ସ୍ୱାସ୍ଥ୍ୟ ସମ୍ବାଦ : କୋଭିଡ୍‌ ଚିକିତ୍ସାରେ ବିଶେଷ ଫଳପ୍ରଦ ହେଉଛି ‘ହେପାରିନ୍‌’

Advertisment

ଡାକ୍ତର ଦୀପକ ର˚ଜନ ଦାସ

ଡାକ୍ତର ଦୀପକ ର˚ଜନ ଦାସ

ସ୍ୱାସ୍ଥ୍ୟ ସମ୍ବାଦ : କରୋନାରେ ବୃଦ୍ଧି ପାଉଥିବା ମେଦବହୁଳତା ସମସ୍ୟା

ଗତବର୍ଷ ଡିସେମ୍ବର ମାସରୁ ଆରମ୍ଭକରି ଏପର୍ଯ୍ୟନ୍ତ କରୋନା ଭୂତାଣୁ ଆକ୍ରାନ୍ତ ରୋଗୀମାନଙ୍କର ଚିକିତ୍ସାରେ ଅନେକ ପ୍ରକାରର ଔଷଧ ବ୍ୟବହାର ହୋଇସାରିଲାଣି। କିନ୍ତୁ ଯେଉଁ ଅଳ୍ପ କେତୋଟି ଔଷଧ କୋଭିଡ୍‌ ଚିକିତ୍ସା ପାଇଁ ଫଳପ୍ରଦ ହୋଇଛନ୍ତି, ତା ମଧ୍ୟରୁ ‘ହେପାରିନ୍‌’ ଅନ୍ୟତମ। ହେପାରିନ୍‌ ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ପ୍ରତିରୋଧ କରେ। ଆଗରୁ ଏହି ଔଷଧର ବ୍ୟବହାର ମୁଖ୍ୟତଃ ହୃଦ୍‌ରୋଗ ପାଇଁ ବହୁଳ ଭାବେ ବ୍ୟବହୃତ ହେଉଥିଲା। କୌଣସି ଭୂତାଣୁଜନିତ ରୋଗପାଇଁ ଏହି ଔଷଧ ଏତେ ଅଧିକ ପରିମାଣରେ ବ୍ୟବହାର କରାଯିବା ପ୍ରଥମ। କୋଭିଡ ମୃତକଙ୍କ ଶବ ବ୍ୟବଚ୍ଛେଦରୁ ମିଳିଥିବା ତଥ୍ୟ ଆଧାରରେ ହିଁ ଏହି ଔଷଧକୁ ଗୁରୁତ୍ବ ଦିଆଗଲା।

୨୦୨୦ର ଏପ୍ରିଲ ମାସ ବେଳକୁ ଇଟାଲୀର କେତେଜଣ ଡାକ୍ତର ପ୍ରଥମ ଥର ପାଇଁ କୋଭିଡ୍‌ ମୃତକଙ୍କର ଶବ ବ୍ୟବଚ୍ଛେଦ କଲେ ଏବ˚ ବିଭିନ୍ନ ଅଙ୍ଗକୁ କାଟି ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ତାର ସବିଶେଷ ଅଧ୍ୟୟନ କଲେ। ସେତେବେଳେ ସେମାନେ ଲକ୍ଷ୍ୟକଲେ ଯେ, ଫୁସ୍‌ଫୁସ୍‌, ହୃଦ୍‌ଯନ୍ତ୍ର, ବୃକକ୍‌, ମସ୍ତିଷ୍କ ମଧ୍ୟରେ ଥିବା ରକ୍ତନଳୀ ମଧ୍ୟରେ ଅସ˚ଖ୍ୟ ଛୋଟବଡ଼ ରକ୍ତଗୁଳା ଜମାଟ ବାନ୍ଧି ରହିଛି। ସେଥିରୁ ଜଣାପଡ଼ିଲା ଯେ, ଯଦିଓ ଏହି ଭୂତାଣୁ ପ୍ରାଥମିକ ଭାବେ ଫୁସ୍‌ଫୁସ୍‌କୁ ଆକ୍ରମଣ କରେ, ତେବେ ଯେଉଁ ଶତକଡ଼ା ୨୦ ଭାଗ ରୋଗୀ ଗୁରୁତର ହେବେ, ସେମାନଙ୍କର ବିଭିନ୍ନ ଅଙ୍ଗ ଆକ୍ରାନ୍ତ ହେବାର ମୁଖ୍ୟ କାରଣ ହେଉଛି, ସେଠାରେ ସଞ୍ଚାଳନ କରୁଥିବା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିବା। ଏହି ତଥ୍ୟକୁ ସାରା ବିଶ୍ବରେ ସବୁ ଚିକିତ୍ସକ ଗ୍ରହଣ କରିବା ପାଇଁ ସମୟ ଲାଗିଲା। କିନ୍ତୁ ପରବର୍ତ୍ତୀ କାଳରେ ବିଭିନ୍ନ ପ୍ରକାରର ପରୀକ୍ଷା ଏବ˚ ସିଟିସ୍କାନ୍‌ ପରୀକ୍ଷା ଦ୍ବାରା ଏହି ତଥ୍ୟର ସତ୍ୟତା ପ୍ରତିପାଦିତ ହେଲା। ତେଣୁ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କର ଚିକିତ୍ସାର ଏକ ଅବିଚ୍ଛେଦ୍ୟ ଅଙ୍ଗଭାବେ ହେପାରିନ୍‌ ଲୋଡ଼ାପଡ଼ିଲା।

ହେପାରିନ୍‌ ମୁଖ୍ୟତଃ ଭାବେ ଦୁଇ ପ୍ରକାରରେ ଦୋକାନରେ ମିଳିଥାଏ। ସାଧାରଣ ହେପାରିନ୍‌ ଯାହାକି ଛୋଟ ଇନ୍‌ସୁଲିନ୍‌ ଶିଶି ଆକାରରେ ମିଳେ ଓ ଖୁବ୍‌ ଶସ୍ତା। କିନ୍ତୁ ତାକୁ ମଣିଷ ଶରୀରରେ ଦିନକୁ ଅତିକମ୍‌ରେ ଚାରିଥର ଫୋଡ଼ିବାର ଆବଶ୍ୟକତା ରହିଛି। ଅନ୍ୟଟି ହେଉଛି ତାହାର ହାଲ୍‌କା ପ୍ରଶୋଧିତ ପ୍ରସ୍ତୁତି ଯାହାକି ପ୍ଲାଷ୍ଟିକ୍‌ ସିରିଞ୍ଜ ଭାବେ ମିଳିଥାଏ। ତାହା ଅପେକ୍ଷାକୃତ ବ୍ୟୟସାପେକ୍ଷ। କିନ୍ତୁ ଦିନରେ ମାତ୍ର ଦୁଇ ଥର ଫୋଡ଼ିଲେ ଯଥେଷ୍ଟ। ତେଣୁ ଏହି ଦ୍ବିତୀୟ ପ୍ରକାରର ହେପାରିନ୍‌ ସମଗ୍ର ବିଶ୍ବରେ ବହୁଳଭାବେ ଗୁରୁତର କୋଭିଡ୍‌ ରୋଗୀମାନଙ୍କର ଚିକିତ୍ସାରେ ବ୍ୟବହୃତ ହେଉଛି। ଏହାସହିତ ଆଉ ଗୋଟିଏ ଚିନ୍ତାଜନକ ତଥ୍ୟ ମଧ୍ୟ ଜଣାପଡ଼ିଲାଣି। ଏହି ଔଷଧର ବାସ୍ତବିକ ଉପାଦେୟତା ତଥା ବ୍ୟବହାରରେ ସତର୍କତା ବିଷୟରେ ସବିଶେଷ ଜ୍ଞାନ ନଥିବା ଅନେକ ବ୍ୟକ୍ତି ଆର୍ଥିକ ଲୋଭରେ ସବୁ କରୋନା ପଜିଟିଭ୍‌ ରୋଗୀଙ୍କୁ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଥିବା ଦେଖା ଯାଉଛି। କିନ୍ତୁ ଏହି ଜୀବନ ରକ୍ଷାକାରୀ ଔଷଧର ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ରହିଛି। ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ କ୍ଷରଣ ହେବାର ବିପଦ ରହିଥାଏ ଏବ˚ ମସ୍ତିଷ୍କରୁ ରକ୍ତକ୍ଷରଣ ହେଲେ ରୋଗୀ ଚେତାଶୂନ୍ୟ ହେବାର ଆଶଙ୍କା ମଧ୍ୟ ରହିଥାଏ। କେବଳ ଯେଉଁ କୋଭିଡ୍‌ ରୋଗୀମାନଙ୍କର ରକ୍ତରେ ଅମ୍ଲଜାନର ମାତ୍ରା ଶତକଡ଼ା ୯୪ ଭାଗରୁ କମ୍‌ ରହିଥାଏ, ସେମାନଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କଲେ ହିଁ ସୁଫଳ ମିଳିଥାଏ। ଯେଉଁମାନଙ୍କର ଲକ୍ଷଣବିହୀନ ଅଥବା ଅଳ୍ପ ଲକ୍ଷଣ ଥାଇ ମଧ୍ୟ ରକ୍ତରେ ଅମ୍ଳଜାନର ମାତ୍ରା ୯୪ ଭାଗରୁ ଅଧିକ ରହିଥାଏ, ସେମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରିବା ବିପଦଜନକ ହୋଇପାରେ।

କେତେକ କ୍ଷେତ୍ରରେ ରୋଗୀମାନଙ୍କ ରକ୍ତରେ ‘ଡି-ଡାଇମର’ ନାମକ ପରୀକ୍ଷା କରି ସେଥିରୁ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ବିଷୟରେ ଆକଳନ କରାଯାଇଥାଏ। ଏହି ଆକଳନ ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ବୋଲି ଜଣା ପଡ଼ିଲେ ହେପାରିନ୍‌ ଦେବାର ନିଷ୍ପତ୍ତି ନିଆଯାଇଥାଏ। କେତେକ ପରିସ୍ଥିତିରେ ମୋଟା ରୋଗୀମାନଙ୍କ ଶରୀରର ଓଜନକୁ ଲକ୍ଷ୍ୟ ରଖି ଏହି ଔଷଧର ମାତ୍ରାକୁ ବଢାଇବାର ଆବଶ୍ୟକତା ମଧ୍ୟ ରହିଥାଏ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ବିନା ଏହି ଗୁରୁତ୍ବପୂର୍ଣ୍ଣ ଔଷଧକୁ ଦେକାନୀର ପରାମର୍ଶ ବା ଅନ୍ୟ ରୋଗୀଙ୍କ ପରାମର୍ଶ ଅନୁସାରେ ନେବା ଅନୁଚିତ୍‌। ଏହି ଔଷଧର କଳାବଜାରୀ ରୋକିବା ପାଇଁ ଭାରତ ସରକାର ମଧ୍ୟ ଏହାକୁ ଅତ୍ୟାବଶ୍ୟକ ଔଷଧ ସୂଚୀରେ ଅନ୍ତର୍ଭୁକ୍ତ କରିବା ସହିତ ଏହାର ଦାମ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି।

ସହକାରୀ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe