ପାଇଲା। ସେଦିନଟି ଥିଲା ପୌଷ କୃଷ୍ଣ ଏକାଦଶୀ। ସାରା ରାତି ତାକୁ ନିଦ ହେଲା ନାହିଁ। ବିଷ୍ଣୁଙ୍କ ନାମ ସ୍ମରଣ କରି ରାତିଟି ବିତାଇଲା। ପରଦିନ ସକାଳେ କିଛି ଫଳମୂଳ ସଂଗ୍ରହ କରି, ସେସବୁକୁ ନାରାୟଣଙ୍କୁ ସମର୍ପଣ କରି, ତାହାକୁ ଭୋଜନ କଲା। ତାହା ଫଳରେ, ଅଜାଣତରେ ହେଉପଛେ, ନାରାୟଣ ତା’ ପ୍ରତି ସଦୟ ହେଇ ତାକୁ ଏକାଦଶୀ ବ୍ରତର ଶୁଭ ଫଳ ଦେଲେ। ଲମ୍ବକର ଦୁର୍ଗତି ଦୂର ହେଲା।

ପରବର୍ତ୍ତୀ କାଳରେ ଲମ୍ବକ ମଧ୍ୟ ଚମ୍ପାବତୀ ନଗ୍ରର ରାଜା ହେଲେ। ବନାଶ୍ରମ ବିଧିରେ, ନିଷ୍ଠାପର ଓ ପବିତ୍ର ଜୀବନଯାପନ କରି ଜଣେ ପ୍ରଜାବତ୍ସଳ ରାଜା ରୂପେ ଖ୍ୟାତ ହେଲେ। ମୃତ୍ୟୁ ପରେ ସେ ବିଷ୍ଣୁଲୋକରେ ସ୍ଥାନ ପାଇଲେ।

ଏହି ବ୍ରତ କଥାରେ, ମାଂସାହାର ବର୍ଜନ କରି ଫଳାହାର ପରି ଶୁଦ୍ଧ ସାତ୍ତ୍ୱିକ ଆହାର ନିମନ୍ତେ ଆମକୁ ପ୍ରରୋଚିତ କରାଯାଇଛି। ବିଷ୍ଣୁଭକ୍ତି ଫଳରେ ତାହାର ସୁଫଳ ଲାଭ କରି ବ୍ୟକ୍ତି ସଫଳ ହୁଏ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe