ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମନ୍ଦୋଦରୀ

ପୁରାଣରେ ଯେଉଁ ପଞ୍ଚସତୀଙ୍କର ଉଲ୍ଲେଖ ରହିଛି, ସେମାନଙ୍କ ମଧ୍ୟରେ ସ୍ବର୍ଣ୍ଣଲଙ୍କାର ସ୍ବର୍ଣ୍ଣମୟୀ ପ୍ରତିମା ମନ୍ଦୋଦରୀ ଅନ୍ୟତମା। ସାଧାରଣତଃ  ଏକପତିବ୍ରତା ନାରୀମାନେ ସତୀ ଭାବରେ ଗଣ୍ୟ। ଯେପରି ସାବିତ୍ରୀ, ଅନସୂୟା, ସୀତା, ଅରୁନ୍ଧତୀ, ଲକ୍ଷ୍ମୀ, ଶତରୂପା, ସଂଜ୍ଞା, ସ୍ନାହା, ଲୋପାମୁଦ୍ରା ପ୍ରଭୃତି।

dggjjgdjg

ପୁରାଣରେ ଯେଉଁ ପଞ୍ଚସତୀଙ୍କର ଉଲ୍ଲେଖ ରହିଛି, ସେମାନଙ୍କ ମଧ୍ୟରେ ସ୍ବର୍ଣ୍ଣଲଙ୍କାର ସ୍ବର୍ଣ୍ଣମୟୀ ପ୍ରତିମା ମନ୍ଦୋଦରୀ ଅନ୍ୟତମା। ସାଧାରଣତଃ  ଏକପତିବ୍ରତା ନାରୀମାନେ ସତୀ ଭାବରେ ଗଣ୍ୟ। ଯେପରି ସାବିତ୍ରୀ, ଅନସୂୟା, ସୀତା, ଅରୁନ୍ଧତୀ, ଲକ୍ଷ୍ମୀ, ଶତରୂପା, ସଂଜ୍ଞା, ସ୍ନାହା, ଲୋପାମୁଦ୍ରା ପ୍ରଭୃତି। କିନ୍ତୁ ଏହି ପଞ୍ଚସତୀ (ଅହଲ୍ୟା, ଦ୍ରୌପଦୀ, କୁନ୍ତୀ, ତାରା ଓ ମନ୍ଦୋଦରୀ) ସେ ଧାରାରୁ ସଂପୂର୍ଣ୍ଣ ଭିନ୍ନ। ନିଜନିଜର ଗୁଣ, କର୍ମ, ସାଧନା, ସତ୍ୟବାଦିତା ତଥା ନିର୍ମଳ ଚରିତ୍ରବତ୍ତା ହେତୁ ଏମାନେ ମହାସତୀ ଭାବରେ ଗଣନୀୟା।

ଅପ୍‌ସରା ହେମା ଓ ଦୈତ୍ୟଶିଳ୍ପୀ ମହାସୁରଙ୍କର କନ୍ୟା ମନ୍ଦୋଦରୀ। ମନ୍ଦୋଦରୀଙ୍କର ଦିବ୍ୟଜନ୍ମ ସଂପର୍କରେ ‘ଦେବୀ ଭାଗବତ’ ତଥା ଅନ୍ୟାନ୍ୟ ଦେଶୀୟ ପୁରାଣମାନଙ୍କରେ ଅନେକ ବର୍ଣ୍ଣନା ଦେଖିବାକୁ ମିଳେ। ଦିବ୍ୟଜନ୍ମ, ଲଙ୍କାପତି ରାବଣର ପଟ୍ଟମହିଷୀ ହେବାର ଗୌରବ, ଅବର୍ଣ୍ଣନୀୟ ରୂପଯୌବନ ସହିତ ଏହାଙ୍କର କର୍ମ ତଥା ଶୁଦ୍ଧଚିନ୍ତନ ଅଧିକ ଗୌରବାବହ। ରାବଣ ଯେତିକି ଅହଂକାରୀ ଓ ପରପୀଡ଼କ ଥି‌ଲା ମନ୍ଦୋଦରୀ ସେହି ପରିଣାମରେ ଥିଲେ ସରଳ, ନିରହଂକାରୀ ତଥା ଈଶ୍ବରବିଶ୍ବାସୀ। ତଥାପି ରାବଣର ସବୁ କୃତକର୍ମ ପରେ ବି ରାବଣଙ୍କ ପ୍ରତି ଥିଲା ମନ୍ଦୋଦରୀଙ୍କର ଅକୁଣ୍ଠପ୍ରେମ। ତେଣୁ ସେ ରାବଣକୁ ସତ୍‌ ପଥରେ ପରିଚାଳିତ କରିବାପାଇଁ ‌ସର୍ବଦା ଚେଷ୍ଟିତ ଥିଲେ। ରାବଣକୁ ନିରୀହ ପ୍ରାଣୀହତ୍ୟା, କନ୍ୟା ଅପହରଣ ଆଦି କାର୍ଯ୍ୟରୁ ବିରତ ହେବାପାଇଁ ସେ ସର୍ବଦା କହିଛନ୍ତି। କିନ୍ତୁ ତାହା ପ୍ରତି ରାବଣ କେବେ କର୍ଣ୍ଣପାତ କରି ନାହିଁ। ଶେଷରେ ସୀତା ହରଣରେ ମନ୍ଦୋଦରୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଛି। ରାମ ସ୍ବୟଂ ନାରାୟଣ ଏବଂ ସୀତା ସ୍ବୟଂ ମହାଲକ୍ଷ୍ମୀ,  ସେମାନଙ୍କ ପାଇଁ ବିଦ୍ବେଷ ରାକ୍ଷସ କୁଳକ୍ଷୟର କାରଣ ହେବ ଜାଣି ସେ ରାମଙ୍କୁ ସୀତାଙ୍କୁ ଫେରାଇ ଦେବାପାଇଁ ବାରମ୍ବାର ଅନୁରୋଧ କରିଛନ୍ତି। କିନ୍ତୁ ସବୁ ନିଷ୍ଫଳ ହୋଇଛି। ଯୁଦ୍ଧରେ ଅନେକ ରାକ୍ଷସ ବୀରଙ୍କ ନିଧନ ସହିତ ଦେବର କୁମ୍ଭକର୍ଣ୍ଣ ତଥା ନିଜର ତିନି ପୁତ୍ର ଅକ୍ଷୟ କୁମାର, ଅତିକାୟ ଓ ମେଘନାଦକୁ ହରାଇଛନ୍ତି ମନ୍ଦୋଦରୀ। ଶେଷରେ ରାବଣର ମୃତ୍ୟୁରେ ସ୍ବୟଂ ବିଧବା ହେଲାବେଳେ ମନ୍ଦୋଦରୀ ରାବଣର କୃତକର୍ମପାଇଁ ତାଙ୍କୁ  ବୈଧବ୍ୟପ୍ରାପ୍ତ ହୋଇଛି ବୋଲି ବ୍ୟାକୁଳ ହୋଇ ରୋଦନ କରିଛନ୍ତି।

ମନ୍ଦୋଦରୀଙ୍କର ରାମଙ୍କ ପ୍ରତି ଥିଲା ଅଚଳାଚଳ ଭକ୍ତି। ରାମ ଯେ ସ୍ବୟଂ ନାରାୟଣ ଏହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ତାଙ୍କର ଏହି ରାମଭକ୍ତି ତାଙ୍କୁ ମହାସତୀର ମର୍ଯାଦା ଦେଇଥିଲା। ଚିରଦିନ ସେ ଲଙ୍କାର ମହାରାଣୀ ହୋଇ ରହିଥିଲେ। ରାବଣର ମୃତ୍ୟୁ ପରେ ମଧ୍ୟ ସେ ରାମଙ୍କ ଆଶୀର୍ବାଦରୁ ସଦା ସଧବା ରହିଲେ। ଆଜି ମଧ୍ୟ ଯୋଧପୁରଠାରୁ ୯ କି.ମି ଦୂରରେ ମାଣ୍ଡୋର ବୋଲି ଏକ ସ୍ଥାନ ରହିଛି। ଏହା ମନ୍ଦୋଦରୀଙ୍କର ଜନ୍ମସ୍ଥାନ ବୋଲି କୁହାଯାଏ। ଏଠାରେ ଥିବା ଅଞ୍ଚଳବାସୀ ବ୍ରାହ୍ମଣମାନେ ରାବଣପତ୍ନୀ ମନ୍ଦୋଦରୀଙ୍କୁ ମାତା ଭାବରେ ଗ୍ରହଣ କରି ସମ୍ମାନ କରିଥାନ୍ତି।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe