‘ମାଧବ’ ମାସର ମହତ୍ତ୍ବ

Advertisment
‘ମାଧବ’ ମାସର ମହତ୍ତ୍ବ

ବିଶାଖା ନକ୍ଷତ୍ରଯୁକ୍ତ ମାସକୁ ବୈଶାଖ କୁହାଯାଏ। ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ହେତୁ ଏହା ମାଧବ ମାସ। ପୁରାଣ ପ୍ରସଙ୍ଗ ଅନୁସାରେ- ଯେପରି ସଂପୂର୍ଣ୍ଣ ସ୍ତ୍ରୀ ଜଗତ୍ ମଧ୍ୟରେ ପାର୍ବତୀ, ଉଷ୍ମତା ପ୍ରଦାନକାରୀମାନଙ୍କ ମଧ୍ୟରେ ସୂର୍ଯ୍ୟ, ଲାଭମାନଙ୍କ ମଧ୍ୟରେ ଆରୋଗ୍ୟ ଲାଭ, ମନୁଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ, ପୁଣ୍ୟମାନଙ୍କ ମଧ୍ୟରେ ପରୋପକାର, ବିଦ୍ୟାମାନଙ୍କ ମଧ୍ୟରେ ବେଦ, ମନ୍ତ୍ରମାନଙ୍କ ମଧ୍ୟରେ ପ୍ରଣବ, ଧ୍ୟାନ ମଧ୍ୟରେ ଆତ୍ମଚିନ୍ତନ, ଶୁଦ୍ଧି ମଧ୍ୟରେ ଆତ୍ମଶୁଦ୍ଧି ଶ୍ରେଷ୍ଠ, ସେହିପରି ମାସ ମାନଙ୍କ ମଧ୍ୟରେ ବୈଶାଖ ଶ୍ରେଷ୍ଠ।

ଏ ସଂସାରରେ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିମନ୍ତେ ଏହି ମାସର ସମକକ୍ଷ କୌଣସି ମାସ ନାହିଁ। ବୈଶାଖ ମାସରେ ଗଙ୍ଗାସ୍ନାନ କରି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଅଶ୍ୱମେଧଯଜ୍ଞର ଫଳ ମିଳିଥାଏ; ବିଶେଷ କରି ପ୍ରାତଃସ୍ନାନ।

ସାଧାରଣତଃ ସୂର୍ଯ୍ୟ ନିଜ କିରଣଦ୍ୱାରା ଷଡ଼ରସ ପରିପୂର୍ଣ୍ଣ ଜଳକୁ ଆଠମାସ ଗ୍ରହଣ କରନ୍ତି ଏବଂ ସେହି ଜଳକୁ ବର୍ଷା ରୂପରେ ଚାରିମାସ ପୃଥିବୀକୁ ପ୍ରେରଣ କରନ୍ତି। ଯେଉଁ ଜଳକୁ ସୂର୍ଯ୍ୟ ଗ୍ରହଣ କରି ଆକାଶକୁ ନେଇଥାଆନ୍ତି, ଚନ୍ଦ୍ରମା ସେହି ଜଳକୁ ଶୁଦ୍ଧ କରି ମେଘରେ ରଖନ୍ତି। ତାହାକୁ ଅଭ୍ର କୁହାଯାଏ। ଯେଉଁ ଜଳ ବିନାମେଘ ଓ ବିନାଅଭ୍ରରେ ବର୍ଷିଥାଏ, ତାହାକୁ ପବିତ୍ର ଆକାଶଗଙ୍ଗାର ଜଳ ରୂପେ ଗ୍ରହଣ କରାଯାଏ। ଏହି ଜଳବର୍ଷା ସାଧାରଣତଃ ବୈଶାଖ ମାସରେ ହୋଇଥାଏ। ତେଣୁ ନଦ, ନଦୀ, ଜଳାଶୟମାନେ ଏହି ଜଳର ସ୍ପର୍ଶରେ ପବିତ୍ର ଗଙ୍ଗାରେ ପରିଣତ ହୋଇ ଯାଆନ୍ତି। ତେଣୁ ଏହି ମାସରେ ଯେକୌଣସି ଜଳାଶୟରେ ସ୍ନାନ କଲେ ତାହା ଗଙ୍ଗାସ୍ନାନ ହୋଇଥାଏ।

ଠିକ୍ ସେହିପରି, ସ୍ୱଇଚ୍ଛାରେ ହେଉ ବା ପରୋକ୍ଷରେ- ମାଧବଙ୍କ ନାମ ସ୍ମରଣ କଲେ ତାହା ପୂଜାରେ ପରିଣତ ହୋଇଯାଏ। ପାପୀ ଅଜାମ୍ବିଳ ଏହାର ଶ୍ରେଷ୍ଠ ଉଦାହରଣ। ପୁତ୍ରର ନାମ ଉଚ୍ଚାରଣ କରି ସେ ବିଷ୍ଣୁଲୋକ ପ୍ରାପ୍ତ ହୋଇଥିଲା। ତେଣୁ ପରମପବିତ୍ର ବୈଶାଖ ମାସ ଆରମ୍ଭ ହେଲେ, ସମସ୍ତେ ପ୍ରାତଃ ସ୍ନାନ କରି ଶ୍ରୀବିଷ୍ଣୁଙ୍କର ଆରାଧନା କରିବା ଅତ୍ୟନ୍ତ ପୁଣ୍ୟପ୍ରଦ। ତେଣୁ ପୁଣ୍ୟାର୍ଥୀମାନେ ପ୍ରାତଃ ସ୍ନାନ କରି ଭଗବାନ ବିଷ୍ଣୁଙ୍କୁ ପାପମୋଚନ ନିମିତ୍ତ ପ୍ରାର୍ଥନା କରିଥାନ୍ତି। ମାଧବଙ୍କ ସହିତ ମାତା ଗଙ୍ଗା ଓ ମାତା ଧରିତ୍ରୀଙ୍କୁ ଜଳ ଆଞ୍ଜୁଳି ପ୍ରଦାନ କରି ଧୂପ, ଦୀପ ଓ ନୈବେଦ୍ୟ ପ୍ରଦାନ କଲେ ସର୍ବସିଦ୍ଧି ଲାଭ ହୋଇଥାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe