ସ୍କନ୍ଦଷଷ୍ଠୀ କଥା

Advertisment
ସ୍କନ୍ଦଷଷ୍ଠୀ କଥା

ଦେବଦେବ ମହାଦେବଙ୍କର ଦୁଇପୁତ୍ରଙ୍କ ମଧ୍ୟରୁ ଗଣନାଥ ଗଣେଶ ଯେପରି ମହାରାଷ୍ଟ୍ରରେ ଅତ୍ୟନ୍ତ ଲୋକପ୍ରିୟ ଦେବତା, ଠିକ୍ ସେହିପରି ସ୍କନ୍ଦ, କୁମାର, କାର୍ତ୍ତିକେୟ, ଆୟାପା, ସୁବ୍ରମନିୟମ୍‌, ସରଭଣ, ଷଡ଼ାନନ ଓ ମୁରୁଗାନ ଆଦି ନାମରେ ପରିଚିତ ଜ୍ୟେଷ୍ଠପୁତ୍ର କାର୍ତ୍ତିକ ଦକ୍ଷିଣ ଭାରତରେ ଅତ୍ୟନ୍ତ ଲୋକପ୍ରିୟ ଦେବତା। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାରେ ଏହାଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତରେ ଚୈତ୍ରମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଏହାଙ୍କର ପୂଜା ମହାସମାରୋହରେ ହୁଏ।

କାର୍ତ୍ତିକେୟ ଶବ୍ଦର ଅର୍ଥ ଅମିତ ତେଜ ଓ ଅଦମ୍ୟ ସାହସଧାରୀ; ଯାହା କାର୍ତ୍ତିକେୟ କର୍ମରେ କରି ଦେଖାଇଥିଲେ। ମାତ୍ର ଛଅ ଦେବଦିନର ଏହି ବାଳକ, ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ବିଜୟୀ, ଅମିତ ବଳଶାଳୀ ତାରକାସୁର ନାମକ ରାକ୍ଷସକୁ ବଧ କରିବା ନିମିତ୍ତ ସମର୍ଥ ହୋଇଥିଲେ। ସବୁଠାରୁ ବଡ଼ କଥା ହେଲା, ଏହି ରାକ୍ଷସକୁ ବଧ କରିବା ପାଇଁ ହିଁ କାର୍ତ୍ତିକ ଜନ୍ମ ଗ୍ରହଣ କରିଥିଲେ।

ତାରକାସୁର କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବରଲାଭ କରିଥିଲା ଯେ ଶିବଙ୍କ ପୁତ୍ର ବ୍ୟତୀତ ଅନ୍ୟ କାହାରି ହସ୍ତରେ ସେ ବଧ ହେବ ନାହିଁ। କାରଣ ସେ ଜାଣିଥିଲା, ସତୀଙ୍କ ମୃତ୍ୟୁ ପରେ ଶିବ ଯୋଗମଗ୍ନ। ତେଣୁ ତାଙ୍କର ପୁତ୍ର ଲାଭର କୌଣସି ସମ୍ଭାବନା ନାହିଁ। କିନ୍ତୁ ତାର ସବୁ ଗଣନାକୁ ବିଫଳ କରି, ସ୍ୱୟଂ ଜଗଦମ୍ବା ହିମାଳୟଙ୍କର କନ୍ୟା ରୂପରେ ଜନ୍ମ ଗ୍ରହଣ କଲେ ଏବଂ ଶିବଙ୍କୁ ବିବାହ କଲେ। ଶିବ ଓ ପାର୍ବତୀଙ୍କର ତପଃଶକ୍ତିରୁ ଏକ ତେଜସ୍କ୍ରିୟ ଅଗ୍ନିପିଣ୍ଡ ଉତ୍ପନ୍ନ ହେଲା। ସେହି ଅଗ୍ନିପିଣ୍ଡକୁ ଶରବଣରେ ସଂରକ୍ଷିତ କରି ରଖାଗଲା। ସେଥିରୁ ଏକ ଅନିନ୍ଦ୍ୟ ସୁନ୍ଦର, ତେଜସ୍ୱୀ ବାଳକ ରୂପଲାଭ କଲେ। ଷଡ଼କୃତ୍ତିକା ସେହି ବାଳକକୁ ଦର୍ଶନ କରି ବାତ୍ସଲ୍ୟ ରସରେ ଆପ୍ଳୁତ ହୋଇ ତାଙ୍କର ପରିପାଳନ କଲେ। ଷଡ଼ଦିନ ପରେ ଇନ୍ଦ୍ର ତାହାଙ୍କୁ ଦେବ-ସେନାପତି ପଦରେ ଅଧିଷ୍ଠିତ କଲେ। ଦେବତାମାନଙ୍କର ନେତୃତ୍ୱ ନେଇ କାର୍ତ୍ତିକେୟ ତାରକାସୁର ସହିତ ଯୁଦ୍ଧ କରି ତାକୁ ବଧ କଲେ। ଅଧର୍ମ ଉପରେ ଧର୍ମର ବିଜୟ ହେଲା।

ସ୍କନ୍ଦ କାର୍ତ୍ତିକେୟଙ୍କର ଏହି ବିଜୟର ସ୍ମୃତିରେ, ‘ସ୍କନ୍ଦଷଷ୍ଠୀ’ ଉତ୍ସବ ପାଳନ କରାଯାଇଥାଏ। କାର୍ତ୍ତିକ ଉଭୟ ବ୍ରହ୍ମଚର୍ଯ୍ୟ ଓ ବୀରତ୍ୱର ପ୍ରତୀକ ଭାବରେ ଡମ୍ବରୁ, ଅକ୍ଷମାଳ, ବୀଜପୂରକ ସହିତ ସମସ୍ତ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେବାର ଦେଖାଯାଇଥାଏ। ଓଡ଼ିଶାର ଶୈବ ମନ୍ଦିର ମାନଙ୍କରେ ସେ ପାର୍ଶ୍ବଦେବତା ଭାବରେ ରହିଥିବାବେଳେ, ଦକ୍ଷିଣ ଭାରତରେ ତାଙ୍କର ସ୍ୱତନ୍ତ୍ର ମନ୍ଦିର ରହିଛି।

ଡକ୍ଟର ତୁଳସୀ ଓଝା, ମୋ: ୯୪୩୭୪୨୨୪୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe